Unknown

 

 

 

 

 

 

 

 

 

 

 

ଦଗ୍ଧ ଦାମ୍ପତ୍ୟ

[ପାରିବାରିକ ଉପନ୍ୟାସ]

ବିପିନ୍‌ ଗୋସ୍ୱାମୀ

 

ଉତ୍ସର୍ଗ

 

ଗୀତିକାର ଏବଂ ନାଟ୍ୟକାର–ଶ୍ରୀଯୁକ୍ତ ନରସିଂହ ମହାପାତ୍ର,

ଆକାଶବାଣୀ, କଟକଙ୍କ କରକମଳେ ମୋର

ଲେଖନୀ ନିସୃତ ପାରିବାରିକ ଉପନ୍ୟାସ

‘‘ଦଗ୍ଧ ଦାମ୍ପତ୍ୟ’’କୁ

ଅଞ୍ଜଳି ଦେଲି ।

 

। ଇତି ।

 

ସାନଭାଇ

ବିପିନ୍‌ ଗୋସ୍ୱାମୀ

 

–ପଦେ ଅଧେ–

 

ଲେଖକ ବିପିନ୍‍ ଗୋସ୍ୱାମୀ, ତାଙ୍କର ବୟସ ବର୍ତ୍ତମାନ ଛବିଶ ବର୍ଷ ଅତିକ୍ରମ କରୁଛି ବୋଲି ସେ ମୋତେ କହୁଥିଲେ । ତାଙ୍କ ଜୀବନରେ ଅଭାବହିଁ ତାଙ୍କର ଗୋଟିଏ ଶେଷ ଚିନ୍ତା । ଅଭାବ ଥାଇ ତାଙ୍କ ଜୀବନରେ ଦୁଃଖ ଯେ ଥାଏ, ତାହାବି ମୁଁ ଦିନେ ଅନୁଭବ କରିନାହିଁ ।

ଆଉ ମଧ୍ୟ ସେ କହିଲେ–ମୁଁ ଯେଉଁ କାମରେ ହାତ ଦେଇଥାଏ ସେଥିରେ କଷ୍ଟ ଥାଏ । ଦୁଃଖ କଷ୍ଟ ମଧ୍ୟରେ ପ୍ରବେଶ କରି ଯେଉଁ କାର୍ଯ୍ୟ କରାଯାଏ, ସେଥିରେ ପଛକୁ ଆନନ୍ଦ ମିଳେ । ତେଣୁ ମୋ ଜୀବନରେ କଷ୍ଟ ଆସିବା ବି ସେତେ ବଡ଼ କଥା ନୁହଁ । ଏ ସବୁ ଲେଖା ତାଙ୍କର ଛାତ୍ର ଜୀବନର । ଏ ଲେଖାକୁ ପ୍ରତ୍ୟେକ ପାଠକ ପ୍ରାୟ ପାଠ କରିବେ ବୋଲି ମୁଁ ଅନୁଭବ କରିଛି । –ଲେଖକଙ୍କ ଉପରେ ମୁଁ ଯଦିବା ବିଶେଷ ସନ୍ତୁଷ୍ଟ ନ ଥିଲି ତାଙ୍କ ଲେଖାକୁ ପଢ଼ି ଭାବିଲି ଲେଖକଙ୍କର ଭବିଷ୍ୟତରେ ଉନ୍ନତି ଅଛି ।

ତାଙ୍କୁ ପରୀକ୍ଷା କରିବାପାଇଁ ପଚାରିଲି, ଆପଣଙ୍କର ଗୋଟାଏ ଉପାଧି ଦେଇଦେବି ମୋ ଅନୁଷ୍ଠାନ ତରଫରୁ । ସେ ମନାକରି ମୋତେ କହିଲେ ଉପାଧି ନେଇ ମୁଁ ବଞ୍ଚିପାରିବିନି ଆଜ୍ଞା-! ଉପାୟ ଦେଲେ ହୁଏତ ମୁଁ ଖୁସି ହେବି । ଏତିକି କଥାରେ ମୁଁ ତରଳିଯାଇଁ ତାଙ୍କର ଅନେକ ବହି ପ୍ରକାଶକରି ଆଜି ପୁଣି ଏ ‘‘ଦଗ୍ଧ ଦାମ୍ପତ୍ୟକୁ’’ ପ୍ରକାଶ କରିବାକୁ ମନ ବଳାଇଲି । ମୋର ଆଶା ପାଠକମାନେ ଏହାକୁ ପାଠକରି ନିଶ୍ଚୟ ଖୁସି ହେବେ ।

। ଇତି ।

–ପ୍ରକାଶକ–

 

ଏଇ କଥାକୁ ଚିନ୍ତା କରି କରି ବଙ୍କିମ ବାବୁ ଡାକିଲେ ନମିତାକୁ । ନମିତା ବଙ୍କିମ ବାବୁଙ୍କର ଧର୍ମପତ୍ନୀ ।

 

ସ୍ୱାମୀଙ୍କ କଥାରେ ନମିତା ଆସି ଆରାମ ଚେୟାରଟା ପାଖରେ ଦେହକୁ ଲାଗି ଠିଆହୋଇ ପଚାରିଲେ–

 

ମୋତେ ଡାକୁଥିଲ, ଭାଗବତ ପଢ଼ା ତ ଶେଷ ହୋଇନି । ଆଉ କ’ଣ ରାମାୟଣ ଦରକାର । ବିଡ଼ି କଠାଟା ପାଖରୁ ପ୍ରାୟ ପଳେଇଛି ଦୂରକୁ ।

 

କଥା କହୁନାହିଁ କାହିଁକି ? ମୁଁ କିଛି ବୁଝିପାରୁନି ତ ତମ କଥା ।

 

ହଇଲୋ, ଶୁଭୁଛି !

 

ସାନ ଯାଆ ଉଷାକୁ ନମିତା ଡାକିଲେ । ବିଡ଼ି କଠାଟା ଆଉ ଦିଆସିଲଟା ଏରୁଣ୍ଡି ପାଖକୁ ଆଣିବୁ ତ ।

 

ବଡ଼ ଯା’ଙ୍କ କଥାକୁ ତଳେ ପକାଏ ନାହିଁ ଛୋଟରାୟ ଘରର ସାନବୋହୂ ଉଷା । ବିଡ଼ି କଠା ଆଉ ଦିଆସିଲକୁ ଆଣି ଏରୁଣ୍ଡି ବନ୍ଧ ଉପରେ ଥୋଇଦେଇ, ସି. ସି: ଠାରରେ ଉଷା କହିଦେଇଗଲା । ନିଅ ଅପା, ଭାଇଙ୍କୁ ଦେଇଦିଅ ।

 

ସାନ ଯା’ର କଥାକୁ ନମିତା ବି ବୁଝି ନେଇଥିଲେ ଠିକ୍‌ । ହସିଲା ଗଳାରେ କହିଲେ, ନିଅ ତମର ଅଭାବ ପୂରଣ କରି ଢୋକାଏ ଟାଣିଦିଅ ।

 

ମୁଁ ତମକୁ ବିଡ଼ି କଥା କହୁ ନ ଥିଲି । ଖୋଜା ବି ନ ଥିଲା ରାମାୟଣରେ । ଖୋଜୁଥିଲି ତମକୁ ।

 

ବଙ୍କିମବାବୁ ଚାହିଁ ରହିଲେ କ୍ଷଣେ ।

 

ଦଣ୍ଡେ ହେଲା ଚାହିଁ ରହିଛ । କ’ଣ ପଚାରିବ, ପଚାରୁ ନାହଁ । ନ ହେଲେ ମୁଁ ଯାଉଛି ।

 

ଯିବାପାଇଁ କ’ଣ ତମେ ଏଠାକୁ ଆସିଥିଲ । ତମ ଠାରୁ ମୋର ଯାହା ବୁଝିବାର ଥିଲା......

 

ବୁଝୁନା ! ତମେ ଏମିତି ନ ପଚାରି ଚାହିଁ ରହିଲେ କ’ଣ ମୁଁ ସବୁ ବୁଝିଯିବି ।

 

ତମେ ବୁଝିପାରିବନି ବୋଲି ମୁଁ ଜାଣେ ନମିତା ।

 

ବିଗତ ତିନି ମାସ ଧରି ଏ ଘରର ଘଟୁଥିବା କଥାକୁ ବୁଝିପାରିନା, ଚେଷ୍ଟା ବି କରିନା’ ଥରେ । ଆଜି ଯେ ସେ କଥା ମୁଁ କହିଲେ ତମେ ବୁଝିଯିବ–

 

ସେ କଥା ନୁହଁ, ତଥାପି ମୁଁ ଯେ ତମକୁ ଚୀନ ଭାରତର ଯୁଦ୍ଧ କଥା କହିବି ତାତ ନୁହଁ । ମୁଁ କହିବାକୁ ଚାହିଁଥିଲି ଏ ଘରେ ଯେଉଁ ଗୃହ ଯୁଦ୍ଧ ହୋଇଛି–ସେ ଯୁଦ୍ଧର କ’ଣ ଶେଷ ହେବନି ।

 

ସ୍ୱାମୀଙ୍କ କଥାକୁ ହେଲେ ନମିତା ବୁଝି ପାରି ନ ଥିଲେ । ନ ବୁଝି ଉତ୍ତର ନ ଦେଇ ପାରି ସେ କହିଲେ–

 

–ମୁଁ କିଛିଟାଏ ତମ କଥାରୁ ବୁଝିପାରୁନାହିଁ । କହିବ ତ ଖୋଲାଖୋଲି କୁହ ।

 

–ଖୋଲାଖୋଲି ନ କହିଲେ ତମେ ବୁଝିପାରିବନି ବୋଲି ମୁଁ ଜାଣେ । ତଥାପି କଥାଟା ତ ସେତେ ନ ବୁଝିଲା ପରି ନୁହଁ । ସାନବୋହୂଙ୍କର ଆସିବାଠାରୁ ଏ ଘରେ ଯେଉଁ ମନ ଫଟାଫଟି ରୋଗ ବ୍ୟାପିଲା, ସେତେବେଳେ ସେ ରୋଗୀର ଯନ୍ତ୍ରଣାର ଚିତ୍କାର କ’ଣ ତମ ମୁଣ୍ଡରେ ଟିକିଏ ପଶିଲା ନାହିଁ । ଏମିତି ଖୋଲାଖୋଲି ନ କହିଥିଲେ ମଧ୍ୟ ସେଦିନ ତମକୁ କହିଛି । ସାନବୋହୂଙ୍କ ସାଥିରେ ରବିର ମନୋମାଳିନ୍ୟ କଥା । ସେ କଥାକୁ ତମେ କ’ଣ ସାନବୋହୂଙ୍କୁ ପଚାରିନଥିଲ । ବୁଝି କିଛି କ’ଣ ମୋତେ କହିବାର ନ ଥିଲା ।

 

–କ’ଣ ଆଉ କହିଥାଆନ୍ତି ତମକୁ ।

 

ଉଷାକୁ ପଚାରିଥିଲି । ସେ ମୋ କଥା ଶୁଣି ଉତ୍ତରରେ କହିଲା–

 

–ମୁଁ ତମ କଥା କିଛି ବୁଝିପାରୁନି ଅପା, ଆମ ମଧ୍ୟରେ ଯେଉଁ ଅସହଯୋଗର ଆନ୍ଦୋଳନ ଦେଖାଦେଇଛି ବୋଲି ତମେ ଭାବିଛ–ମୋତେ ତାହା ଅବାନ୍ତର ପରି ଲାଗୁଛି । ବୃଥା ଚିନ୍ତା ମୁଣ୍ଡରେ ପୂରାଇ ଲାଭ ନାହିଁ ଅପା ।

 

–କହୁନା ଉଷାଠାରୁ ଏ କଥା ଶୁଣିଲା ପରେ ମୁଁ ଆଉ କ’ଣ ତାଙ୍କଠାରୁ ବୁଝିବାକୁ ଚେଷ୍ଟା କରିଥାଆନ୍ତି । ଏଥର ମୋ ଦ୍ୱାରା ହେବନି ବୋଲି ମୁଁ କହୁଛି । ବରଂ ତମେ ଚେଷ୍ଟା କର ।

 

–ତମେ କ’ଣ ତମର ମୁଣ୍ଡ ଗୋଳମାଳଟାକୁ ନିଜେ ବୁଝିପାରୁନ ଆଜି । ତମର ସ୍ୱାମୀଙ୍କୁ ଆହୁରି ଥରେ ତମମାନଙ୍କର କଥା ବୁଝାଉଛ । ଚାଳିଶ ବର୍ଷ ହେଲା ଏ ପରିବାରର ସମ୍ପର୍କ ସହିତ ଜଡ଼ିତ ରହିଲା ପରେ ଆଜି ପୁଣି ମୋତେ ବୁଝିବାକୁ ପଡ଼ିବ । ସାନବୋହୂଙ୍କ ଠାରୁ ତମେ କିଛି ବୁଝିପାରିଲ ନାହିଁ ।

 

ସ୍ୱାମୀଙ୍କର କଥାରେ ନମିତା ଟିକିଏ ଦୁଃଖାତୁରା ହୋଇ କହିଥିଲେ, ‘‘ତୁମେ ଯେଉଁ କଥାଗୁଡ଼ା କୁହ ଅଭିଲା କଥା । ତମ କଥାଗୁଡ଼ା ମୋତେ କାହାଣୀ ଭଳି ଲାଗୁଛି । ଦିନସାରା ତ କଲମରେ ଏକ ଦୁଇ ମିଶାଇ ମିଶାଇ ନିରାଶରେ ଫେରୁଛ । କାନ୍ଥ, ବାଡ଼, ଟେବୁଲ, ଚେୟାର ଓ କାଗଜ ଏମାନଙ୍କ ସହିତ ଗପିପାରୁନା । ଶେଷରେ ମୋ ପାଖକୁ ଆସିଲ ଗପ କରିବାପାଇଁ......’’

 

ସାନବୋହୂ ପାଖକୁ ରବି କ’ଣ ଚିଠି ଲେଖଲା, ସେ କଥା ଫେରେ ମୋତେ ଜାଣିବାକୁ ହେବ । ଏତେ ଦିନଧରି ଛୋଟରାୟ ଘରର ବୋହୂ ହୋଇ ହେଲାନି । ଏ ବୁଢ଼ୀ ବୟସରେ ଏତେଗୁଡ଼ିଏ କଥା କ’ଣ ମୋହରି ମୁଣ୍ଡକୁ । ଫେରେ ସ୍ତ୍ରୀ ପାଖକୁ ସ୍ୱାମୀର ଚିଠି ।

 

କହୁନା, ସେ କ’ଣ କହିଥାଆନ୍ତା ? ମୋ କଥାରୁ କ’ଣ ମୁଁ ବୁଝିନି ନାଁ ଚିଠି ଦେଇନି ।

 

ନମିତାଙ୍କ କଥାକୁ ଆକଟ କଲେ ବଙ୍କିମ ବାବୁ । ସବୁତ ବୁଝିପାରୁଛ କହି ବି ପାରୁଛ, ହେଲେ ଦୁହିଁଙ୍କ ମଧ୍ୟରେ ଯେଉଁ ମନୋମାଳିନ୍ୟ ଦେଖାଦେଇଛି, ସେ କଥା କିପରି ଜାଣି ନ ପାରିଲ ତୁମେ । ତୁମେ ଜାଣ, ରବି ତୁମକୁ ଭାଉଜ ବୋଲି ଜାଣେନା । ବିଭାଘର ପରେ ତା’ ମନ କାହିଁକି ଆନ୍ଦୋଳନ କରିଉଠିଥିଲା । ସେ କଥା କ’ଣ ତୁମର ବୁଝିବାକୁ ନ ଥିଲା ? କୁହ, କିଏ ବୁଝି ଥାଆନ୍ତା-?? ଏଥର ଯାଅ, ବୁଝିବାକୁ ଚେଷ୍ଟା କର ।

 

ରବି ଡାକ୍ତର, ତା’ର ବାହାରେ ବହୁତ ସମ୍ମାନ ଅଛି । ଏମିତି କଣ୍ଟକିତ ପରିବାର ମଧ୍ୟରେ ତାକୁ ପଶିବାକୁ ଦିଅନା । ତା’ ମନର କଞ୍ଚାଫଳ ଦଣ୍ଡକେ ପଚି ସଢ଼ି ନଷ୍ଟ ହୋଇଯିବ ।

 

ସବୁ ଯୁଦ୍ଧର ସମାପ୍ତି ହୋଇପାରେ, କିନ୍ତୁ ମନ ମନ ମଧ୍ୟରେ ଯେଉଁ ଯୁଦ୍ଧ ହୁଏ, ତାହାର ସମାପ୍ତି ହୁଏ ଖୁବ୍‌ ଡେରିରେ ।

 

ସ୍ୱାମୀଙ୍କ ଠାରୁ ଏମିତି ଅନେକ କଥା ଶୁଣିଲା ପରେ ନମିତା ରୋଷେଇ ଘରକୁ ପଶିଯାଇ ସାନବୋହୂ ଉଷାକୁ କହିଲେ–ତୋ’ପାଇଁ ମୋ ପିଠିରେ ଚାବୁକ ବସୁଛି ଲୋ ଉଷା । କଥା କହିଲେ କଥାର ମର୍ମ ସତରେ କିଏ ବୁଝୁଛି । ରବିର ଆଉ ତୋର ମନୋମାଳିନ୍ୟକୁ ଦେଢ଼ଶୁର କେବେ ଭଲ ମନେକରୁନାହାନ୍ତି । ରବିର ଚିଠି ଦେବା କଥା ତୋତେ ପଚାରିଲି । ରବି ତୋ ପାଖକୁ କ’ଣ ଲେଖିଛି ଲୋ ଉଷା । ତୋ ସହିତ ତା’ର ଏପରି ମନଭାବ କାହିଁକି ? ମୁହଁ ମୋଡ଼ିଦେଇ କହିଲୁ, ଏଗୁଡ଼ାକ ବାଜେ କଥା, ସେଥିରୁ ମୁଁ ବିନ୍ଦୁବିସର୍ଗ ଜାଣେନା ।

 

ତୁ ପାଠ ପଢ଼ିଛୁ ଯେତେବେଳେ ବୁଦ୍ଧି ବିବେକ ତୋର ଅନେକ । ସାଇନ୍‌ସରେ ଅନର୍ସ ହେଲେ ବି ବୁଦ୍ଧିହୀନା ମୂର୍ଖ ଯାଆଟାକୁ କଥା କହି ଭୁଲାଇ ଦେଲୁ । କିନ୍ତୁ ଭାଇଙ୍କୁ ଜାଣୁତ । ଠିକ୍‌ ବାଟକୁ ନ ଆସିଲାଯାଏ କାହାକୁ ଛାଡ଼ନ୍ତି ନାହିଁ ।

 

ବଡ଼ ଯାଆଙ୍କ କଥାରେ ଜଳି ଯାଇଥିଲେ ଉଷା । ବିବ୍ରତି ମସ୍ତିଷ୍କଟା ହଠାତ୍‌ କାଁ ଭାଁ ହୋଇ ଉଠିଥିଲା ତାଙ୍କର । ଜବାବ ଦେଇ କହିଲେ ।

 

ଏସବୁ କ’ଣ ଗପୁଛ ଅପା, ପାଠ ପଢ଼ି ଅନର୍ସ ପାଇଛି । ହେଲେ ସଂସାର ପାଇଁ ନୁହେଁ ତ । ତମେ ଯଦି ମୋ କଥା ବିଶ୍ୱାସ ନ କରୁଛ ତା’ହେଲେ ନିଅ ତୁମ ଦିଅରଙ୍କ ଚିଠି । ଉଷା, ଧସ ଧସ ହୋଇ ତାଙ୍କର ଶୋଇବା ଘରକୁ ପଶିଯାଇଥିଲା । ସ୍ୱାମୀଙ୍କ ଠାରୁ ଆସିଥିବ ଚିଠିଟା ନମିତାଙ୍କ ହାତରେ ଦେଇ କହିଥିଲା–ତମେ ପଢ଼ ଆଉ ଭାଇଙ୍କୁ ପଢ଼ାଅ ଆଉ ଆମ ମନ ମଧ୍ୟରେ ଯେଉଁ ଯୁଦ୍ଧ ଚାଲିଛି ତା’ର ମୀମାଂସା କର ।

 

ଉଷାର ଧସ ଧସ ହୋଇ ଘରକୁ ପଶିଯିବା, ଆଉ ଚିଠିଟା ଆଣି ନମିତାଙ୍କ ହାତରେ ଦେଇ ଯେଉଁ ପ୍ରକାର ଭାଷା ପ୍ରୟୋଗ କରିବା ସେ କଥା ଦୀର୍ଘ ତିରିଶ ବର୍ଷିୟା ଛୋଟରାୟ ଘରର ବୋହୂ ନମିତାଙ୍କ ପକ୍ଷେ ଘୋର ଅସମ୍ମାନ ହୋଇଥିଲା । ସେ ସାନ ଯାଆ ଉପରେ ବିରକ୍ତ ନ ହୋଇ ଭାଗ୍ୟର ଜଳନ୍ତା ନିଆଁକୁ ଲିଭାଇ ଦେବା ପାଇଁ ସ୍ୱାମୀଙ୍କ ପାଖରେ ବଡ଼ ପାଟିରେ କହିଥିଲେ–

 

ତମେ ଭାବନା, ତୁମ ସ୍ତ୍ରୀ ଯେପରି ବୁଦ୍ଧିହୀନ ଆଉ ତୁମେ ବି...

 

ଛୋଟରାୟ ଘରର ବୋହୂ ଅନର୍ସ ପାଇ ଆସିଛନ୍ତି । ତାଙ୍କ ମୁହଁରେ ତମେ ଉତ୍ତର ଦେବ ଯେବେ ତମେ ତା’ହେଲେ ତିନି ତୁଠରେ ପାଣିପିଇ ଶିଖିବାର ଥିଲା । ଭାଇ, ଭାଇବୋହୂଙ୍କର ମନୋମାଳିନ୍ୟ ବରଂ ନଥାଉ; କିନ୍ତୁ ଘରର ମେରୁଦଣ୍ଡ ହିସାବରେ ଆଗରୁ ହୁସିଆର ହେବାକୁ ହେଉଛି ତୁମକୁ । ବାରମ୍ୱାର ମୁଁ କହିଲି, ଉଷାକୁ ମୁଁ ଆଉ କାହା କଥା ବୁଝିପାରିବି ନାହିଁ କି କାହାଠାରୁ ଏମିତି କଥା ଶୁଣିପାରିବି ନାହିଁ । ଏଥର ତମେ ବୁଝ । ଚିଠିଟା ସ୍ୱାମୀଙ୍କ ନିକଟକୁ ପକାଇଦେଇ ନମିତା ପଳାଇ ଆସିଥିଲା ।

 

ରୋଷାଇଘରେ ଉଷା ରୋଷାଇ କରୁ କରୁ ଶୁଣୁଥିଲା ସବୁକଥା । ଆଉ ଶୁଣିପାରିବି ନାହିଁ । ନୂଆ ହୋଇ କେଇଦିନ ହେଲା ଏ ଘରକୁ ଆସିଛି । ଆଜି ଏତେକଥା ଶୁଣିବାକୁ ହେଲାଣି । ଆହୁରି ଦିନ କାଳ ଆସୁଛି, ଆଖିର ଲୁହକୁ ବସି ବସି ପୋଛିଲା ନିଜର ପଣତ କାନିରେ ।

 

ରାତି ସାଢ଼େ ଏଗାରଟା ବେଳକୁ ଦୁଇଟା କ’ଣ ଖାଇଦେଇ ଶୋଇଲେ ବଙ୍କିମ ବାବୁ । କିନ୍ତୁ ନମିତା ଓ ଉଷା ନ ଖାଇ ଶୋଇବାକୁ ଯାଇଥିଲେ ସେଦିନ । ଭାତ ହାଣ୍ଡିରେ ଭାତ ସେମିତି ଶୁଖି ପାଣି ହେଉଛି । ସାନବୋହୂ ଉଷାଙ୍କ ଆଖିରେ ସେମିତି ବି ପାଣି ଝରୁଛି ।

 

ସେ ଘରେ ଦେଢ଼ଶୁର ଆଉ ଯାଆଙ୍କ ମଧ୍ୟରେ ବି ଯୁକ୍ତିର ସୂତାଖିଅ ଚାଲିଛି ଲାଗି ଲାଗି-

 

ତମେ ତା’ହେଲେ ସାନବୋହୂକୁ ବୁଝାଇ ପାରିଲ ନାହିଁ । ଉଷା ସିନା ପାଠପଢ଼ି ଅନର୍ସ ପାଇଛନ୍ତି, ହେଲେ ତମପରି ତ ପରିବାର ବିଦ୍ୟାରେ ଅନର୍ସ ପାଇ ନାହାନ୍ତି । ତମେ ତାଙ୍କଠାରୁ ବଡ଼-। ବଡ଼ କ’ଣ ଏତେ ଶୀଘ୍ର ସାନମାନଙ୍କ ମୁହଁରେ ନିଆଁ ଜାଳିଦେଲେ ଚଳିବ । ତମର ବୁଝାଇ ଅନେକ କିଛି କହିବାକୁ ଥିଲା ତାଙ୍କୁ । ସାନବୋହୂ ଯେତେବେଳେ ପାଠ ପଢ଼ିଛନ୍ତି ସେ ନିଶ୍ଚୟ ବୁଝି ଥାଆନ୍ତେ । ଆସିଲା ଦିନଠାରୁ ତ ସେ ତମ ଗୋଡ଼ରେ ବାଟ ଚାଲୁଛନ୍ତି । ତମେ ତାଙ୍କୁ ବୁଝିଲା ଭଳିଆ କଥା କହିଲେ, ସେ ନିଶ୍ଚୟ ତମ କଥା ବୁଝିବେ । ତମେ ତାଙ୍କୁ ଉପଯୁକ୍ତ କଥା କହି ବୁଝାଇ ପାରୁନା ବୋଲି, ତମ ମନରେ ସନ୍ଦେହ ହେଉଛି । ତେଣୁ ସବୁବେଳେ ତାଙ୍କ ଉପରେ ଜଳୁଛ । ସାନବୋହୂଙ୍କର କଥାଗୁଡ଼ା ଏମିତି ହୋଇଥିବ ବୋଲି ମୋର କାହିଁକି ବିଶ୍ୱାସ ହେଉନି ।

 

ସ୍ୱାମୀଙ୍କ ଠାରୁ ଏପରି କଥା ଶୁଣି, ନମିତାଙ୍କ ମନରେ ଅସଲ କଥାଟା ଗୁଞ୍ଜରି ଉଠିଲା ।

 

ସାନବୋହୂ ଉଷା ପାଠ ପଢ଼ିଛି । ସାଇନ୍‌ସରେ ଅନର୍ସ ପାଇଛି ବୋଲି ତା’ ସହିତରେ କଥା ହେବାକୁ ବାସ୍ତବିକ ଡର ଲାଗେ । ତା’ର ଯୁକ୍ତିକୁ ମୁଁ ଠିକ୍‌ଭାବେ ଅନୁଭବ କରିପାରେନା । ତେଣୁ ତା’ ଭାଷାଗୁଡ଼ା ମୋତେ ଜଳାଇ ଦିଏ । ତଥାପି ମୁଁ ତା’ଠାରୁ ବଡ଼ ଏବଂ ସମ୍ମାନୀୟା । ସେ ତା’ର ଅନର୍ସକୁ ବାଦ ଦେଇ ଏ ଘରେ ଚଳିବାର କଥା । ଜ୍ଞାନ କେବେ ହାଣ୍ଡିଶାଳ ଆଉ ଢେଙ୍କିଶାଳରେ ଦେଖାଇ ହୁଏନି ।

 

ସ୍ୱାମୀଙ୍କ ଠାରୁ ଏତେଗୁଡ଼ାଏ କଥା ଶୁଣିଯାଇ ବଙ୍କିମ ବାବୁଙ୍କ ଧର୍ମପତ୍ନୀ ନମିତା ମୁଖରେ ଗୋଟାଏ ସ୍ଥମିତରେଖା ଟାଣି ଦେଇ କହିଲେ, ଛୋଟରାୟ ଘରର ବୋହୂ ହୋଇ ସମସ୍ତ କାମରେ ନିୟୋଗ କରି ମୋତେ ମାରିଦେବ ନା କ’ଣ ? ଅନେକ ଦିନର ଆଶାକୁ ଖାଲି ସାନ୍ତ୍ୱନା ଦେଇ ବଞ୍ଚାଇ ରଖିବାକୁ ଚାହୁଁଛ ମୋତେ ।

 

ଦେହ ଆଉ ମନକୁ ତ ତମେ ଦିନେ ଚାହିଁଲ ନାହିଁ । ମୋତେ ଆଶା ରଖି କହିଲ ସେଦିନ, ରବି ଡାକ୍ତର ହେଲେ ମୁଁ ତାକୁ ବିବାହ ଦେବି । ବିବାହ ପରେ ସାନବୋହୂ ତ ତମର କାମତକ କରିବ । କେବଳ ବାବୁନିର ଦାୟିତ୍ୱ ରହିବ ତମ ଉପରେ ।

 

ବିଭାଘର ସରିଲା । ଟଙ୍କା କାଗଜ ହୋଇ ଉଡ଼ିଲା । ରବିର ବିଭାଘର ପରେ ତୁମ ପାଖରେ ଟଙ୍କା ଥିଲାକି ? ପଚାରି ଥିଲି । ତମେ କହିଲ–

 

ଖାଇବା ପିଇବା ଓ ପିନ୍ଧିବାରେ ତୁମର ଅଭାବ ହୋଇନି ତ ? ବାବୁନିର ହରଲିକ୍‌ସର ଅଭାବ ହୋଇନି ତ । ତେବେ ଟଙ୍କା ଆଉ ପାସ୍‌ବୁକ ମାଗିବାରେ ତମର କି ଅଧିକାର ଅଛି ।

 

ତିରିଶ ବର୍ଷ ଯେତେବେଳେ ଛୋଟରାୟ ଘରର ବୋହୂ ହୋଇ ତୁମ ଦେହରେ ଦେହ ହୋଇ ଚଳି ଆସିଲି । ମୁଁ କ’ଣ ତୁମର କେହି ନୁହେଁ ଭାବୁଛ । ତମ ରୋଜଗାରରେ ମୋର କ’ଣ ଭାଗନାହିଁ । ତା’ହେଲେ ମୁଁ କ’ଣ ଖାଲି ସନ୍ତାନର ଜନନୀ ହେବାକୁ ଏ ଘରକୁ ଆସିଥିଲି ?

 

ତମେ ସେଦିନ ମୋ ଉପରେ ରାଗି ନ ଥିଲ । ନୀରବରେ ଦନେଇ ସାଙ୍ଗରେ ବଜାରକୁ ବାହାରି ଯାଇଥିଲ ତୋଖନାରେ । କିନ୍ତୁ ମୁଁ ଭଲକରି ଜାଣିଲି ତୁମେ ମୋ ଉପରେ ରାଗିଛ । ନହେଲେ ସେଦିନ ପେଟଟା ଗୋଳମାଳ ହେଉଛି ବୋଲି କହି ଖାଇଲ ନାହିଁ କାହିଁକି ?

 

ମୁଁ ତୁମର ସ୍ତ୍ରୀ । ସ୍ତ୍ରୀ ହୋଇ ସ୍ୱାମୀଙ୍କର ଉପବାସଟାକୁ ଯେ ଆନନ୍ଦରେ ଗ୍ରହଣ କରିନେବି, ସେ କଥା ନୁହଁ । ପୁଣି ଚେଷ୍ଟା କଲି । ହାତଧରି ଟାଣିଲି । ତଥାପି ତମ ମନ କ’ଣ କେଜାଣି, ମୋ’ପାଇଁ ତମ ମନ କଣିକାଏ ବି ଚହଲିଲା ନାହିଁ । ଶେଷରେ ମୋ ଆଖିରେ ଲୁହ ଆସିଲା । ମୋ ଆଖିରେ ଲୁହ ବୋଧେ ତୁମ ମନର ରାଗକୁ ଧୋଇନେଇ ଚାଲିଗଲା । ଗର ଗର ହୋଇ ତୁମେ କହିଲ । ଚାଲ, ଚାଲ ଦିନେ ଅଧେ ତୁମେ ଦେହର ଭଲମନ୍ଦ ବୁଝିବ ନାହିଁ । ମୁଁ ଜାଣେ । ପେଟ ଯାହା ହେଉ ତେଣିକି......ଉଠି ଆସିଲ ।

 

ଖାଇବାକୁ ଦେଲିସିନା, ମୋ ମନ କଥାଟା ସେଦିନ ବୁଝିନଥିଲ ତୁମେ କି ଭାବିଲ ନାହିଁ-

 

ଆଜି ତମର ବୟସ ତ ବେଶୀ ହୋଇନି । ଚାକିରି ଛାଡ଼ି ବସିବାଟାକୁ ତମେ ଭଲ ବୋଲି ଗ୍ରହଣ କରିନେଲ ।

 

ରବି ଡାକ୍ତର ।

 

ଅନେକ ଟଙ୍କା ରୋଜଗାର କରୁଛି ସେ । ରବି କହିଲା ଭାଇ, ଆପଣ ଆଉ ଚାକିରିକୁ ଯାଆନ୍ତୁ ନାହିଁ । ଅନେକ ଖଟିଲଣି । ଖଟି ଖଟି ଯାହାକୁ ରଖିଛନ୍ତି ସେ କ’ଣ ଶେଷ ପର୍ଯ୍ୟନ୍ତ ଆପଣଙ୍କୁ ଚଳାଇ ନେବନି ।

 

ରବି ତମକୁ ପୋଷିବ, ଏ ଚିନ୍ତା କରି ସେଦିନ ତା’ କଥାରେ ତମେ ବଦଳିଗଲ । ଚାକିରି ଛାଡ଼ିଲ । ଆଜି କିଏ ବୁଝୁଛି ତୁମ କଥା । ଭିତରେ କିଛି ଗୋଟାଏ ନ ହୋଇଥିଲେ, ବାପା ଆସିନଥାନ୍ତେ ଉଷାକୁ ନେଇ ଯିବାକୁ । ରବି ଲେଖିଥିବ ନହେଲେ ତମ ଅନିଚ୍ଛାରେ ମୁଁ ତ କେବେ ବାପଘରକୁ ପଳାଇ ଯାଇନି । କିନ୍ତୁ ଉଷା ଗଲା କିପରି ? ପାଠ ପଢ଼ିଛି ଯେତେବେଳେ ସେ ଭାବି ନେଇଛି ତା’ର ବୁଦ୍ଧିବୃତ୍ତି ଅନେକ । ତମଠାରୁ ସେ ଅନେକ ଉଚ୍ଚ କୋଟିର ଶିକ୍ଷାଲାଭ କରିଛି । ତମେ ବୋଧେ କୌଣସି ବାବଦରେ ଯୁକ୍ତି ଦେଖାଇ ପାରି ନଥାଆନ୍ତ–ସାନବୋହୂ, ତମେ ତମର ପିତା ଘରକୁ ଯିବା ଉଚିତ ନୁହଁ ବୋଲି ।

 

ନମିତାଙ୍କ ଠାରୁ ଏମିତି ଅନେକ କଥା ଶୁଣି ଶୁଣି ବଡ଼ ବିଚିତ୍ର ହୋଇପଡ଼ିଲେ ବଙ୍କିମ ବାବୁ । ତାଙ୍କ ମୁଖରୁ ମଧ୍ୟାହ୍ନର ସୂର୍ଯ୍ୟ ଧୀରେ ଧୀରେ ଅପସରି ଗଲା । କଥା କହିଲାବେଳେ ମୁଖରୁ ଜଳ ମିଶ୍ରିତ ସ୍ୱର ଆଉ ବିକଶିତ ହେଉନଥିଲା । ଶୁଷ୍କ କଣ୍ଠରେ ସ୍ତ୍ରୀ ନମିତାକୁ କହିଲେ ।

 

ତମେ ଯାହା କହୁଛ ମୁଁ ବୁଝୁଛି । ତଥାପି ସାନବୋହୂ ଯେତେବେଳେ ତାଙ୍କର ବିଦ୍ୟାତ୍ୱ ପେଟରେ, ଏ ଛୋଟରାୟ ଘରର କଥାକୁ ସଙ୍କୁଚିତ କରି ନେବାକୁ ଚାହିଁଲେନାହିଁ । ସେତେବେଳେ ଛୋଟରାୟ ଘରର ପେଟ ମଧ୍ୟରେ ଲୁଚାଇ ନେବାକୁ ତମର ସ୍ୱାମୀ କାହିଁକି ଚାହିଁ ଥାଆନ୍ତେ ତାଙ୍କୁ । ମୁଁ କ’ଣ ତାଙ୍କ ପିତା ଘରକୁ ସାନବୋହୂଙ୍କୁ ବିଦା କରିଦେବାକୁ ଚାହିଁଥିଲି ? ସେଦିନ ମୁଁ ମନା କରି କହିଥିଲି ।

 

ସାନବୋହୂଙ୍କୁ ଏ ଘରେ ଅସୁବିଧା କ’ଣ ହେଲା । କ’ଣ ପାଇଁ ଆଜି ସେ ତାଙ୍କ ଘରକୁ ଯିବାପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ମୁଁ ମନା କରୁଛି, ସାନବୋହୂକୁ, ସେ ଯାଅନ୍ତୁ ନାହିଁ । ଏ କଥା କ’ଣ ତୁମେ ଶୁଣିନା ।

 

କିନ୍ତୁ କ’ଣ ହେଲା ସେଦିନ । ସେ କ’ଣ ମୋ ମନକଥା ବୁଝିପାରିଲେ । ସେ ଘର କଣରେ କାନ୍ଦିବାକୁ ଆରମ୍ଭ କଲେ । ଜଣଙ୍କ ମନରେ ଦୁଃଖଦେଇ ମୁଁ କ’ଣ ଆନନ୍ଦ ପାଇଥାଆନ୍ତି । ସେ କଥା ତମେ ଜାଣିପାରିଥିବ । ତମେ ଯେପରି ଭାବୁଛ ରବିର ଅନୁମତିକୁ ଯେବେ ସାନବୋହୂ ଅପେକ୍ଷା କରିନଥିଲା । ଛଅ ମାସ ମଧ୍ୟରେ ତାଙ୍କ ବାପା ତ ଅନେକ ଥର ଆସିଥିଲେ । ଆଜି ମୋ’ର ଅନିଚ୍ଛାସତ୍ତ୍ୱେ ସେ ବାହାରିଛନ୍ତି । କାରଣଟା ତମଭଳି ମୁଁ ମଧ୍ୟ ଠିକ୍‌ ବୁଝିଛି । ମନା କରିଦେବାକୁ ମୋର ଉପାୟ ନଥିଲା ।

 

ଯାହାକୁ ଯେଉଁଟା ଭଲ ଲାଗିଲା ସେ ସେୟା କରୁ । ହେଲେ ଆମ କଥାକୁ କିଏ ବୁଝିବ-। ତମର ଚାକିରି ନାହିଁ । ବାବୁନିର ଅସୁବିଧା ସହିତ କୁରୁତା ଓ ପ୍ୟାଣ୍ଟ ନାହିଁ । ମୂଲିଆର ବାକି ଖାତାରେ ଯେଉଁ ହଜାରେ ଟଙ୍କା ରହିଲା, ସେଥିରୁ ଦଶଟା ଟଙ୍କା ବି ଅସୁଲ ହେଲାନାହିଁ । ଫଗୁଆ ଆମ କଥା ବୁଝିପାରୁଛି ବୋଲି ସେ ମାଗିବାକୁ କୁଣ୍ଠିତ । କିନ୍ତୁ ତାହାର, ପୁଅକୁ ଧରି ତା’ର ସ୍ତ୍ରୀ ଯେତେବେଳେ ଆସି ବାରି ଦରଜାରେ ବସି ପରିବାରର ଅଭାବ ଅନାଟନ କଥା ଗପ କରୁଛି, ତା’ର ଉଦ୍ଦେଶ୍ୟ କ’ଣ ତୁମେ ବୁଝିପାରୁନଥିବ ।

 

ସେତେବେଳେ ତା’ ପରିବାରର ଦୁଃଖ ଦୁର୍ଦ୍ଦଶାକୁ ମୋ ପାଖରେ ବୁଢ଼ୀ ମାଆର ଗପ କଲାପରି ଶୁଣାଏ । ତା’ କଥା ଶୁଣି, ମୋ ମନର ସୂକ୍ଷ୍ମ ତନ୍ତ୍ରୀଗୁଡ଼ା ଛିଡ଼ି ଏଣେତେଣେ ଖେଳିଯାଏ । ରବି କ’ଣ ଆମ ଉପକାରକୁ ଏଇ ନିମ୍ନ ଜାତି ଲୋକଙ୍କ ଦ୍ୱାରା ପ୍ରତିଶୋଧ ନେବାକୁ ଚାହିଁଥିଲେ ।

 

ସେତେବେଳେ ମୋ ଆଖିରେ ଲୁହ ଆସେ । ଛୋଟ ଜାତିର ଝିଅ ସିନା ଫଗୁଆର ସ୍ତ୍ରୀ-। ହେଲେ ଅନ୍ତର ତା’ର ଉଷାର ଅନ୍ତର ପରି ନୁହେଁ ।

 

ସେ ମୋ ଆଖିର ଲୁହ ଦେଖିଲେ ତା’ର ଛୋଟ ପ୍ରାଣଟି ନୈରାଶ୍ୟରେ ଚହଲାଇ ଦିଏ ମୋ’ପାଇଁ । ମୁଁ ବୁଝିପାରେନା । ସନ୍ଦେହରେ ମୋ ଆଖି ଦୁଇଟା ତା’ ଆଖି ଓ ମୁହଁକୁ ବାରମ୍ୱାର ଚାହେଁ । ମୋ ଆଖିର ଲୁହ କ’ଣ ମନା କରିଦିଏ ତାକୁ । ତୁ ଆଜି ଯାଆ ମା, ପରିସ୍ଥିତି ଆମର ବଦଳିଲେ ତୋ ପଇସା ଆମେ ରଖିବୁ ନାହିଁ । ତୋ ସାଆନ୍ତକୁ ତୁ କ’ଣ ଚିହ୍ନିନୁ । କିଛି ନକହି ସେ ଚାଲିଯାଏ । ଗଲାବେଳେ ମୋ ବାବୁନିକୁ କାହିଁକି ବାରମ୍ୱାର ଫେର୍‍ ଚାହେଁ ।

 

ମୋ ବାବୁନି ତା’ ପୁଅଠାରୁ ସୁନ୍ଦର ଦେଖାଯାଉଛି । ପୁରୁଣା ହେଲେବି ସେ କୁରୁତା ଦିଖଣ୍ଡ ତାକୁ ବେଶ୍‍ ମାନୁଥିଲା । ସେ ଭାବେ ବାବୁଙ୍କ ଉପରେ ମୋର ପଇସା ପଡ଼ିଛି । ସେମାନେ କ’ଣ ଖାଉ ନାହାନ୍ତି । ତାଙ୍କ ପିଲାଏ କ’ଣ ଉପାସ ରହୁଛନ୍ତି ନାଁ ସେମାନଙ୍କ ଅସୁବିଧା କେବଳ ମୋରିପାଇଁ ।

 

ଫଗୁଆ ସ୍ତ୍ରୀ ଚାଲିଯାଏ । ବାବୁନିକୁ ଚାହିଁଦେଲେ ମୋ ଆଖିରୁ କାହିଁକି ଅମାନିଆ ଲୁହ ଝରିଯାଏ । ସେ କଥା କ’ଣ ତମେ ଥରେ ବୁଝିବାକୁ ଚେଷ୍ଟା କରିଛ ?

 

ସେତେବେଳେ ସ୍ତ୍ରୀଙ୍କ କଥାକୁ ବଙ୍କିମ ବାବୁ ନିଶ୍ଚୟ ବୁଝିସାରିଥିଲେ । ସେଦିନ ସେ ଆଉ ଉତ୍ତର ଦେଇପାରିନଥିଲେ । କହିଥିଲେ......ତମେ ଚା’ କପେ ଆଣ ? ମୁଁ କୁଆଡ଼େ ଯିବିନା, ସେଇ ପୁରୁଣା କଥାକୁ ପୋଥିକରି ତମେ ପୃଷ୍ଠା ଓଲଟାଉ ଥିବ ।

 

ସ୍ୱାମୀଙ୍କ କଥାର ଉତ୍ତର ଦେବାକୁ ସେ ପଛାଇ ନଥିଲେ । ନାଲି ଚା’ ଆଣିବି ? କ୍ଷୀର ବାଲାର ପଇସା ଅଛି, ତମେ କ’ଣ ଜାଣିନାହଁ । ସେ ଆଜି ମୁହଁଟାକୁ ଫଣ ଫଣ କରି ମୋତେ ପଇସା ମାଗୁଥିଲା । ଏମିତି ଯଦି ସେ ବାକି ଦିଏ, ତା’ହେଲେ କାଳେ ତା’ ବେପାର ବନ୍ଦ ହୋଇଯିବ-। ମୁଁ ମନା କରିଦେଲି । ବାକି ଆଉ ନଦିଅ ପୁଅ, ପଇସା ହେଲେ ତୁମକୁ ଯାଚି ଦେଇଦେବୁ-। କ୍ଷୀର ଆଉ ବାକି ମାଗିବାପାଇଁ ମୋ ମନ କାହିଁକି ଆଗେଇଲା ନାହିଁ । ପଛେଇ ଗଲା–

 

ପଛେଇ ଯିବାଟା ଠିକ୍‌ । ପଇସା ନଦେଇ ବାକି ଖାଇବାଟା ଆଦୌ ଠିକ୍‌ ନୁହଁ । ନାଲି ଚା’ ଆଉ ଆଣ ନାହିଁ । ‘‘ପଇସା ହେଲେ ଦେଖିବା ।’’ ସ୍ୱାମୀ ଚା’ ଖାଇବେ ନାହିଁ ବୋଲି ମନା କରିଦେଇ ଚୁପ୍‍ ରହିଲେ । କ୍ଷୀରରେ ଚା’ ଟିକିଏ ଖାଇବାକୁ ଭଗବାନ ତାଙ୍କୁ ସୁଯୋଗ ଦେଲେ ନାହିଁ-। ସ୍ୱାମୀଙ୍କର ଏ ଦାରୁଣ ଦୁଃଖକୁ ହୃଦୟ ମଧ୍ୟରେ ଘାଣ୍ଟି ଚକଟି ପକାଇଲା ପରେ ନମିତାଙ୍କ ଆଖିର ଲୁହ ପଳା ପଳା ଗଦା ହୋଇଯାଇଥିଲା ପିନ୍ଧିଲା ଲୁଗାରେ । ଅଭିଶପ୍ତା ପରି ସେ କହିଲେ, ରବିକୁ ଡାକ୍ତର କରିନଥିଲେ ଚା’ରେ କ୍ଷୀର ଖାଇବାକୁ । ଚାହାରେ ସେ ତୁମକୁ ବିଷ ଦେଇଛି ଆଜି ରବି-

 

ସେତକ ହେଲେ ରବି ଦିଅନ୍ତା । ମୁଁ ସେଥିରେ ଅନେକ ଆନନ୍ଦ ପାଆନ୍ତି । ତା’ଛଡ଼ା ମୋତେ ଉପାୟ କିଛି ଦେଖାଯାଉନି ନମିତା ।

 

ସେଦିନ ସ୍ୱାମୀ କାନ୍ଦୁଥିଲେ । ତାଙ୍କ ଆଖିରୁ ଲୁହ ଝରିବା ଦେଖି ନମିତା ରବିର ଡାକ୍ତର ହେବାର ମୂଲ୍ୟକୁ ପରୀକ୍ଷା କରି ବୁଝିଥିଲେ । ହଜାର ହଜାର ନାରୀର ଲୋତକରେ ସମୁଦ୍ର ସୃଷ୍ଟି ହୋଇପାରେ । କିନ୍ତୁ ଗୋଟିଏ ପୁରୁଷ ନୟନ ଲୁହରେ ଯେଉଁ ସମୁଦ୍ର ସୃଷ୍ଟି ହୁଏ, ସେ ସମୁଦ୍ରର ଢେଉ ନିଶ୍ଚୟ ଶକ୍ତିଶାଳୀ ।

 

ପଣତରେ ଆଖିର ଲୁହ ପୋଛିନେଇ ଘରକୁ ଉଠିଯାଇଥିଲେ ନମିତା । ଚା’ରେ ବାବୁନିର ଗ୍ଳାକ୍ସୋ ଦେଇ, ସ୍ୱାମୀଙ୍କ ନିକଟରେ ଥୋଇଥିଲେ ନମିତା । ନମିତାଙ୍କ ଠାରୁ ଚା’ କପ୍‍ଟି ଗ୍ରହଣ କଲାବେଳେ ଦୁଃଖରେ ପ୍ରାଣ ବିଗଳିତ ହୋଇଉଠିଥିଲା ବଙ୍କିମ ବାବୁଙ୍କର । କପ୍‍ଟିରୁ ଚା’ ତକ ଶେଷକରି ସ୍ୱାମୀ କାହିଁକି ବାରମ୍ୱାର ଝରକାଦେଇ ପଦାକୁ ଚାହୁଁଥିଲେ । ସେତକପାଇଁ ଅପେକ୍ଷା କରିଥିଲେ ନମିତା ।

 

ନମିତା ତାଙ୍କ ପାଖରେ ଥିବାର ଦେଖି ବଙ୍କିମ ବାବୁ ମନର ନିଶ୍ଚିତ କଥାଟାକୁ ସମ୍ପୂର୍ଣ୍ଣ କରିପାରୁନଥିଲେ । ନମିତାକୁ ଦିନେହେଲେ ବି ପାଖରୁ ଛାଡ଼ିବାକୁ ସେ ଭଲ ପାଅନ୍ତି ନାହିଁ । ପାଞ୍ଚ ମିନିଟ ପାଇଁ ନମିତାକୁ ଘରକୁ ଯିବାପାଇଁ କହି ବଙ୍କିମ ବାବୁ ବାହାରକୁ ଚାଲି ଯାଇଥିଲେ ।

 

ଅଣ ଉହାଡ଼ରେ ନମିତା ଚାହିଁ ରହିଥିଲେ, ଖମାର ଘରର ପୂର୍ବପଟ ନିମଗଛ ମୂଳକୁ । ନିମ ମୂଳେ ଆଉ ଜଣେ ଭଦ୍ରଲୋକ, କଥାବାର୍ତ୍ତାର ଅବସ୍ଥା ସେତେ ସ୍ୱାଭାବିକ ନୁହଁ । ଗୁରୁତର ହୋଇନଥିବ ନିଶ୍ଚୟ । ତିରିଶ ବର୍ଷର ଛୋଟରାୟ ଘରର ବୋହୂ ହୋଇ ସ୍ୱାମୀଙ୍କର ଏପରି ଗତିବିଧି ଦେଖି ଦୂରରେ ଥାଇ କଳ୍ପନା ବି କରିନଥିଲେ ଆଉ । ଭଦ୍ରଲୋକକୁ ଏହି ଘରର ଟେବୁଲ ଚେୟାରଦେଇ ଉଚ୍ଚକୋଟିର ସମ୍ମାନ ଦିଆଯାଉଥିଲା ଦିନେ । କିନ୍ତୁ, ଆଜି ଖମାରିର ପୂର୍ବପଟ ନିମ୍ୱ ମୂଳେ....

 

ଅଭାବ ମଣିଷର ସର୍ବନାଶ କରେ ବୋଲି ସେଦିନ ନମିତା ବୁଝିପାରିଥିଲେ ।

 

ତା’ପରେ ନମିତା ଫେରିଆସିଥିଲା ଘରକୁ । ବାବୁନାକୁ କୁରୁତାଟା ପିନ୍ଧାଇ ଦେଲାବେଳେ ସ୍ୱାମୀ ଭଦ୍ରଲୋକଙ୍କୁ ବିଦାୟ ଦେଇ ଫେରିଆସିଥିଲେ । ଗଳା ଖଙ୍କାରଟିଏ ମାରିଥିଲେ ବଙ୍କିମ ବାବୁ, ଚାହିଁ ଦେଇ ନମିତା କହିଥିଲେ–

 

ଆଜି କାଲି ଖମାର ଘର ପୂର୍ବପଟ ନିମ୍ୱ ମୂଳେ ତମେ ଭଦ୍ରଲୋକଙ୍କୁ ଅଭ୍ୟର୍ଥନା ଦେଉଛ-। ଅଭାବଟାକୁ ତମେ ଜାଣି ଜାଣି ଜଣାଇଲଣି । ଏସବୁ ମୋତେ ଭଲଲାଗୁନି । ସ୍ୱାମୀଙ୍କ ମୁହଁରେ ଯଦିବା ଦୁଃଖର ରୌଦ୍ରତା ଥିଲା, ସ୍ତ୍ରୀଙ୍କ କଥାକୁ ଆଦୌ ଅସ୍ୱୀକାର କରିପାରୁନଥିଲେ-। ମଳିନ ମୁଖମଣ୍ଡଳରେ କେଜାଣି ବିଷଣ୍ଣ ବିଶୃତ ହସ ଝରାଇ ଉତ୍ତର ଦେଇ କହିଲେ–ବଙ୍କିମ ବାବୁ-। ଭାବ ବେଳର ଅଭ୍ୟର୍ଥନାର ସ୍ଥାନ ମୋର ବଙ୍ଗଳା । କିନ୍ତୁ ଅଭାବର ସ୍ୱାଗତିକ ସ୍ଥାନ ସେଠାରେ-। ତମେ କ’ଣ କରୁଛ ।

 

ସେଇ କଥାଟାକୁ ନମିତା ବୁଝିନପାରି ସେ ବେଳଟାକୁ ଅପେକ୍ଷା କରି ଚାପି ନେବାକୁ ମନକୁ ଜୋର୍‍ ଦେଇ ରହିଯାଇଥିଲେ ।

 

X X X

 

ବାବୁନି ଶୋଇ ପଡ଼ିଲାଣି ଅନେକ ବେଳୁ । ନମିତାଙ୍କ ଆଖିରେ ବି ସେମିତି ନିଦର ବହଳ ପରଦା ପଡ଼ି ଆସୁଥିଲା । ବୋଧେ ନମିତା ଶୋଇ ପଡ଼ିଲେ । ବଙ୍କିମ ବାବୁଙ୍କ ଆଖିରେ ଆଉ ନିଦ ନାହିଁ । ଆଲମିରା ପାଖକୁ ଉଠିଯାଇ, ତାଙ୍କର ସେ ପୁରୁଣା ଡାଏରିଟାକୁ ପାଖକୁ ଆଣି ଅନେକ ସମୟ ଖେଳାଇଲେ । ତାଙ୍କର ସେ ଛୋଟିଆ ଡାଏରିରେ ଏତେ ବଡ଼ ହିସାବ ରଖିଛନ୍ତି ବୋଲି ତାଙ୍କର ଧାରଣା ବି ନଥିଲା । ଡାଏରିର ଦାମ ମାତ୍ର ଦୁଇଟଙ୍କା ପଚାଶ ପଇସା । ତା’ ମଧ୍ୟରେ ଫଗୁଆର ହଜାର ଟଙ୍କା ପରି ଅନେକ ଏମିତି ଛୋଟ ବଡ଼ ହିସାବ । ସେଥିରେ ରବି ଡାକ୍ତର ହେବାର ଖର୍ଚ୍ଚ, ରବିର ହିସାବ କିଛିଟା ଅଛି । ତା’ଠାରୁ ପାଇେବେନା, ପାଇ ଥାଆନ୍ତେ । ଦେବେନା, ଦେଇ ଥାଆନ୍ତେ । ରବି ପାଇଁ ଏ ବି ଏକ ସନ୍ଦେହ ତାଙ୍କର । ସେ କଥାତ ଦୂରରେ । ବର୍ତ୍ତମାନ ଏଇ ବାହାର ବାକିଆର ହିସାବ ।

 

ସେ ରାତ୍ରିଟା ଏଇ ହିସାବରେ ବିତିଥିଲା ବଙ୍କିମ ବାବୁଙ୍କର । ଆଉ କିଛିଟା ବାବୁନି କିପରି ମଣିଷ ହେବ । ତା’ପାଇଁ ସେ କ’ଣ କରି ଯାଉଛନ୍ତି । ଏଇ ଚିନ୍ତାରେ–

 

ସକାଳ ହୋଇନି । ବାହାର ଦାଣ୍ଡରେ କୁଆଟା ପ୍ରତିଦିନ କା କା ହୋଇ ନମିତାଙ୍କ ନିଦ ଭାଙ୍ଗିଦିଏ । ବାସି ବାସନତକ ନମିତା କୁଅ ମୂଳେ ଥୋଇଦେଇ ଫେରିଆସିଲେ, କୁଆଟା ଚୁପ୍‍ ହୋଇଯାଏ ।

 

ସେଦିନ କୁଆଟା ରାବିବା ପୂର୍ବରୁ ବାବୁନି କାହିଁକି ରାହାଧରି କାନ୍ଦୁଥିଲା । ନମିତା ନିଦରୁ ଉଠି ନିଜ ଆଖିରୁ ବି ଲୁହ ଝରାଇ ସ୍ୱାମୀଙ୍କୁ ଡାକୁଥିଲେ ।

 

ତମେ ଉଠ, ମୋ ବାବୁନିର କ’ଣ ହେଲା ଦେଖ । ସେ କାହିଁକି ବାରମ୍ୱାର ହାତ ମୁଠା ମୁଠା କରୁଛି ।

 

ଏକଥା ଶୁଣି ବଙ୍କିମ ବାବୁ ଦଣ୍ଡେ ଘରେ, ରହିପାରିନଥିଲେ ବାବୁନିକୁ ଧରି ଡାକ୍ତରଖାନା ନେଇ ଯାଇଥିଲେ ରିକ୍‌ସାରେ । ନମିତା ଚାହିଁ ବସିଥିଲେ ବାବୁନିର ଫେରିବା ବାଟକୁ ।

 

ଦାଣ୍ଡରେ ଖରା ବଢ଼ିଲା ।

 

ବାବୁନିର ଫେରିବା ଡେରି ହେଉଥିଲା ଯେତିକି, ନମିତାଙ୍କ ଆଖିରେ ଲୋତକର ମାତ୍ରା ବଢ଼ି ବଢ଼ି ଚାଲିଥିଲା ସେତିକି ।

 

ଅଭାବ !

 

ଅଭାବ ଏ ଘରକୁ ସାରି ଦେଇଛି । ପାଖରେ ତାଙ୍କର ଗୋଟିଏ ପଇସା ନାହିଁ । ବାବୁନିର କ’ଣ ହେଲେ ସେ କ’ଣ କରିବେ ସେ ଗାଁରେ । ଛୋଟରାୟ ଘରର ବଡ଼ପୁଅ ହିସାବରେ ସେ କାହାରି ପାଖରେତ ହାତ ପତାଇ ପାରିବେନି । ତା’ହେଲେ ବାବୁନି ମୋର.... ? ସତରେ କ’ଣ ବଞ୍ଚି ପାରିବନି ? ଦାଣ୍ଡ ଦେଇ ଚଞ୍ଚଳା ଯାଉଥିଲେ । ସେତେବେଳେ ନମିତା ଡାକିଲେ, ଚଞ୍ଚଳା ଟିକିଏ ଶୁଣିବ ।

 

ଚଞ୍ଚଳା ଫେରି ଚାହିଁଥିଲା । କଥା କହି କହି ପାଖକୁ ଆସି କହିଲା, ଶୁଣିବି ନାହିଁ କାହିଁକି ଭାଉଜ । ଗରଜ ଥିଲାବେଳେ ତୁମ ପାଖରେ ମୋ ମୁଣ୍ଡ ରହିଛି । ଏଡ଼େ କଥାଟାଏ, ତମ କଥା କାଟିଦେଇ ବାଟ ଭାଙ୍ଗିଦେଇ ଚାଲିଯିବି । ତେଣିକି ଶହେ କାମଥିଲା କ’ଣ ହେଲା । ପାଖକୁ ଆସି ଚଞ୍ଚଳା ଦେଖିଲେ, ଭାଉଜଙ୍କର ଆଖି ଦୁଇଟା ନାଲି ଦେଖା ଯାଉଛି ।

 

ତମେ କାନ୍ଦୁଥିଲ । କ’ଣ ହୋଇଛି କି ଭାଉଜ ?

 

ହବ କ’ଣ ଚଞ୍ଚଳା, ଭାଗ୍ୟ ମୋର ପୋଡ଼ି ଯାଉଥିଲା ବେଳେ କୁଟାଖିଅକୁ ଆଶ୍ରା ତୁମେ-। ବାବୁନିର ମୋର କ’ଣ ହେଲା କେଜାଣି ମୁଁ ଜାଣେନା । ଭାଇତ ତୁମର ଡାକ୍ତରଖାନାକୁ ନେଇ ଗଲେଣି, ଯୁଗେହେଲା, ଏଯାଏଁ ଫେରୁ ନାହାନ୍ତି ।

 

ବାବୁନିର କ’ଣ ହେଲା ତମେ ଜାଣିନା । ବାଙ୍କୁଭାଇ ଏଇନେ ଫେରିବେନି ?

 

ପାଖରେ ପଇସା ନଥିଲେ ସବୁ କାମ ଏମିତି ହୁଏ ଚଞ୍ଚଳା । ତାଙ୍କ ପାଖରେ ଗୋଟିଏ ପଇସା ନାହିଁ । ବାବୁନିର ଦେହ ଯଦି... ?

 

ସେମିତି ଭାବନି ତମେ କାହାରିତ ଅମଙ୍ଗଳ କରିନାହଁ । ଈଶ୍ୱର କ’ଣ ସୃଷ୍ଟିରୁ ଚାଲିଗଲେ । ଏତକ କହି ଚଞ୍ଚଳା ଚାଲିଯାଉଥିଲା । ନମିତାଙ୍କ ମନର କଥାଟାକୁ ସେ ଆଉ କାର୍ଯ୍ୟରେ ଲଗାଇ ନପାରି ଚଞ୍ଚଳାକୁ ସେମିତି ବିଦାୟ ଦେଲେ ।

 

କିଛିକ୍ଷଣ ପରେ ଦନେଇବି ଆସିଲା ସେଇ ବାଟରେ, ବାବୁ ନାହାନ୍ତିକି ଅପା ?

 

ଦନେଇ ଅପା ଡାକୁଛି । ନମିତାଙ୍କ ଆସିଲା ଦିନରୁ ଥଟ୍ଟା ତାମସାରେ ଦନେଇ ବାବୁଙ୍କ ଠାରୁ ଶଳା ପଦପାଇ, ଛୋଟରାୟ ଘରର ଗୁମାସ୍ତା ପଦରେ ରହି ଆସିଥିଲା । ସେଇ ଦିନଠୁ ନମିତାଙ୍କୁ ସେ ଅପା ପଦରେ ଡାକି ଚାଲିଛି ।

 

ଆଜି ଦନେଇ ସେ ଘରର ଗୁମାସ୍ତା ନୁହଁ । କିନ୍ତୁ ମହାପ୍ରସାଦଯୋଗୁ ହିସାବରେ ବାବୁଙ୍କର ସେ ଶଳା । ସେହି ତିରିଶ ବର୍ଷର ଅପା ପଦ ଦନେଇଠାରୁ ଶୁଣୁଥିଲେ ବି, ଗାଁର ଭେଣ୍ଡିଆ ଟୋକାଟା ବୋଲି ଛୋଟରାୟ ଘରର କୁଳ ଭୁଆସୁଣୀ ହିସାବରେ ନମିତା କଥା କହନ୍ତିନି ତାକୁ ।

 

ସେଦିନର ଅପା ଡାକଟାରେ ନମିତା କାହିଁକି ତଟସ୍ଥ ହୋଇଯାଇଥିଲେ । ମନେମନେ ଭାବୁଥିଲେ ଦନେଇକୁ ମୁଖ ଟେକି କଥା କହିଦେବେ । ପାଖରେ ଟଙ୍କା ନାହିଁ । ଦନେଇ କ’ଣ ତାଙ୍କଠାରୁ ଉପକୃତ ହୋଇନି । ଛୋଟରାୟ ଘରର ପଇସାରେ ସେ କୋଠା ତୋଳିଛି । ଚାଷ ଜମି ତିରିଶ ଏକର କରିଛି । ଟଙ୍କା କେଇଟା ମାଗିଲେ ସେ କ’ଣ ମନା କରିଦେବ ।

 

ଲୁଗା ତଳେ ମୁହଁରଖି ନମିତା କହିଲେ–ବାବୁ ନାହାନ୍ତି ଦନେଇ । ତୁମ ପାଖରେ ମୋର କାମଥିଲା–

 

କାମ କ’ଣ ଆଉ, ଆସିଥିଲି ଯେ....ଦନେଇର କଥା ଶୁଣି ନମିତା ନିଜ କଥାକୁ ଚୁପ୍‍ କରିନେଲେ ନିଜ ପାଖରେ । କହୁନ କ’ଣ ଦରକାର, ପଚାରିଲେ ନମିତା ।

 

ଦରକାର କ’ଣ କି ଅପା । ବାବୁ ମୋ’ଠାରୁ ରବି ବିଭାଘର ପାଇଁ ଦୁଇ ହଜାର ଟଙ୍କା ନେଇଥିଲେ । ସୁଧକୁ ଛାଡ଼ିଦେଇ ମୁଁ ତାଙ୍କୁ ସେଇ ମୂଳ ମାଗିଥିଲି । ଜମି ଦୁଇଗୁଣ୍ଠ ରଖିବି । ହସିଥିଲା ଦନେଇ । କହିଲା ବୁଝିଲ ଭାଉଜ, ସାମନ୍ତରାୟ ଘରର ଗୁମାସ୍ତା ଥିଲେ ରଘୁ ଚଉଧୁରୀ । ଗୁମାସ୍ତା ପଦରୁ ସେ ହେଲେ ସାଆନ୍ତ । ଶ୍ରୀ ଶ୍ରୀ ରଘୁ ସାମନ୍ତରାୟ । ସେ ଘରର ଝିଅକୁ ପାପାଚାର କରି ବିଭା ହେଲେ । ସେ ଦିନର ଦିମାକ ତାଙ୍କର କହିଲେ ନସରେ । ମୋ ବାପାଙ୍କର ଯାହା ସେ ସର୍ବନାଶ କରିଛନ୍ତି ସେ କଥା ମୁଁ ଜାଣେ । ସେଦିନ ମୁଁ ପିଲାଥିଲି ଅପା । ଆଜି ସେ ଜାଣୁ, ଯେଉଁ ଲୋକକୁ କହୁଥିଲା ଛୋଟରାୟ ଘରର ବାର ଇଲତ କରି ପୋଷିହେଉଛି । ସେ ଆଜି ତାହାରିଠାରୁ ଜମି ପଟା କରିବ ।

 

ପୁଣି ହସିଲା ଦନେଇ..... ।

 

ବୁଝିଲ ଅପା ! ବାବୁଙ୍କର ତା’ର ଆଦୌ ପଡ଼େନା । ଆଗରୁ ଏଇ ଦନେଇର କଥାଗୁଡ଼ାକ ନମିତାକୁ ଅନେକ ଭଲ ଲାଗୁଥିଲା । କିନ୍ତୁ ଆଜି କାହିଁକି ତା’ ମନ ମଧ୍ୟରେ ଦନେଇ ବିରୁଦ୍ଧରେ ଗୋଟାଏ ପ୍ରତିବାଦ କରୁଛିକିଏ, ଦନେଇକୁ ବିଦା କରିଦିଅ ତୁମେ । ଛୋଟରାୟ ଘରର ଗୁମାସ୍ତା ଦନେଇ ଆଜି ଛୋଟରାୟ ଘରର ସାଆନ୍ତଙ୍କୁ କରଜ ଦେଇଛି ଦୁଇ ହଜାର ଟଙ୍କା । ତାଙ୍କ ଠାରୁ ସେ ସୁଧ ଚାହେଁନା ଆଉ କଥା କହିନଥିଲେ ନମିତା । ତମେ ଯାଅ ଦନେଇ ବାବୁନିର ଦେହ ଖରାପ, ବାବୁ ବଡ଼ ଡାକ୍ତରକାନାକୁ ଯାଇଛନ୍ତି । ଆସିଲେ ଆସିବ ତମେ, କହି ନମିତା ବିଦା କରିଥିଲେ ଦନେଇକୁ ।

 

ବାବୁନିର ଦେହ ଖରାପ । ଶୁଣିଲା ପରେ ଦନେଇର ମୁହଁଟା କାହିଁକି ହିଂସାରେ ଜଳି ଉଠିଥିଲା । ଗଲାବେଳେ ସେ କହି କହି ଯାଉଥିଲା, ଅପାଙ୍କର ବୋହୂ ହେବାର କୋଡ଼ିଏ ବର୍ଷ ପରେ । କଥା ଶେଷ ହେବା ପୂର୍ବରୁ ଦନେଇ ନମିତାଙ୍କ ଆଗରୁ ଲୁଚି ଯାଇଥିଲା । ସେତେବେଳେ ନମିତାଙ୍କ ଆଖିରେ ବିନ୍ଦୁଏବି ଲୁହ ନଥିଲା ।

 

ସତର ବରଷ ପରେ ବାବୁନାର ଜନ୍ମ । ଆଜି ସେ ଯଦି ଚାଲିଯାଏ, ସେ କେବଳ ନେଇଯିବ ଆଉ ଦଶ ବର୍ଷ ଏ ଛୋଟରାୟ ଘରୁ । ଉଷା ଏ ଘରକୁ ବୋହୂ ହୋଇ ଆସିଛି ଯେତେବେଳେ ଛୋଟରାୟ ଘର ଆଉ ନିସନ୍ତାନ ହେବନି ତ ?

 

ନମିତା ଏଥର ଦାଣ୍ଡ ଦରଜାରୁ ଉଠିଯାଇ ପିଲାଙ୍କ ଉପରେ ମୁହଁମାଡ଼ି ଶୋଇ କାନ୍ଦିବାକୁ ଲାଗିଲେ ।

 

ଛୋଟରାୟ ଘରର ତିରିଶି ବର୍ଷିୟା ବୋହୂ ନମିତାର ଆଖି ଆଗରେ ରବି ଡାକ୍ତର ହୋଇଛି । ଛୋଟରାୟ ଘରକୁ ଆସିଛି ସେ ବିଜ୍ଞାନରେ ଅନର୍ସ ପାଇଥିବା ବୋହୂ ଉଷା । ଛୋଟରାୟ ଘରର ଗୁମାସ୍ତା ଦନେଇଠାରୁ ବାବୁ ଆଣିଛନ୍ତି କରଜ ଦୁଇ ହଜାର ଟଙ୍କା । ଏ ସବୁତ ବିଚିତ୍ର ନୁହେଁ । କୋଡ଼ିଏ ବର୍ଷ ପରେ ଯେତେବେଳେ ବାବୁନା ଆସିଛି ତାଙ୍କ କୋଳକୁ । ବାବୁନାର ଆଜି ତାଙ୍କଠାରୁ ବିଦାୟ ନେବାଟା ଯେ କେଉଁ ବିଚିତ୍ର ସେ କଥା ଅସମ୍ଭବ ପରି ଲାଗୁନଥିଲା ନମିତାଙ୍କୁ ।

 

ହେଇ ଶୁଭୁଛି । ବଙ୍କିମ ବାବୁ ଡାକୁଥିଲେ । ପିଛିଲା କଥାଗୁଡ଼ା ନମିତାଙ୍କ ପାଖରେ ଅଦୃଶ୍ୟ ହୋଇଯାଇଥିଲା ସେତେବେଳେ ।

 

ବାବୁନାକୁ ଆଣିଛ ।

 

ସ୍ୱାମୀଙ୍କ ଠାରୁ ଛଡ଼ାଇ ନେଇ, କୋଳେଇ ପକାଇ, ବାବୁନା ଗଣ୍ଡରେ ବୋକ ଦେଇ, ନମିତା ଆଖିରୁ ଲୁହ ନିଗାଡ଼ି ଦେଇ କହିଲେ କୋଡ଼ିଏ ବର୍ଷ ପରେ, କେତେ ଶିବ ପୂଜାପରେ ମୋ କୋଳକୁ ଆସିଛୁ । ମୋତେ କନ୍ଦେଇ ଦେଇ ତୁ ଚାଲିଯିବୁ କିରେ ?

 

ନିଅ ଏ ଔଷଧ, ଆଉ ଘଣ୍ଟାକ ପରେ ଦେଇଦେବ । ଦନେଇ ଖୋଜୁଥିଲା କି ମୋତେ-? ସ୍ୱାମୀ ପଚାରିଲେ ।

 

ହଁ, ଦନେଇ ଆସିଥିଲା । ବସି ବସି ଗଲାଣି । ଲୁହକୁ ପୋଛି ପୋଛି ନମିତା ବାବୁନିକୁ ନେଲେ ଘରକୁ ।

 

ହଉ, ମୁଁ ଆସୁଛି । ତମେ ଔଷଧ ଦେବ ବାବୁନିକୁ । ବଙ୍କିମ ବାବୁ ଚାଲିଗଲେ ।

 

ହାତରେ ଔଷଧ । ନମିତା ବାବୁନାକୁ ଧରି ଘର ଭିତରକୁ ପଶିଲେ । ଆଖିରୁ ତାଙ୍କର ଲୋତକ ଝରୁଥିଲେ ବି ବାବୁନା ମୁହଁରୁ ସେ ପୋଛୁଥିଲେ ଝାଳ । ବାବା ଆଖଣ୍ଡଳେଶ୍ୱର, ଛୋଟରାୟ ଘରର ବିପଦ ବେଳେ ବାବୁନିକୁ ମୋର ଏତେ ଘାଣ୍ଟୁଛ କାହିଁକି ? ଭଲ କରିଦିଅ, ପାଞ୍ଚ ମେଳା ଦେବି ।

 

X X X

 

ସେଦିନ ଗୋଧୂଳି ସନ୍ଧ୍ୟାରେ ବଙ୍କିମ ବାବୁ ଦନେଇ ପାଖରୁ ଫେରିଆସି ଗରଗର ହେଇ ସ୍ତ୍ରୀ ନମିତାଙ୍କୁ ପଚାରିଲେ–ଛୋଟରାୟ ଘରର ତିରିଶ ବର୍ଷିୟା ବୋହୂ ବୋଲି ତମେ ସୀମା ଟପି ଯାଉଛ ନମିତା । ପୁରୁଷ ଦ୍ୱାରା ବଂଶର ଇଜ୍ଜତ ଯାଏନା ଏତେ ଶୀଘ୍ର । ଦନେଇ ମୋର ଗୁମାସ୍ତା । ସେ ମୋର ଶାଳକ ନୁହଁ । କିନ୍ତୁ ତମେ ଦନେଇକୁ କଥା କହି ମୋର ଇଜ୍ଜତ ସାରିଛ । ଘର କଣର ବୋହୂ ହେଇ ତମେ ଯଦି ବାହାରେ ମାମଲାତି କର, କହି ପାରିବ ସ୍ତ୍ରୀ ପାଖରେ ସ୍ୱାମୀ କେଉଁପରି ଶୋଭା ପାଏ । ମୁଁ ତମ ପାଖରେ କ’ଣ ? ଏ କଥା ଥରେ ଚିନ୍ତାକରି ତମର ଦନେଇକୁ କଥା କହିବାରଥିଲା ।

 

ସ୍ୱାମୀଙ୍କଠାରୁ ଏତେଗୁଡ଼ାଏ କଥା ଶୁଣିଲା ପରେ ବି ନମିତା ନିଜକୁ ସଜାଡ଼ିନେଇ ଉତ୍ତର ଦେଉଥିଲେ–

 

ମୁଁ ଦନେଇକୁ କଥା କହିନି । ଯଦି କଥା କହିଥାଏ ଛୋଟରାୟ ଘରର ଅଭାବ । ମୁଁ ଜାଣିଛି, ଦନେଇକୁ କଥା କହିବାଟା ଛୋଟରାୟ ଘରର ବୋହୂ ପକ୍ଷେ ଅଶୋଭନୀୟ । ହେଲେ କଥା କହିଲାବେଳେ ମୁଁ କାହିଁକି ନିଜକୁ ସମ୍ଭାଳି ନେଇ ପାରିଲି ନାହିଁ । ଦୋଷ କରିଥିଲେ କ୍ଷମା କରିବ ନାହିଁନା ସତେ । ମୋ ବାବୁନିର ହାତ ମୁଠା ମୁଠା କରିବା, ମୋ ଆଖି ଆଗରେ ଚହଲା ପାଣିପରି ଢେଉ କାଟିଥିଲା । ସେତେବେଳେ ଛୋଟରାୟ ଘରର ବୋହୂ କିମ୍ୱା ବାବୁଙ୍କ ହାତରେ ପଇସା ନଥିଲା । ଅଭାବବେଳେ ବାବୁନି ପାଇଁ ହଠାତ୍‌ କାଳେ ପଇସା ଦରକାର ହେବ । ତମେ ଫେରିଆସି କେଉଁଆଡ଼େ ହାତ ବଢ଼େଇ ଦେଇ ଥାଆନ୍ତ । ସେତେବେଳେ ମୋ ବାବୁନି କଥା.... ?

 

ବାବୁନିର କଅଁଳ ଜୀବନ ପୋଡ଼ି ଯାଉଥିବା ବେଳେ ମୋର ପରଠାରେ ହାତ ବଢ଼ାଇ ଦେବାଟା କେଉଁ ଅନ୍ୟାୟରେ ଯାଏ । ଦନେଇକୁ ମାଗିଥାଆନ୍ତି ବୋଲି କେଇ ଟଙ୍କା ପାଇଁ ଭାବୁଥିଲି-। ପାରିଲି ନାହିଁ । ପଛରେ ଭାବିଲି, ଛୋଟରାୟ ଘରର ବାବୁ ତାଙ୍କ ଗୁମାସ୍ତାଠାରୁ ଦୁଇ ହଜାର ଟଙ୍କା ଧାର ଆଣିଛନ୍ତି । ଗୁମାସ୍ତା ତାଙ୍କୁ ଦୟାପାଇ ଛାଡ଼ିଦେବ ବୋଲି କହୁଥିଲା ।

 

ସେତେବେଳେ ମୋ ମନ ଭିତର ଲୁହ, ଉପରକୁ ଉଠିଆସି ଏଇ ମୋର କଣା ଆଖିରେ ଭାସିବାକୁ ଲାଗିଲା । ଦନେଇକୁ ମୁଁ ଆଉ କିଛି କହିନାହିଁ । ମୋତେ କ୍ଷମା କର । ମୁଁ ଯଦି ଦୋଷ କରିଛି ।

 

ଅଭାବ ଆଉ ପରିସ୍ଥିତି ମଣିଷକୁ ନିମ୍ନ ସ୍ତରକୁ ଟାଣିନିଏ । ସେ କଥା ମୁଁ ଜାଣିଥିଲେ ବି ସେଇୟା କଲି । କ’ଣ ହେଲା ସେଠୁ ।

 

କିଛି ହୋଇନି କହି ବଙ୍କିମ ବାବୁ ନୀରବ ହେଲେ । ଅଭାବ ଅନାଟନ କେବଳ ତାଙ୍କ ମୁହଁଟାକୁ ବନ୍ଦ କଲା । ନ ହେଲେ ନମିତାଙ୍କ ମୁହଁରେ ଏଭଳି କଥା ଶୋଭା ପାଇବାର ନୁହଁ । ସେ କେବଳ ତାଙ୍କର ଭାଗ୍ୟ ।

 

ଚା’ ନିଅ ।

 

ଚା’ ଜାଚୁଥିଲେ ନମିତା । ଲୁହ ମିଶା ଆଖିରେ ସ୍ୱାମୀଙ୍କର ହାତ ଧରିପକାଇ କହିଲେ–

 

କୁହ ମୋର ଦୋଷ କ’ଣ ? ତମରି ପାଖରେ ମୁଁ ତିରିଶି ବର୍ଷର ବୋହୂ । ତମରି ଆଜ୍ଞାବହା ହୋଇ ଚରଣ ପୂଜାକରି ଆସିଛି । ଦିନେତ ତ୍ରୁଟି କରି ନାହିଁ । ଆଉ ଆଜି ଦନେଇକୁ କଥା କହିଦେଇଛି । କ’ଣ କରିବି । କୋଡ଼ିଏ ବର୍ଷ ପରେ ଯେତେବେଳେ ମୋ କୋଳକୁ ଛୁଆଟିଏ ନଆସିଲା ଏଇ ଗାଁରେ ମୋତେ କ’ଣ ନକହିଲେ । ଆଣ୍ଠୁକୁଡ଼ିଟା, ମୁହଁଟାକୁ ଚାହିଁ ଦେଲେ ବିଦେଶ ଯିବା ଲୋକ ଘରକୁ ବାହୁଡ଼ି ଯାଉଥିଲା । ସେଇ ଆଣ୍ଠୁକୁଡ଼ିଟା କୋଳରୁ ଛୁଆଟା ସତରେ ଚାଲିଯିବ-। ଚାଲି ଗଲେ ସେତେବେଳେ ତମେ ବି ମୋ ମୁହଁ ଚାହିଁ ନ ଥାଆନ୍ତ । ତମେ ବି ମୋତେ କହି ଥାଆନ୍ତ । ହତ ଲକ୍ଷ୍ମୀଟାଏ ଘରକୁ ଆସିଛି । ଏ ଘର ଆଉ ଘର ହୋଇ ରହିବ ନାହିଁ । ଦଶମାସ ଉଦର କଷ୍ଟକୁ ଯେଉଁ ସ୍ତ୍ରୀ ଧାରଣ କରିଥିବ, ସେ କେବଳ ଜାଣେ ତା’ର ବେଦନା । ବାବୁନା ମୋ ଆଖି ଆଗରୁ ଯଦି କେଇଟା ପଇସା ପାଇଁ ଚାଲି ଯାଇଥାଆନ୍ତା ମୁଁ କାହିଁକି ବଞ୍ଚିରହି ଥାଆନ୍ତି ତମ ଘରେ । ସେହି କଷ୍ଟ କରିତ, ରବି ମୋ ମୁହଁରେ ନିଆଁ ଜାଳି ପୋଡ଼ିଦେଇ ଗଲା । ଆଉ ଉଷା....-?

 

ଉଷା ମୋ ଠାରୁ ସାନ, ସାନ ଭଉଣୀ ବ୍ୟତୀତ ମୁଁ ଦିନେ ତାକୁ ଅନ୍ୟ ନୟନରେ ଚାହିଁନି-। ଉଷା ବୁଝିଲାନି ଏ ପୋଡ଼ାମୁହିଁର ଦରଦ । ଭଗବାନ ନାହାନ୍ତି ନା କ’ଣ । ମୁଁ ଯଦି ତା’ପାଇଁ ଅନ୍ୟାୟ କରିଥାଏ ସେଇ ଭଗବାନ କ’ଣ ବୁଝିବେ ନାହିଁ ।

 

ଆଉ ସେଇ ସାନ ଯାଆ ଦିନେ ବୁଝୁ, ଦେଢ଼ଶୁର ଆଉ ଯାଆ ପାଖରେ କି ଦୋଷ କରିଥିଲେ । ସେ ବାର ଲୋକଙ୍କ ପାଖରେ କ’ଣ କହୁଛନ୍ତି ।

 

ସେଦିନ କାଳେ ଦନେଇର ବାପାଙ୍କ ସହିତ ରତନା ଜଳଖିଆ ଦୋକାନରେ ଦେଖା ହେଲା । ଦନେଇକୁ ଦେଖି ପଚାରିଲେ ବୁଝିଲ ଦନେଇ, ମୋ ଝିଅ ବଙ୍କିମକୁ କାଳେ କାଳ ହେଉଥିଲା । ଏବେ ଖୁସିରେ ଥିବେତ ତମ ବାବୁ ।

 

ସେଇ କଥା ମୁଁ ଭାବୁଥିଲି । ଉଷା ଯିବାରେ ତୁମର କି ଦୋଷ ହେଲା । ଏତେ ପ୍ରକାର ବୁଝାଇଲା ପରେ ଉଷା ତା’ ମନକୁ ଯାଇଛି । ଗଲାବେଳେ ମଧ୍ୟ କହିଲା ନାହିଁ । ପର ହେଉବା ଆପଣାର ହେଉ, ଏଇ ହୀନି କପାଳି ଅପାକୁ ଥରେ ଦେଖିଯାଏ ।

 

ଛଅ ମାସର ମମତା, ଛଅ ମାସର ତା’ ପ୍ରତି ମୋର ଯେଉଁ ଦରଦ ସବୁ ଚୁଲିକୁ ଦେଇ ଚାଲିଗଲା ସେ । ଉଷା ପାଠପଢ଼ି ଅନର୍ସ ପାଇଥିଲେ ବି ମୋ ପାଖରେ ଛୁଆ । ବୟସ ମୋ ଠାରୁ ଷୋହଳ କି ସତରରୁ କମ୍‍ ହେବ । ଛୋଟରାୟ ଘରକୁ ଆସିବାର, ଦୁଇ ବର୍ଷ ପରେ ଯଦି ଭଗବାନ, ମୋ କୋଳକୁ ଏଇ ବାବୁନାଟିକି ଦେଇ ଥାଆନ୍ତେ ତା’ହେଲେ ବାବୁନା ଠାରୁ ଉଷାତ ବୟସରେ କେତେ କମ୍‌ ହୋଇ ଥାଆନ୍ତା ।

 

ସେଇଥି ପାଇଁ ମୁଁ ତାକୁ ଯାଆ ବୋଲି ଦେଖେନା । ରବି ଯେମିତି ମୋହରି କୋଳରେ ବଢ଼ି ଆସିଛି । ସେ ଆଉ କ’ଣ କି ଗଲାବେଳେ ସେ ଚାହିଁଲା ନାହିଁ ଥରେ । ନିର୍ଲଜୀପରି ମୁଁ ଧାଇଁଗଲି ବେଢ଼ାଯାଏ ଦାଣ୍ଡକୁ । ତଥାପି ଉଷା ମନରେ ମୋ’ପାଇଁ ଟିକିଏ ଦୟା ହେଲାନିତ । କହିଲା ନାହିଁ ଥରେ ତମେ କାହିଁକି ଆସୁଛ ଆଉ ନାନୀ । ଯାଆ ଘରେ ତେଣେ ବାବୁନା ଏକଲା ଶୋଇଛି ।

 

ତମକୁ ନପାଇ କାନ୍ଦୁଥିବ ।

 

ସେ ପରା ବାବୁନାକୁ କ୍ଷଣିକ ନ ଦେଖିଲେ ତା’ର ଭୋକ ଶୋଷ ସବୁ କୁଆଡ଼େ ହଜୁଥିଲା । ଗଲାବେଳେ ତା’ ମନ କହିଲା ନାହିଁ ବାବୁନାକୁ ଥରେ କୋଳକୁ ନିଏ ।

 

ପରସିନା ପର ହୋଇଯିବା ଦୁରୁହ ନୁହେଁ । ଉଷାତ ମୋ ପାଖରେ ପର ନୁହେଁ । ରବି ମୋ ପାଖରେ ଯେମିତି ଛୁଆ, ସେ କ’ଣ ସେୟା ନୁହଁକି ? ଆମେ ଦି’ଯା ସିନା ଅଲଗା ଅଲଗା ଥାନରେ ଜନ୍ମ ହୋଇ ଏ ଘରକୁ ଆସିଲୁ । ରବି କ’ଣ ମୋ ପାଖରେ ପର । ସେ ରକ୍ତ ଲଗା ଦି’ଭାଇ ପରା । ଉଷା କ’ଣ ରବିର ସ୍ତ୍ରୀ ନୁହଁ, ଆଉ ମୁଁ...... ?

 

ମୋ କଥା ମୁଁ କ’ଣ କହିବି । ସେହି ଦେଢ଼ଶୁରଙ୍କର ତ ଏଇ ବାବୁନା, ଉଷାର ପର ହେଲା କିପରି । ଛଅ ମାସର ମମତାକୁ ଏଡ଼ାଇ ଦେଇ, ଉଷା ଆଜି ବାଟକାଟି ଛୋଟରାୟ ଘରର ସମ୍ପର୍କୀୟ ବାବୁନାଠାରୁ ତୁଚ୍ଛ କରିଦେଇଗଲା । ହେଲେ ମୁଁ କ’ଣ ତା’ର ଏ ଛଅମାସ ମଧ୍ୟରେ କିଛିଟାଏ ବି କରି ନାହିଁ । ମୋ’ପାଇଁ ହାତଯୋଡ଼ିବାତ ଦୂରର କଥା, ଗଲାବେଳେ ପଦେ କଥା ପଚାରିଲା ନାହିଁ । ମୁଁ ପୋଡ଼ାମୁହିଁ ତା’ର କି ଦୋଷ କଲି । ଆଖି ଦିଇଟା ମୋର ଯେମିତି ଲୁହ ଗଡ଼ାଇଛି ସେମିତି ହାତ ଦିଇଟା ବି ସେ ଲୁହକୁ ପୋଛିଲା । କରୁଣଭରା ହୃଦୟ ସେଦିନ କାନ୍ଦି ପକାଇଥିଲା । ମୁଁ କ’ଣ ଉଷାର ଭଗାରି ।

 

ବଙ୍କିମ ବାବୁ ଆଶ୍ୱାସନା ଦେଇ କହିଲେ । ତମେ ପଛ କଥାକୁ ଭାବୁଛ କାହିଁକି । ଯାହା ଗଲାଣି ତାକୁ ମନ ମଧ୍ୟରୁ ପୋଛି ନେଲେ ହୁଏତ ଆଶ୍ୱସ୍ତି ଲାଭ କରନ୍ତ ।

 

ଉଷା ଚାଲିଯାଇଛି । ତା’ ଇଚ୍ଛା, ତା’ ମନକୁ ନେଇ ଆମେତ ଚଳି ପାରି ନ ଥାଆନ୍ତେ କିମ୍ୱା ସାନବୋହୂଙ୍କ ଇଚ୍ଛା ବିରୁଦ୍ଧରେ ଆମର ସଂଗ୍ରାମ କରିବାର କି ଅଧିକାର ଅଛି ।

 

ସାନବୋହୂଙ୍କୁ ଯଦି ଏ ଛୋଟରାୟ ଘରର ଅଭାବ ଅନାଟନ ଭଲ ନ ଲାଗିଲା ସେ ଗଲେ, ଆମର କର୍ତ୍ତବ୍ୟ ସାନବୋହୂଙ୍କର ମଙ୍ଗଳ । ସେଇମାନେ ସୁଖରେ ରୁହନ୍ତୁ । ଦାମ୍ପତ୍ୟ ତାଙ୍କର ସୁଖରେ କଟୁ ।

 

ହଉ ତମେ ଯାଅ, ଆଜି କ’ଣ ରୋଷେଇବାସ ହେବନି । ସେମାନେ ତ ଆମ କଥା ଆଉ ଭାବୁନଥିବେ । ସେମାନେ ଆନନ୍ଦରେ ଥିବେ । ଆମର ଉପବାସକୁ କ’ଣ ଅଙ୍ଗେ ଅଙ୍ଗେ ଅନୁଭବ କରୁଛନ୍ତି ସେମାନେ । ଯାଅ ରୋଷେଇବାସ କର । ଆମ କପାଳରେ ଯାହା ଅଛି ଆମେ ଭୋଗିବାତ ନିଶ୍ଚୟ । ପଥର ଠାକୁରର ଦୋଷ ଦେଖାଇ ଲାଭ କ’ଣ ।

 

ଦୁଃଖରେ ଛୋଟରାୟ ଘରର ବୋହୂ ନମିତା ଉଠିଗଲେ ଭିତରକୁ ।

 

ବଙ୍କିମ ବାବୁ ଦୀର୍ଘ ନିଃଶ୍ୱାସଟାଏ ପକାଇ ଚୌକିରୁ ଉଠିଲେ ବାବୁନି ଶୋଇଥିବା ପଲଙ୍କ ପାଖକୁ । ଦୂରରୁ ଶୁଭିଆସିଲା ମନ୍ଦିରର ଶଙ୍ଖଧ୍ୱନି ।

 

ଶଙ୍ଖଧ୍ୱନି ହେବା ଛୋଟରାୟ ପରିବାରରେ କେବେ ନୂଆ ନୁହେଁ । ବାର ମାସର ତେର ପରବକୁ ନମିତା ବାପଘର ଛାଡ଼ିଲାଠଉଁ ସେ ଘରେ ପାଳନ କରୁଛନ୍ତି । ସ୍ୱାମୀଙ୍କର ଦୀର୍ଘ ଜୀବନକୁ ଆଶାରଖି ନମିତା ସେଦିନ ପାଳନ କରୁଥିଲେ ସାବିତ୍ରୀବ୍ରତ । କିନ୍ତୁ କ’ଣ ହେଲା କେଜାଣି ଛୋଟରାୟଘର ପରିବାରରେ ସେଦିନ ଅକାଳ ସନ୍ଧ୍ୟା ମାଡ଼ି ଆସିଲା । ସେ ଘରେ ତ ଆଉ ଶଙ୍ଖର ଧ୍ୱନି ନଥିଲା, ଥିଲା ଖାଲି ଚିତ୍କାର ।

 

ନମିତା କାନ୍ଦୁଥିଲେ । ଗୋଟିଏ ବୋଲି କୋଳକୁ ସେଇ ବାବୁନାଟି । ବାବୁନି ମୁଖକୁ ଥରେ ଚାହିଁଦେଲେ ନମିତାଙ୍କର ଦୁଃଖ କ୍ଷଣିକରେ ମନରୁ ହଜିଯାଏ । ସେ ଘରୁ ସାନବୋହୂ ଉଷା ଯାଇନି । ଦିଅର ରବି ବର୍ଷଟିଏ ହେଲା ଉମରକୋଟରେ...ଚିଠିତ ପାଇବା ଦୂରରେ, ବେଳେ ହେଲେ ଥରେ ମାତ୍ର କେହି ବି, ତାଙ୍କର ସେହି ପରିବାର କଥା ମନେପକାଇ ନାହାନ୍ତି । ସତେ ଯେମିତି ଏ ପରିବାରରେ ତାଙ୍କର ବୁଝିଲା ଭଳି ମନେରଖିବାର ମଣିଷ ଆଉ କେହି ନାହିଁ ।

 

ରବି ବୁଝନ୍ତି, ସାନବୋହୂ ଉଷା ବିନା ଏ ଘରେ ତାଙ୍କର ସମସ୍ତେ ପର ।

 

ଆଜି ଉଷା ପରିବାରଠାରୁ ଦୂରରେ ଆଉ ଦୂରରେ ରବି । କିନ୍ତୁ ବାବୁନା ଥିଲା ନମିତାଙ୍କର ନିହାତି ପାଖରେ । ଆଖି ଆଗରେ ଆଖିର ପଲକ ଦଣ୍ଡକ ପରେ ଦଣ୍ଡେ ହୁଏତ ପଡ଼ୁଛି-। ହେଲେ ଆଖି ଆଗରୁ ବାବୁନାର ରୂପଶ୍ରୀ ଢଳି ପଡ଼ୁନାହିଁ ନମିତାଙ୍କ ଆଗରେ । ସେ ଘର ଆଉ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି ଉଷା ଆଉ ରବି । ଦନେଇ ଆଉ ଚଞ୍ଚଳା, ଚାକର କିଣା, ମୂଲିଆ ବିରା ଯାଇ ନାହିଁ । ସେଇ ବାବୁନା, ଯାହାକୁ ହରାଇ ଦେଲେ ନମିତାଙ୍କ ପ୍ରାଣ ବାହାରିଯିବ । ଯାହାକୁ ଦଣ୍ଡେ ନ ଦେଖିଲେ ପ୍ରାଣରୁ ଜୀବନ ଯାଉଛି ।

 

ଛୁଆଟା ଉପରେ ସବୁ ଗ୍ରହଙ୍କର ଆଖି । ଦିନେ କି କାଳେ ବାବୁନାର ଦେହ ଭଲ ରହୁନି-। ମହାଦେବ ବରଣି କଲେଣି, ଗ୍ରାମ ଦେବତୀଙ୍କ ପାଖରେ ଚଣ୍ଡି, ଗୃହ ଦେବତା ନାରାୟଣଙ୍କ ପାଖରେ ଗୀତା । ଏଥିରେ ନଥିଲା ଘରୁ କରଜ ହେଉ ଦେ’ନା ହେଉ କୋଠ ଶୂନ୍ୟ ହେଇଛି ରବି ପାଇଁ । ଆଉ ଯାହାଥିଲା ସେତକ ବାବୁନାର ମଙ୍ଗଳ ପାଇଁ ଯାଇଛି ।

 

ଏତେ ହେଲା, ପଇସା ସରିଲା । ଆଖିର ଲୁହ ନମିତାଙ୍କର ବି ସବୁ ସରିଛି । ଏ ଦୁଃଖକୁ ସହି ଦେହକୁ ପଥର କରି ସେ ଆଉ କେଉଁ ଠାକୁରକୁ କୋଟି ବିନମ୍ର ପ୍ରଣତି କଲେ ଚଳିବ । କିଏ ଆଉ ଶୁଣିବ ତାଙ୍କ କଥା । କେହି ଶୁଣୁ ନାହାନ୍ତି । ହାଏ ! କେତେ ପାଷାଣ ଏ ପୂଜାର ଠାକୁର ।

 

ନମିତା କଇଁ କଇଁ ହୋଇ କାନ୍ଦି ଉଠିଲେ । ବାବୁନାରେ ତୁ କ’ଣ ସତରେ ବଞ୍ଚିବୁ ନାହିଁ । ମୁଁ ତୋ’ର କି ଦୋଷ କରିଛି । ତୁ ମୋ ପ୍ରାଣକୁ ଖାଉଛୁ । ମୋ ଦେହର ରକ୍ତକୁ ତୋତେ କ୍ଷୀରରେ ଖୁଆଇଲି । ଆଉ ଯାହାଥିଲା ଲୁହରେ । ରହିଛି ଆଉ ଦିଖଣ୍ଡି ହାଡ଼ ମେଞ୍ଚାଏ ମାଉଁସ । ସେତକ ନେଲେ ତୁ ଖୁସି ହେବୁ କିରେ......

 

ବାବୁନାର ଆଉ ଚେତା ନାହିଁ । ବାବୁନା ଆଉ ଚାହୁଁ ନାହିଁ । ମୁଣ୍ଡ ବାଡ଼ଉଛନ୍ତି ନମିତା । ବଡ଼ ନଣନ୍ଦ ଚଞ୍ଚଳା ଆସି ପାଖରେ ଛିଡ଼ା ହୋଇଛନ୍ତି । କିଛି କହୁନାହିଁ ଚଞ୍ଚଳା, ପଥର ପ୍ରତିମା ପାଲଟି ଗଲେଣି ବାବୁନାକୁ ଦେଖି । ଭାଉଜଙ୍କୁ ପ୍ରବୋଧିବ କ’ଣ ନିଜ ମନକୁ ସମ୍ଭାଳି ବି ପାରୁନାହାନ୍ତି ଚଞ୍ଚଳା । ନମିତା ଚାହିଁଲେ ଚଞ୍ଚଳା ଛିଡ଼ା ହୋଇଛନ୍ତି ।

 

ଅପା ମୋ ବାବୁନା କ’ଣ ସତରେ ବଞ୍ଚିବ ନାହିଁ ଆଉ । ନିଅ ବଞ୍ଚି ଥାଉଁ ଥାଉଁ କ୍ଷୀରି ପଡ଼ିଆରେ ଫିଙ୍ଗି ଦେଇ ଆସ । ତା’ ଶିରି କେହି ନଦେଖିଲ ନାହିଁ । ମୋ’ପାଇଁ ଅନେକ ଗଡ଼ିଆ ପୋଖରୀ ଅଛି । ମୋ ଜୀବନର ଆଉ ଲାଭ ବା କେତେ । ଚଞ୍ଚଳା ପ୍ରବୋଧିବା କଥାକୁ ଅନେକ ବାଗରେ କହୁଥିଲେ । ବିଜ୍ଞାନ ଅନର୍ସ ପଢ଼ା ହୋଇ ଆଣିଥିଲ ଯେ, ସାନ ଭାଉଜଙ୍କୁ ଛୋଟ ଘରର ମହତ ପାଇଁ କ’ଣ ହେଲା ।

 

ଚୁ, ଚୁ, ଚୁ ହାଇରେ ଦେବତା ତୁଲ୍ୟ ବାଙ୍କୁଭାଇ, ତମେ ସମସ୍ତଙ୍କୁ ମଣିଷ କରିଛ । ତମ ବେଳକୁ କେହି ପଦେ ଆହା କହୁନି, ଯୁଗତ ସେୟା ହେଲା ଭାଉଜ, ନହେଲେ ଘରର ପୁଅ ଡାକ୍ତର... । ତାଙ୍କ ପୁଅ ପାଇଁ ଔଷଧ ଟିକେ ଆଜି ମିଳୁନି । ସେଇଥିପାଇଁ କହନ୍ତି, ସବୁ ଗଛ ପୋତିଲେ ଫଳ ଫଳେ, ମଣିଷ ଗଛ ତିଆରି କଲେ ଯେଉଁ ଫଳ ହୁଏ, ସେ ମହାକାଳ ଫଳ ।

 

ତମେ କାନ୍ଦନା ଭାଉଜ, ଦୁନିଆରେ ଈଶ୍ୱର ଅଛନ୍ତି । ବାବୁନା ତମର ନିଶ୍ଚୟ ବଞ୍ଚିବ, କାନ୍ଦନି, କାନ୍ଦନି । ସବୁ ତମର ସେଇ ଭାଗ୍ୟ ।

 

ବାଙ୍କୁଭାଇ କ’ଣ ଡାକ୍ତରଖାନାକୁ ଯାଇଛନ୍ତି । ତିନିମାସ ହେଲା ସେଇ ଗୋଟିଏ ରୋଗ, ଡାକ୍ତର ଏତେ ପଇସା ନେଲାଣି । ପୋଡ଼ାମୁହାଁ ଡାକ୍ତରଗୁଡ଼ାକ ବି ସେୟା । ସେଥିରେ ପୁଣି ଏ ଯେଉଁ ନୂଆ ସେନାପତି ଆସିଛି । ତା’ ଡାକ୍ତରୀ ପଣରେ ନିଆଁ ଲାଗୁନି । ଡାକ୍ତର ସିନା ମଣିଷ ବଞ୍ଚାଏ, କେଉଁଠି ମୁଁ ଶୁଣିନଥିଲି ପଇସା ହେଲେ ବି ଜିଅନ୍ତା ମଣିଷଗୁଡ଼ାଙ୍କୁ ମାରି ଦେଉଛନ୍ତି ଏ ଡାକ୍ତର । ମରି ଯାଆନ୍ତୁ ସେ ଅମୃତ ଲୋଭୀ ବିଷ ଡାକ୍ତରଗୁଡ଼ା । ତାଙ୍କ ଭାରିଜାମାନେ ହାତରୁ ଚୁଡ଼ି ଫିଙ୍ଗନ୍ତୁ, ହେଲେ ମୁଁ ଭାରି ଖୁସି ହୁଅନ୍ତି । ହଁ, କହୁଛି–

 

ମୁଁ କ’ଣ କହୁଥିଲି ଭାଉଜ । ମୋ କଥା ମାନି ବାବୁନିକୁ ତମେ କବିରାଜ ଦେଖା । ଡେରି ସିନା, ସେ ଔଷଧରେ ରୋଗୀ ଭଲ ହୁଏ । କିନ୍ତୁ ରୋଗଯାଏ ସବୁଦିନ ପାଇଁ ଦେହରୁ । ତା’ ଛଡ଼ା ଏ ଡାକ୍ତରଗୁଡ଼ା ଖାଲି ଛୁଞ୍ଚି ଫୋଡ଼ିବାଟା ଶିଖି ଥାଆନ୍ତି । ହଁ କାହିଁକି ଏ ଡାକ୍ତରଖାନାର ଡାକ୍ତରଗୁଡ଼ାଙ୍କୁ ମୋର ବିଶ୍ୱାସ ହେଉନାହିଁ । ଆଜି ବାଙ୍କୁଭାଇ ଆସନ୍ତୁ, ମୁଁ ତାଙ୍କୁ ଆଚାର୍ଯ୍ୟ ବୁଢ଼ା ଘରକୁ ପଠାଇବି । ଚଞ୍ଚଳା ଚାଲିଗଲେ ।

 

ଏକୁଟିଆ ଘରକୁ କେହି ନାହାନ୍ତି । ଛୋଟରାୟ ଘରର ଏତେ ବଡ଼ ପରିବାରକୁ ନମିତା ଏକାହୋଇ ନିରାଶରେ ଭାଙ୍ଗିପଡ଼ୁଥିଲେ । ଏତିକିବେଳେ ଫଗୁଆ ଆସି ଦାଣ୍ଡ ଦରଜାରେ ଡାକିଲା ।

 

ସାଆନ୍ତେ ।

 

ଦାଣ୍ଡ କବାଟ ଖୋଲିଦେଇ ନମିତା ଓଢ଼ଣା ତଳେ ଥରେ ଚାହିଁଲେ ଫଗୁଆକୁ । ଛୋଟରାୟ ଘରର ବୋହୂ ବୋଲି, ସେ ଫଗୁଆକୁ ବାବୁ ନାହାନ୍ତି ବୋଲି ମୁଖ ତୋଳି ପଦେ କହିପାରିନଥିଲେ । ସେଇମିତି ମେଲା ହୋଇଛି ଦରଜା, ଫଗୁଆ ଛିଡ଼ା ହୋଇଛି ପଥରକୁ ଲାଗି । ନମିତା ଘର ଭିତରକୁ ଫେରିଆସିଲେ । ପଛରୁ ଫଗୁଆ କହୁଛି–ସାଆନ୍ତେ କ’ଣ ଏତେ ରାତି ହେଲା ଘରକୁ ଫେରି ନାହାନ୍ତି । ସନ୍ଧ୍ୟାକୁ ଆସିବା ପାଇଁ ମୋତେ କହିଥିଲେ । ଗଲେ ତେଣେ......

 

ନମିତା ଏସବୁ ଶୁଣୁଥିଲେ ବି, କିଛି ଉତ୍ତର ଦେବାକୁ ସାହାସ ତାଙ୍କର ନଥିଲା । ସେ ଖାଲି ଭାବୁଥିଲେ । ଏଣୁ ଗଲେ ଫଗୁଆର ସେ ଛୋଟ ପରିବାରଟି ଚାହିଁ ବସିଥିବ ଫଗୁଆକୁ । ଦିନେ ନଖଟିଲେ ଉପାସରେ ରୁହନ୍ତି । ତା’ ପରିବାରରେ ପାଣି ହାଣ୍ଡି ବସାଇ ଫଗୁଆର ସ୍ତ୍ରୀ ଚାହିଁ ବସିଥିବ । ଫଗୁଆ ଗଲେ ଚାଉଳ ପଡ଼ିବ ହାଣ୍ଡିରେ । ଦାନା ପଶିବ ପେଟରେ । କୁଆଡ଼େ ଯାଇଛନ୍ତି ଏ କଥା ଫଗୁଆ ନିଶ୍ଚୟ ଜାଣିଥିବ । କହିଛନ୍ତି ଯେତେବେଳେ ତା’ ସମୟକୁ ଫେରିବେ ନିଶ୍ଚୟ । ଆଉ ଉପାୟ ନପାଇ ଘରକୁ ପସିଥିଲେ ନମିତା । ମନ କୋଉ ଲାଗୁଛି ସେ ଘରେ । ଦାଣ୍ଡ ଦୁଆରକୁ ଜଗି ଯଦି ଜଣେ ବସି ରହିବ, ମଣିଷ ହୋଇଥିଲେ ତା’ ମନକୁ ବାଧିବ ନିଶ୍ଚୟ । ବସିବା ଅପେକ୍ଷା ଫଗୁଆ ବରଂ ଚାଲିଯାଉ, ଆଉ ଟିକେ ଛାଡ଼ି ଆସିବ ହେଲେ । ସେତେବେଳକୁ ସେ ଆସିଥିବେ । ତା’ର ଯାହା ନେବାର କଥା ନେବ । କିନ୍ତୁ ଫଗୁଆ ତୁ ଯାଆ ବୋଲି ନମିତା ମନା କରିଦେଇ ପାରିଲେ ନାହିଁ । ଗୋଟିଏ ପାଦ ଆଗକୁ ଉଠାଇଲେ ଅନ୍ୟ ପାଦଟି ପଛକୁ ପଡ଼ିଲା ।

 

ଛୋଟରାୟ ଘରର ବୋହୂ ହିସାବରେ ବାହାର ଚାକର ମୂଲିଆକୁ କଥା କହିବା ନିଷିଦ୍ଧ-

 

ମଝି ଦରଜାରେ ନମିତା ଜଗି ବସିଲା । ସେ କେତେବେଳେ ଆସିବେ । ଗୋଟିଏ କାନ ପାତିଲେ ସ୍ୱାମୀଙ୍କର ଫେରନ୍ତା ପାଦକୁ, ଆଉ ଗୋଟିଏ କାନ ଚଳଚଞ୍ଚଳ ହୋଇ କାର୍ଯ୍ୟବ୍ୟସ୍ତ ରହିଲା । ଦାଣ୍ଡ ଦରଜାରେ ଫଗୁଆ ଆଉ ବାବୁଙ୍କୁ ବାର ଇଲତ କଥାରେ କିଛି କହୁଛିକି–

 

ଅନେକ ବେଳ ଗଲା, ନମିତା ନିରୀକ୍ଷଣ କଲେ କବାଟର ଫାଙ୍କରେ । ଦାନ୍ତ ନିକୁଟିଲାପରି ଫଗୁଆ ପଥର ଉପରେ ବସିଛି । ପୂବେଇ ଚାନ୍ଦ କଳା ଗାଲରେ ତାହାର ଖୁନ୍ଦି ଦେଇଛି ଆଲୋକ । ଫଗୁଆର ଦାନ୍ତ ଦିଇଟା ଧଳା ଦିଶୁଛି । ଆଖି ଦୁଇଟା ଚାହିଁ ରହିଛି ଧୂଳିଭରା ରାସ୍ଥାକୁ ।

 

ଅନେକ ଯାଉଛନ୍ତି, ଅନେକ ଆସୁଛନ୍ତି ସେଇ ବାଟକୁ । ଛକ ଉପରେ ହେଲେ କିଏ କେଉଁ ଦିଗକୁ ମୁହଁ କରୁଛି, ଫଗୁଆ ସେ ସମସ୍ତ ନିରୀକ୍ଷଣ କରୁଛି ଖାଲି । କିଏସେ ଆଉ ତା’ର ଜମିଦାର ବଙ୍କିମ ଛୋଟରାୟ ।

 

କଥାରେ ତାଙ୍କର ଠିକ୍‌ ନାହିଁ । ଇତର ଜାତି ବୋଲି ବାବୁ ଆଜକୁ ଛଅମାସ ହେଲା ଟଙ୍କା ଦେବାରେ ଅବହେଳା କରି ଆସୁଛନ୍ତି । ସେ ସାହିର ପୁନା ପ୍ରଧାନ ହୋଇଥିଲେ ଛଅ ମାସର ବାକିକୁ ଛଅ ଦିନରେ ଆଦାୟ କରିନେଇ ଥାଆନ୍ତା ।

 

ଛୋଟ ଲୋକ, ପୁଣି କଣ୍ଡରା ଘରର ଜନ୍ମ ଯେତେବେଳେ ମହାପୁରୁ ସେତକ ସାହସ ଦେଇ ନାହାନ୍ତି ଫଗୁଆ ମୁହଁରେ । ଆଉ କିଏ ହୋଇଥିଲେ କଥା କଥାକେ ଆଦାୟ କରି ଥାଆନ୍ତା । ତା’ର ହକ୍‌କ ଦାବି ।

 

ଫଗୁଆ କ’ଣ ଏକଥା ଭାବୁନଥିବ–ହୁଏତ କହିପାରୁନି । ପଛ ଡର ତା’ର ଛାତି ପଞ୍ଜରାରେ ଚମକ ଖେଳାଇଦେଇ ତାକୁ ଚୁପ୍‌ କରିଛି ।

 

ତଥାପି ନମିତାଙ୍କ ପ୍ରାଣ ଦୁଃଖରେ କାନ୍ଦି ଉଠୁଛି । ଖୋଲା କଥାର ଗାଳି ହୁଏତ ମଣିଷକୁ ବାଧେନା । କିନ୍ତୁ ମଣିଷ ଉପାସରେ ରହି ମୁହଁରେ ନକହି ମନରେ ଯଦି ପାଷାଣ ହୋଇ କହୁଥାଏ, ସେ କଥାରେ ମଣିଷର ସର୍ବନାଶ ହେବା ଅସମ୍ଭବ ନୁହେଁ । ଦରକାର ହେଲେ ବଂଶ ବୁଡ଼ିଯାଏ ମଧ୍ୟ ।

 

ନମିତା କାହିଁକି କାନ୍ଦି ଉଠିଲେ ।

 

ଏକଲା ଆଉ ଫଗୁଆ ଅନ୍ଧାରରେ ବସି ଦେଖିପାରୁନଥିଲା । ଦେଖିପାରୁଥିଲା କେବଳ ସେଇ ଘରର ଠାକୁର ଭାଗବତ ଗାଦି, ଆଉ ପଥରର ଶାଳଗ୍ରାମକୁ ।

 

ପୁରୁଣା ଉଇଖିଆ ବରଡ଼ା ପତ୍ର ବି ମଣିଷର ପରମ ଆତ୍ମାକୁ ତିଳ ତିଳ କରି ଚିହ୍ନେ । କିନ୍ତୁ ନମିତାକୁ ଚିହ୍ନନ୍ତି ନାହିଁ ସାନ ଯାଆ ଉଷା । ସେଇ ଠାକୁରବିଶ୍ୱାସ ଥିଲା ଛୋଟରାୟ ଘରର ବୋହୂ ନମିତାଙ୍କ ଠାରେ । ହେଲେ ସେ ବିଶ୍ୱାସ ନଥିଲା ଫଗୁଆ କିମ୍ୱା ଦନେଇ ରାଉତଙ୍କ ପାଖରେ-

 

ଫଗୁଆ କିମ୍ୱା ଦନେଇ ବରଂ ସେ ଘରକଥା ନ ବୁଝନ୍ତୁ । ସେ କଥା ନିଶ୍ଚୟ ସ୍ୱାମୀଙ୍କର ବୁଝିବାର ଅଛି ।

 

ଏତେବେଳ ହେଲାଣି, ତଥାପି ସେ ଫେରୁ ନାହାନ୍ତି । ଏତେ ମଠୁଆ ଲୋକବୋଲି ଫଗୁଆର ଧାରଣା ନଥିଲା ।

 

ରାତି ନଅଟା ହେଲାଣି ନା କ’ଣ । ମଫସଲରେ ଅଧରାତି ବୋଲି ଲୋକେ ସେଇ ବେଳକୁ ଧରନ୍ତି । ବସି ବସି ବିରକ୍ତ ଲାଗିବାରୁ ଫଗୁଆ ଉଠିଲା । ଭିଡ଼ିମୋଡ଼ି ହୋଇ ଆଁ କରି ହାଇଟିଏ ମାରିଲା ।

 

ଦାଣ୍ଡରେ ହାତ ଭିଡ଼ୁଛି ଫଗୁଆ । ଚମକି ପଡ଼ିଲେ ନମିତା । ବାବୁ ଆସିଲେ କି ? କବାଟ କଣରେ ଚାହିଁଲେ । ସୁନେଲି ଚାନ୍ଦ ବୁଲି ଗଲାଣି ସେ ପାଖକୁ । ମୁଗୁନି ପଥର ପରିକା ମୁହଁଟାକୁ ଦରଜା ଆଡ଼କୁ ଚାହିଁ ଚାହିଁ ଫଗୁଆ କହିଲା ଟଙ୍କା ନ ଦେବ ତ ନାହିଁ । ମିଛ କହି ଠକିବାର ଇଚ୍ଛା କାହିଁକି କେଜାଣି ଆଙ୍କର ।

 

ଫଗୁଆ କ’ଣ ଏ ଗାଁରୁ ଚାଲିଯିବ–ରାତି ପାହିଲେ ପୁଣି ମୁହଁ ଦେଖା ଦେଖି ।

 

ଫଗୁଆ ଚାଲିଗଲା । ନମିତା ତା’ର ପଛେ ପଛେ ଚାଲିଲେ ଦାଣ୍ଡ ଦରଜାକୁ । ଆକାଶକୁ ଚାହିଁଲେ ନମିତା । ଆକାଶର ରୂପେଲି ଚାନ୍ଦଟା ସେଦିନ କଳା ମେଘର ତଳେ ଭାସିଯାଉଛି । କିନ୍ତୁ ସେଯାଏ ବାବୁ ଫେରି ନାହାନ୍ତି । ନମିତା ଦରଜା ବନ୍ଦ କରିଦେଇ ବାବୁନା ପାଖକୁ ଚାଲିଗଲେ । ଆଗପରି ବାବୁନା ଦେହକୁ ଦହଗଞ୍ଜ କରୁଛି ରୋଗ । ମିଶ୍ରିପାଣି ଟିକେ ଚାମଚରେ ପିଆଇ ଦେଲେ ବାବୁନାକୁ ।

 

ଆଖି ଆଗରେ ଭାସିଗଲା ତାଙ୍କର ଫଗୁଆ କହିଗଲା ସେ ଏ ଗାଁରୁ ଚାଲିଯିବନାହିଁ । ସକାଳ ହେଲେ ମୁହଁ ଚାହାଁ ଚାହିଁ ହେବେ ।

 

X X X

 

ରୂପମୟୀ ଉମରକୋଟର ରୂପଶ୍ରୀ ରବିକୁ ପାଗଳ କରିନଥିଲା । ପାଗଳ କରିଥିଲେ କେତେ ଜଣ ଲେଡ଼ି ଡକ୍ଟର ।

 

ସନ୍ଧ୍ୟା ହେଲେ ଯେତେବେଳେ ବାହାରର ଲାଇଟ୍‌ଗୁଡ଼ାକ ଜଳି ଉଠେ । ସେଗୁଡ଼ିକୁ ଚାହିଁ ରହନ୍ତି ଘଡ଼ିଏ କାଳ ମଫସଲର ଲୋକେ । କେଡ଼େ ଆଶ୍ଚର୍ଯ୍ୟ, ଶୂନ୍ୟ ମହାଶୂନ୍ୟରେ ସତେକି ସେ ଦୈବ ସୃଷ୍ଟି ଆଲୋକ । ନାହିଁ ଉତ୍ତାପ, ନାହିଁ ବାଷ୍ପ, ଖାଲି ରଙ୍ଗ ବେରଙ୍ଗ ତମ୍ୱା ତାରର ଆଲୋକ ଖାଦ୍ୟ । କାଚ ଓଢ଼ଣା ତଳେ ଆଲୋକ ଲୁଚି ରହିବାକୁ ଚାହେଁନା । ସଞ୍ଜହେଲେ ସମସ୍ତଙ୍କ ଗାଲ ଆଉ ଦେହରେ ଘସିହୋଇ ଯାଇ, ଲେସିଦିଏ ମନକୁ ଆଉ ତା’ର ଅତୃପ୍ତ ଆତ୍ମାକୁ ।

 

ସେମିତି ସଞ୍ଜହେଲେ ଦିନ ସାରାର ଅବିଶ୍ରାମ ଆତ୍ମାକୁ କର୍ମ୍ମକାରାରୁ ମୁକ୍ତି କରି ରବି ଆସନ୍ତି ବସାକୁ । ବାହାରର ଆଲୋକ ପରି ମନକୁ ଗୁନ୍ଥି ଦିଅନ୍ତି ଚିନ୍ତାଭିତରେ ।

 

ସେଇ ରାସ୍ତା ଆଲୁଅପରି ଯିଏ ଉଜ୍ୱଳ, ସିଏ ତୀକ୍ଷ୍‌ଣ ସର ଭେଦ କରୁଛି ସେଇ କଠିନ ଆଲୋକରେ । ସବୁ ପତଙ୍ଗର ମୃତ୍ୟୁ ହୁଏ ସେଇ ଆଲୋକତଳ ଛୁଇଁଦେଲେ । ନିର୍ଦ୍ଦୋଷୀ କୀଟ ପତଙ୍ଗଙ୍କ ପରି ରବିବାବୁ ସେମିତି । କେତେଜଣ ଲେଡ଼ି ଡାକ୍ତରଙ୍କ ଠାରୁ ଜଣକୁ ଭଲ ପାଆନ୍ତି । ମଫସଲର ମଣିଷପରି ସେହି ଶୁଭ୍ରାଙ୍ଗି ଦୀପ୍ତି ଆଲୋକକୁ ଚାହିଁ ରହନ୍ତି ମୁଦିଲା ଆଖିରେ–

 

ଅନିମାଙ୍କର ହସିଲା ମୁଖ ଯେବେଠାରୁ ତାଙ୍କ ଆଖିରେ କିମିଆଁ ତୋରଣର ଗୋଟାଏ ବୁର୍ଖା ଆଗରେ ଢାଙ୍କିଲେଣି ତାଙ୍କର । ସେବେଠୁଁ ରବି ଭୁଲିଯାଇଛନ୍ତି ଛୋଟରାୟ ଘରର ଦୁଇ ବୋହୂ......ନମିତା ଆଉ ଉଷା । ଜଣେ ମାଆପରି ଆଉ ଜଣେ...... । ଉଷା କ’ଣ ଠିକ୍‌କରି ଜାଣନ୍ତିନି ବୋଲି ସେ ବି ଆଜି ଉମରକୋଟରେ ।

 

ଫୋର, ଆର, ପ୍ଲାଟ ସରକାରୀ ଘରେ ନିଜକୁ ଆନନ୍ଦରେ ସାଇତି ନେଇଛନ୍ତି । ମନେପଡ଼ିନାହିଁ ଛୋଟରାୟ ଘରର ସାନବୋହୂ ଉଷାଙ୍କ କଥା ନୂଆ ହୋଇ ଆସିଥିଲେ ସେ ଘରକୁ-। କ’ଣ କରୁଥିବ କେଜାଣି ।

 

ରବି ଭାବନ୍ତିନି ସେ କଥା, କେବେ ଚିନ୍ତା କରନ୍ତିନି ଗତ ଭାଦ୍ରବ ବର୍ଷାର ଦାରୁଣ ରୋଦନ ।

 

ରାସ୍ତାଘାଟ ନାଲିପାଣି ସ୍ରୋତରେ ଭରିଛି ନନ୍ଦିକା ଗ୍ରାମ । ଅନ୍ଧାର ଘୋଟିଛି । ବଡ଼ଭାଇ ବଙ୍କିମ ବାବୁ ସେଯାଏ ଫେରିନଥିଲେ ସାନ ସରକାରଙ୍କ ଘରୁ । ସଙ୍ଗେ ସଙ୍ଗେ ସାନ ସରକାରଙ୍କର ଆଜି ଏକାଦଶୀ ବ୍ରତ । ବଡ଼ବାବୁ ଆଜି ଆସିବେ ନାହିଁ ।

 

ସ୍ୱାମୀକୁ ଚାହିଁ ଚାହିଁ ନମିତାଙ୍କ ଆଖିରୁ ଯେଉଁ ଲୁହଗୁଡ଼ାକ ଶୁଖିଥିଲା, ସ୍ୱାମୀଙ୍କର ଗୋଟିଏ ରାତି ରହି ଯିବାଟାରେ ଆଖିରୁ ତାଙ୍କର ଲୁହତକ ପୁଣି ଜକେଇ ଆସିଲା । ଆଗରୁ ନମିତା ବୁଝିଥିଲେ–ସ୍ତ୍ରୀ ସିନା ସ୍ୱାମୀଙ୍କ ପାଇଁ ମନରେ ଆଣ୍ଟ ରଖନ୍ତି । ଘଡ଼ିଏ ନ ଦେଖିଲେ ମନ ବୁଝେନା । କ୍ଷଣିକପାଇଁ ପାଖରୁ ଛାଡ଼ିବାକୁ ଇଚ୍ଛା ହୁଏନା ।

 

ସେ ସବୁଦିନ ନୁହେଁ । ସ୍ତ୍ରୀ ସ୍ୱାମୀଙ୍କୁ କୋଳପୋଛା କଣ୍ଢେଇ ପରି ସାଇତି ପାରେ । ଅଭାବ ପଡ଼ିଲେ ସେ ପୁଣି ମାଟି କାଦୁଅକୁ କରି ଘରୁ ପଦାରୁ ପେଲି ପେଲି ବିଦା କରେ ।

 

କହେ, ଆସିଲାବେଳେ ମୁଁ ଏକା ଆସିଥିଲି । ମନ ସକ୍‌ସକ୍‌ ସରିଲାତ । ବିଦେଶ ଯାଅ-। ମୋରି ପାଖରେ ଗୁଞ୍ଜିହୋଇ ରହିଲେ, ସେ ସବୁ ଅଲାଜୁକ ପଣକୁ ବୁଝାଏ । ପିଲାଙ୍କର ପୁଣି ଭବିଷ୍ୟତ ଅଛି ।

 

ବିତୃଷ୍ଣା, ବିଷଣ୍ଣତା ପ୍ରାଣକୁ ଚଳଚଞ୍ଚଳ କରି ସ୍ତ୍ରୀ ମୁହଁରେ ମଳିନତା ଦେଇ ଗାଁ ମୁଣ୍ଡ ଶେଷ କରନ୍ତି ସେ ପୁରୁଷ । କେଉଁଠି ରେଙ୍ଗୁନ ଆଉ କେଉଁଠି କଲିକତା । ରେଙ୍ଗୁନ ଆଉ କଲିକତାର ଦୂରତ୍ୱକୁ ମାପିଲେ ଯେମିତି ସୀମାହୀନ ଅଦୃଷ୍ଟରେ ପୁରୁଷର ବିଚ୍ଛେଦ ପଥ ସେୟା । ଆଖି ପାଏନି ଲମ୍ୱାଇଲେ, କୁଆଡ଼କୁ ଗଲେ ନିଜ ପେଟ ପୋଷି ତିନିଟାଙ୍କୁ ଆଉ ଦେଖିବେ । ନହେଲେ ଦୁନିଆଁ କ’ଣ କହିବ ।

 

ସ୍ତ୍ରୀର କଥାକୁ ପଛକୁ ପେଲିଦେଇ, ସେଦିନ ପୁରୁଷ ରହେ ଗାଁ ମନଠାରୁ ସହର ମନ ଭିତରେ । କେତେ କଷ୍ଟ ସେ ସହର ଚାକିରି । ବିଭାହୋଇ ହାତେ ରନ୍ଧା ବଢ଼ା, କେବେ ଉପାସ କେବେ ହୋଟେଲ । ଦିନେ ପଇସା ନାହିଁତ, ଦିନେ ଧାର । ସବୁ ସେଇ ସହର ଠାଣିର ଜୀବନ ଚକର ଖାଇ ଖାଇ, ପୁରୁଷକୁ ତା’ର ଯନ୍ତ୍ରଣା ସହିବାବୁ ଦିଏ । ଆଉ ବୁଝିବାକୁ ଦିଏ, ତା’ର ପିଲା ଆଉ ଗାଁ କଥା ।

 

ସେଇଦିନ ଠାରୁ ସ୍ତ୍ରୀ ବି ଦୁଃଖରେ ସେ ଘରେ ପଚେ । ଇଲିସି ଶୁଖୁଆରେ ଲୁଣ ଲଦିଲାପରି ତା’ ମନରେ ଯେମିତି କିଏ କ’ଣ କରିଦେଇଗଲା । ସ୍ୱାମୀଙ୍କ ଚିନ୍ତାର ଲୁଣ ସ୍ତ୍ରୀ ମନକୁ ଘାଣ୍ଟି ଚକୁଟି ଥାଏ । ସ୍ୱାମୀଙ୍କର ଏକା ମନ ସକସକକୁ ସେ ସନା ଦୋଷ ଦେଲା । ସ୍ୱାମୀଙ୍କୁ ଅନ୍ତର କଲାପରେ ଆଉ ସକସକ କାହାର । ବୁଢ଼ୀ ବୟସରେ ପୁଣି ଲାଞ୍ଚୁଆ ପ୍ରାଣର ନିରବ ଆତଙ୍କ କାହିଁକି ?

 

ପାଖରେ ଥିଲେ ଦି’ପଦ ମୁହଁରେ କହିଦିଏ । ହୁଏତ ସେ ମୋ’ ଉପରେ ରାଗନ୍ତି ଅଭିମାନ କରନ୍ତି । ଛଳରେ କହନ୍ତି–ମୋ’ପାଇଁ ତୋ ମନରେ ସୁଖନାହିଁ । ପାଖରେ ରହିଲେ ତୋ ମନରେ ବିଷ ଚରିଯାଏ । ତୋ ଆଖିରେ ଆଉ ମୁଁ ସୁନା ଗୌରାଙ୍ଗ ନୁହଁ । ଆଜି କେବଳ ସାକ୍ଷୀ ଗୋପାଳପରି ।

 

ସ୍ୱାମୀକୁ ଆଉ ଉତ୍ତର କିଛି ଦେଇପାରନ୍ତିନି ସ୍ତ୍ରୀ । ଅନେକ ବେଳ ଇମିତି ନିରାଶ, ବେଦନାନ୍ତ ଭାବନାରେ କଟେ । ପୁଣି ରାତି ଛକି ଛକି ଆସେ ସେ ଘରକୁ, ପିଲାଏ ଶୋଇ ପଡ଼ନ୍ତି । ସ୍ୱାମୀଙ୍କ ପାଦ ଘଷିବାକୁ ଚାପିଚାପି ଉଠିଆସେ ପ୍ରାଣପ୍ରିୟା ତାଙ୍କର ।

ଦିନସାରା ଧକେଇ ଧକେଇ ଅନେକ କହି ତାଙ୍କୁ କଷ୍ଟ ଦେଇଛି । ସେ କ’ଣ ପ୍ରାଣକୁ ମୂର୍ଚ୍ଛି ପିଲାଙ୍କ ସୁଖପାଇଁ ଖଟନ୍ତି ନାହିଁ । ଆଉ ଅଧିକ କ’ଣ କରନ୍ତେ ମନ ବୁଝେନା ସେ ପଇସାରେ-। ମନ ବୁଝେନା ପିଲାଙ୍କର ଖାଦ୍ୟ ପ୍ରଦାର୍ଥରେ । ନାହିଁ ଖଣ୍ଡିଏ କୁରୁତା କାହାରି ।

ରାତିରେ ପାଦରେ ହାତ ମାରିଲେ ମଉଳି ପଡ଼େ ସ୍ୱାମୀର ମନ, ସ୍ତ୍ରୀ ଆଖିରେ ଲୁହ ଆସେ । ପାଦକୁ ଛୁଇଁ ଛୁଇଁ ଗଡ଼ିପଡ଼େ ଶେଯରେ ସେ ଅଲୋଡ଼ା ଲୁହ ।

ସେ ଉଠନ୍ତି । କହି ପାରନ୍ତିନି କିଛି । ଖାଲି କହନ୍ତି ସେ ମୋ ଭାଗ୍ୟଲୋ ରାଣୀ, ତୁ କହନ୍ତୁ କାହିଁକି ? ପରିସ୍ଥିତି ପଡ଼ିଲେ ମଣିଷକୁ ଆଉଥରେ ଜନ୍ମ ହେବାକୁ ପଡ଼ିବ । ଏମିତି ବଞ୍ଚିଲା ପ୍ରାଣରେ । ଥାଉ ଆସ ଶୋଇବ ତା’ପରେ–

ସେ ସ୍ତ୍ରୀ ମନରୁ ଗଲାକଥା ପୋଛିଦେଇ ସ୍ୱାମୀଙ୍କ ଉପରେ ଢଳିପଡ଼େ ।

ମୋତେ ଅଭିଶାପ ଦିଅ । ମୋର ମନ କ’ଣ କହେ ତମେ ମୋତେ ଛାଡ଼ି, ଏକଲା କରିଦେଇ ଦୂରେ ଯାଆ । ଅଭାବ ମୋତେ ମୁନିଆ ଛୁରିପରି ପିଲା କେଇଟା ମୋ ହାତରେ ଦେଇଛି । ସେ ଚାରିଟାର ଦୁଃଖ ଦେଖିଲେ ମୋ’ ମନହୁଏ–ମୋର ସେହି ଅଣ୍ଟି ଛୁରିର ତଣ୍ଟି କାଟିବାକୁ ।

ସ୍ତ୍ରୀଙ୍କ କଥା ସ୍ୱାମୀ ନିଶ୍ଚୟ ବୁଝନ୍ତି । ଆଶ୍ୱାସନା ଦେଇ ଅନେକ କଅଁଳ କଥା କହି ବୁଝାଇ ଦେଇ, ବେକ ଉପରେ ଡାହାଣ ହାତଟା ଛନ୍ଦିଦେଇ କହନ୍ତି–ପାଖକୁ ଲାଗିଆସ । ଭାଗ୍ୟରେ ଯାହାଥିବ ଆମକୁ ଭୋଗିବାକୁ ହେବ । ମୁଁ ତ ତମକୁ କେବେ ଦୋଷ ଦେଇନି ।

 

ତା’ପରେ ଉଭୟ ନୀରବ ହୋଇ ଯାଆନ୍ତି । ସେ ଘନ ଅନ୍ଧାର ମଧ୍ୟରେ ଦୁହେଁ ପୁଣି ଖୋଜନ୍ତି ସେଇ ହଜିଲା ଅତୀତକୁ । ଯେଉଁ ପିଲା କେଇଟା ପାଇଁ ସ୍ୱାମୀଠାରେ ସ୍ତ୍ରୀର ଅଭିଯୋଗ । ତମେ ତମରି ପିଲା ପୋଷ, ମୁଁ ପାରିବି ନାହିଁ ଏ ଜଞ୍ଜାଳକୁ ସହି । ବରଞ୍ଚ ମୁଁ ମୋ ବାପଘରକୁ ଚାଲିଯିବି । ମୋ ଚିନ୍ତା ବରଂ ତୁମେ ନ କର ।

 

ସେ ସ୍ତ୍ରୀ ସେତେବେଳେ ସବୁ ବି ଭୁଲିଯାଏ । ଜନ୍ମ ନିୟନ୍ତ୍ରଣକୁ ପଛକୁ ରଖି ଜନ୍ମକୁ ପୁଣି ଥରେ ସ୍ୱାଗତ କରନ୍ତି, ତାଙ୍କର ଆତୁର ପ୍ରାଣରେ ।

 

ଧନ୍ୟରେ ସୃଷ୍ଟି ! ହସ କାନ୍ଦ ସବୁବେଳେ ଦୁନିଆରେ ଗତି କରି କରି ପଥର ଭାଙ୍ଗନ୍ତି ବାଟରୁ । ସ୍ପର୍ଶ କରନ୍ତି ଦୌଡ଼ି ଦୌଡ଼ି ସେଇ କେନ୍ଦ୍ର ବିନ୍ଦୁକୁ ।

 

ତା’ପରେ ନମିତା ଟିକିଏ ହସିଥିଲେ । ମନକୁ ବୁଝେଇକରି କହିଥିଲେ । ସଂସାର କରି ସ୍ୱାମୀଙ୍କୁ କୋଳରେ ପୂରାଇଲେ ଚଳିବନି । ଏବେ କୋଳରେ ପଶିବାପାଇଁ ମୋ ବାବୁନା ଅଛି ।

 

ନମିତା ଯାଇଥିଲେ ଖାଇବାକୁ । ଉଷା ପଚାରୁଥିଲେ । ଭାଇ ସତରେ ଆଜି ଆସିବେ ନାହିଁ । କଳା ହାଣ୍ଡିଆ ମେଘ ଘୋଟିଛି । ଏତେ ବର୍ଷା ଭାଇ ନଆସନ୍ତୁ । ତମେ ଆସ ଖାଇବ ।

 

ସେଦିନ ରାତି ଖିଆ-ପିଆ ସରିଲା । ହାଣ୍ଡିଶାଳର ଶେଷ କାର୍ଯ୍ୟ ସାରି ଉଷା ସେ ଘରର ବତିଟା ଲିଭାଇଲା ବେଳକୁ, ବଡ଼ ଯାଆ ଏ ଘରେ ଶୋଇ ଘୁଙ୍ଗୁଡ଼ି ମାରୁଥିଲେ । ଆକାଶରେ ସେମିତି ମେଘ ଢାଙ୍କିଥିଲା । ନମିତା ଆଖିରେ ଯେମିତି ନିଦ ଢାଙ୍କିହୋଇ ଆସିଲା ।

 

ନିଜ ଶୋଇଲା ଘରକୁ ପଶିଯାଇ ଉଷା ଦେଖିଲେ ସେ ଶୋଇ ପଡ଼ିଲେଣି । ଚଦରଟିକୁ ଉପରକୁ ଟାଣିଦେଇ ଘଡ଼ିଏ କାଳ ବସି ବସି କ’ଣ ଭାବିଲେ ଉଷା ।

 

ତା’ପରେ ଉଷା ଆଖିର ନିଦ ଅଝଟ କରୁଥିଲା ଶୋଇବାକୁ । ଶୋଇ ପଡ଼ିଥିଲେ ଉଷା, ସ୍ୱାମୀଙ୍କ ନିଦ ଭଙ୍ଗାଇବାକୁ ସେ ଆଉ ଚାହିଁନଥିଲେ ।

 

ଶୁଭ ସକାଳର କଳା କାଉଟା ରାବି ଉଠିଲା ।

 

କଡ଼ ଲେଉଟାଇ ଉଷା ଦେଖିଲେ ସଜ ସକାଳର କଅଁଳ ଖରା ଝରକାଦେଇ ଛିଟିକି ପଡ଼ିଛି ଶୋଇବା ଘରକୁ ।

 

କେତେବେଳ ହେଲାଣି ?

 

ଉଷା ଶେଯ ଛାଡ଼ିଲେ । କବାଟ କଣରେ ଚାହିଁଲେ ବଡ଼ ଯାଆଙ୍କୁ । ନାଁ ଅପା ଉଠି ନାହାନ୍ତି । କାନ୍ଥ ଘଣ୍ଟାର ସଙ୍କେତ । ଏକ ଠାରୁ ସାତଯାଏ ଠନ୍‌...ଠନ୍‌...ଠନ୍‌...ହେଲା ।

 

ସାତଟା ବାଜିଲାଣି, ଆରଘରେ ବାବୁନି କାନ୍ଦୁଛି । ରବିବାବୁ ଉଠି ଦେଖିଲେ ଉଷା ଶେଯ ଛାଡ଼ିଲାଣି । ବଡ଼ ଘରେ ବାବୁନିକୁ ବୁଝାଉଛନ୍ତି ବଡ଼ ଭାଉଜ ନମିତା ।

 

ସୁନା ପୁଅଟି ମୋର ଖାଇଦେବନି, ଖାଇଦେ...ଖାଇଦେ...

 

ଗତ ରାତ୍ରିର ନିଥରତା, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଶୃଙ୍ଖଳା । ଅସହଯୋଗପରି ଜୀବନପଥ । ଅଭିମାନ, ଅଭିଯୋଗ, ଅବମାନନାରେ ଏମିତି ସୁଖର ଜୀବନଗୁଡ଼ା କଟୁଛି । ରବି ବୁଝିପାରନ୍ତିନି, ପଚାରିଲେ ସ୍ତ୍ରୀ ଉଷା ଉତ୍ତର ଦେଇ କହନ୍ତି ।

 

କ’ଣ କରିଥାଆନ୍ତି କି ତୁମର, ନିଦ ଆସିଲାରୁ ଶୋଇ ପଡ଼ିଲି, ନିଦକୁ କ’ଣ କେହି ଅଟକାଇ ପାରେ ।

 

ଉଷାଙ୍କ କଣ୍ଠରେ ଏତକ–ତା’ପରେ.........ହସ, ମୁହଁ ମୋଡ଼ାର ଅଭିନୟ ଉଷାର ।

 

କିଛି ବୁଝିପାରନ୍ତିନି ରବି । କାଲି ରାତିର ଘଟଣାଟା ବି ଠିକ୍‌ ସେମିତି ଏକ ଅବାନ୍ତର ପରି ଉଷାଙ୍କ ପକ୍ଷେ । ଶେଯ ଛାଡ଼ିଲା ପରେ ଉଷା ବି କଥା କହୁ ନାହାନ୍ତି ।

 

ରବି ଆମର ଖାଇ ଦେବେନି କି ? ନହେଲେ ସମସ୍ତେ ଖରାପ କହିବେ ।

 

ସେଇ ଆଦିମ କଥା–ଆଜି ଭାଉଜଙ୍କ ପାଖରେ ପୁରୁଣା ହୋଇନି । ଆଜି ବାବୁନାପାଇଁ ସେ ଗେହ୍ଲା, ସ୍ନେହ ଆଉ ମମତା ।

 

ସେ କଥାକୁ ଆଜି ମନେପକାଇଲେ ଆଖିରେ ତାଙ୍କର ସପ୍ତ ସିନ୍ଧୁ ସୃଷ୍ଟି ହେଉଛି । ଭାଉଜଙ୍କ କୋଳରେ ସେମିତି ପୁଅ ହୋଇଥିଲେ ବରଂ ଆନନ୍ଦ ଲାଗୁଥିଲା । କିନ୍ତୁ ଉଷାଙ୍କ କୋଳରେ... ?

 

ମନର ଆଶା ହଜି ଯାଇଛି । ଲିଭି ଯାଇଛି ମନରୁ ଶୁଭ୍ର ଆଲୋକ । ଲୁଚି ଯାଇଛି ସୁସ୍ଥ ଜୀବନର ସ୍ୱାଧୀନ ବିଜୟ, ପରିଚୟ, କ୍ଷତ, ବିକ୍ଷତ, କମ୍ପନରେ ସେ ମନ ଖୋଜି ବୁଲିଛି । ଆଉ କିଛି ଶୂନ୍ୟତା, ନିରୋଳା ଟିକିଏ ।

 

ଏ ଘରଛାଡ଼ି ଚାଲିଯାଆନ୍ତେ ଦୂରକୁ । ଯେଉଁଠି ଏମିତି ଶୁଷ୍କ ସଂସାର ନାହିଁ । ଜଞ୍ଜାଳ ନାହିଁ । ନାହିଁ ଦୁଃଖ ଆଉ ଅନାଟନ ।

 

ନାହିଁ ସ୍ତ୍ରୀଠାରୁ ସ୍ୱାମୀର ପ୍ରାପ୍ୟ ଅଂଶ । ଯେଉଁଠି କୌଣସି ଏକ କ୍ଷତିରେ ଦାୟୀ ହେବାକୁ ହୁଏ ନାହିଁ ସ୍ୱାମୀଙ୍କୁ ।

 

ସେଇଠିକୁ ସେଇ ମନଭୁଲା ନୀଳ ଆକାଶର ଶୂନ୍ୟତାକୁ ।

 

ବାବୁନା ଆସି ଦରଜାରେ ହାତମାରି ଗୁଲୁରୁ ଗୁଲୁରୁ ହୋଇ ଡାକୁଛି ।

 

ସାନ ବାପା !

 

ବାବୁନାର ସାନ ବାପା ଶବ୍ଦଟି ପୁଣି କାହିଁକି ତାଙ୍କର ସୁପ୍ତ ମନକୁ ଜାଗ୍ରତ କରାଇ ଦେଇଥିଲା । ଅଶିତାର କାକର ଦି’ ବିନ୍ଦୁପରି ନୟନରେ ତାଙ୍କର କେତେଟୋପା ଲୁହ ଜମି ଯାଇଥିଲା । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ନଥିବା ରୋଗର କାରଣ ହୋଇଛି । ରୋଗ ଜଣାନାହିଁ, ତା’ପାଇଁ କାରଣ ବି ନାହିଁ । ମଉଷଧି ଲୋଡ଼ା କ’ଣ ?

 

ତଥାପି ମନାନ୍ତର ଯୁକ୍ତି ଅବାନ୍ତର, ଉଷାଙ୍କର ମନ ପଟାପଟି ।

ରବି କ’ଣ ସୁନ୍ଦର ନୁହଁ । ଉଷାଙ୍କ ମନଲାଖି ନୁହଁ କ’ଣ ରବି । ହୋଇନପାରେ ।

ଅନର୍ସ ପଢ଼ା ଉଷାଙ୍କ ପାଖରେ ସେ ଯୋଗ୍ୟ ହୋଇ ନ ପାରନ୍ତି । ଉଷାଙ୍କର ମନଲାଖି ରବି ନୁହନ୍ତି ?

ରବି ଉଠିଗଲେଣି । ସକାଳୁ ଉଠିଲେ ଦୁଆରେ ପାଣି ଢାଳଟିଏ ବି ମିଳେନା ।

ଠିଆ ହେବାର ଅଧ ଘଣ୍ଟାକ ପରେ ଭାଉଜ ଆଣି ପାଣି ଢାଳଟିଏ ପାଖରେ ଥୁଅନ୍ତି ।

ରବିଙ୍କ ଆଖିରେ ପାଣି ନିଗିଡ଼ି ଆସୁଥିଲା । ଚହଲା ପାଣିର ଢାଳକୁ....ଆନମନ ଥିଲା ଲୁହ । ସେ ଲୁହ ଆଜି ହସରେ ମିଶି ଯାଇଛି । ସେହି ହତଭାଗ୍ୟ କପାଳର ଉମରକୋଟ ।

ଗଲା କେତେଦିନ ହେଲା ରବି ଆଉ ନନ୍ଦିକା ଗ୍ରାମର ଜଳ ସ୍ପର୍ଶ କରିନାହାନ୍ତି । ଦୀର୍ଘ ଦିନଧରି ସେ ଆସିନାହାନ୍ତି ଘରକୁ । ନନ୍ଦିକା ଗ୍ରାମର ଛୋଟରାୟ ଘର ବଙ୍କିମ ଛୋଟରାୟଙ୍କର କନିଷ୍ଠ ଭାଇ ବୋଲି ରବିଙ୍କୁ ପ୍ରାୟ ସମସ୍ତେ ଭୁଲି ଗଲେଣି । କାହାରି ବି ଥରେ ମନେପଡ଼ିନଥିବ ରବିଙ୍କ କଥା ସେ ଗାଁରେ ।

କେବଳ ଶାଶୁଙ୍କର ଦେହାନ୍ତ ପରେ, ଯେଉଁ ଛଅ ମାସର ଶିଶୁକୁ ନମିତା କୋଳରେ ପୂରାଇ ବଢ଼ାଇ ଆସିଥିଲେ ଜୀବନ ଦେଇ, ସେଇ ନମିତା ବେଳେ ବେଳେ ଆଖରୁ ଲୁହ ଗଡ଼ାଇ କ୍ରୋଧରେ କଇଁ କଇଁ ହୋଇ କାନ୍ଦନ୍ତି ।

ନମିତାଙ୍କ ବ୍ୟତୀତ ତାଙ୍କ ପାଇଁ କାହାରି ହୃଦୟରେ ବେଦନାନ୍ତ ଭାବ ସୃଷ୍ଟି ହୁଏ ନାହିଁ । କାହାରି ସେ ନୁହଁନ୍ତି । ରବିଙ୍କ ପାଇଁ କାହାରି ହୃଦୟରେ ମାୟା ସୃଷ୍ଟି ହୁଏ ନାହିଁ । ରବିଙ୍କ କପାଳ ଖରାପ ।

ଉମରକୋଟକୁ ଅନେକ ଦିନ ପରେ ଉଷା ଖଣ୍ଡେ ଚିଠି ଲେଖିଥିଲେ । ଲେଖିଥିଲେ କେତୋଟି ଶାସନର ବାର୍ତ୍ତା ।

ମୋତେ ତମ ଘରଟା ଆଦୌ ଭଲ ଲାଗିଲା ନାହିଁ ବୋଲି ବାପାଙ୍କୁ ଡକାଇ ମୁଁ ଏଠାକୁ ଚାଲି ଆସିଛି । ତୁମ ଘର ଅପେକ୍ଷା ମୋତେ ଏଠାରେ ଅନେକ ଭଲ ଲାଗୁଛି । ଜାଣେନା ମୋର ଚାଲି ଆସିବା ତମକୁ କିପରି ଲାଗିବ...... ?

ଏମିତି କେତୋଟି ଧାଡ଼ିରେ......ରବିଙ୍କ ମନରେ ରାଗ ବଢ଼ି ଉଠିଥିଲା । ସ୍ୱାମୀର ଅନୁମତି ଆଉ ସ୍ତ୍ରୀମାନଙ୍କର ଲୋଡ଼ା ହେଉନି......

ଆଉ ଅପେକ୍ଷା କରିନଥିଲେ, ହାତଦି’ଟା ତାଙ୍କର । ଚିଠି ଖଣ୍ଡିକକୁ ଚିରିଦେଇ ଫିଙ୍ଗିଦେଇଥିଲେ ନର୍ଦ୍ଦମାକୁ ।

ଅନିମା ଆଜି ଆସିଛନ୍ତି ।

ତିନିଦିନ ତଳେ ତାଙ୍କୁ ରବି ଆମନ୍ତ୍ରଣ କରିଥିଲେ । ମୋ ବସାକୁ ଥରେ ଗଲେ କ’ଣ ହୁଅନ୍ତା ନାହିଁ ।

 

ରବିଙ୍କ ଠାରୁ ଆମନ୍ତ୍ରଣ କଥାଟାକୁ ଅନିମା ନୂଆପରି ଅନୁଭବ କରିଥିଲେ ସେଦିନ । ଅନିମାଙ୍କୁ ଆମନ୍ତ୍ରଣ କରିବା ମଧ୍ୟରେ ରବିଙ୍କ ମନ ମଧ୍ୟରେ ଅନ୍ୟ ଏକ ସୁପ୍ତ ଆଶା ଛପିରହିଛି ବୋଲି ଅନିମା ଅନୁଭବ କରୁଥିଲେ ସେଦିନ ।

 

ଏତେ ଡେରିରେ ରବିଙ୍କପ୍ରଶ୍ନ

 

ଉତ୍ତର ଦେଇ ଅନିମା କହିଲେ । ଅସୁବିଧା ବଶତଃ ଆସିପାରିନଥିଲି । ରୋଗୀକୁ ଛାଡ଼ି ନଆସିବାଟା ଡାକ୍ତରଙ୍କ ପକ୍ଷେ ସେମିତି ନୂଆ କଥା ନୁହଁ ବୋଲି ମୁଁ ଜାଣେ । ଆପଣ ରାଗିଥିବେ–ସ୍ମିତ ହସୁଥିଲେ ଅନିମା । ନୟନର ଚଳଚଞ୍ଚଳ ଚାହାଣିରେ ରବିବାବୁଙ୍କୁ ଅସ୍ଥିର କରିପକାଇଥିଲେ । ତା’ପରେ ଚାଲିଥିଲା ଗପ । ଅସୁବିଧା ସୁବିଧାରୁ ପଦେ ରୋଗୀକୁ ଛାଡ଼ି ଆସିପାରିନି । ଆସିଥିଲେ ବିଚାରୀର ସର୍ବନାଶ ହୋଇଥାଆନ୍ତା ।

 

ମଫସଲରେ ଘର, ନାଁଟି ତା’ର ମିନି । କୁସୁପୁରର ଗୋଟିଏ ମଧ୍ୟବିତ୍ତ ସାମନ୍ତ ପରିବାରରେ ମିନିର ଜନ୍ମ । ମିନି ଯେତେବେଳେ ପଢ଼ୁଥିଲା ଗାଁ ହାଇସ୍କୁଲରେ ସେତେବେଳେ ମ୍ୟାଟ୍ରିକ ପାସ୍‍ କରିସାରିବା ପରେ, ମିନି ଆଉ ପାଠ ପଢ଼ି ପାରିନି ।

 

ପାଠ ପଢ଼ି ଥାଆନ୍ତା ବୋଲି ମିନିର ଥିଲା ଆଗ୍ରହ । ପାଠ ପଢ଼ାରୁ ମନରବଳ ତା’ର ଭାଙ୍ଗିପଡ଼ିନଥିଲା । ଭାଙ୍ଗିପଡ଼ିଥିଲା ତା’ର ସଂସାରର ପ୍ରାଚୁର୍ଯ୍ୟ । ଅଭାବ, ଅନାଟନ ପାଇଁ ବାପା ମନା କରିଦେଇଥିଲେ । ତୁ ଆଉ ପାଠ ପଢ଼ନି ମିନି, ଦେଖିଲୁତ ତୋ ଆଖି ଆଗରେ ଘଟି ଯାଇଥିବା ବା ବତାସ ।

 

ମୁଁ ଆଜି ବୁଢ଼ା ହୋଇଛି, ମୁଣ୍ଡବାଳ ପାଚି ଝୋଟ ହୋଇଛି । ହେଲେ ମାଆ, ଏମିତି ପବନ ମୋ ଶେଷ ଉମରଯାଏ ଦେଖିନଥିଲି ।

 

ଏ ନୂଆ ପବନ ମାଆ, ନୂଆ ହୋଇ ଆସିଥିଲା ସମସ୍ତଙ୍କଠାରୁ ମୋର ବେଶୀ କ୍ଷତି କରିବାକୁ । ଘରଟା ତ ଉଡ଼ିଗଲା, ଛାତ ଥିଲା ସେ ମାଟିର କାନ୍ଥଟା । ବର୍ଷାରେ ସେ ବି ଗଲା ।

 

ବର୍ଷେ ହୋଇନିତ ମା’, ପାଞ୍ଚ ହଜାର ଟଙ୍କାର ଘର ମୋର ଭୁଷୁଡ଼ି ପଡ଼ିଲା । ଆଉ ବଳନାହିଁ ନା ବୟସ ନାହିଁ । ଘର ଖଣ୍ଡିକୁ ଆଉ କ’ଣ ସତରେ ଉଠାଇ ପାରିବି ।

 

ଆଶା ଥିଲା, ସରକାରଙ୍କ ତରଫରୁ ସମସ୍ତଙ୍କୁ ଘର ଭଙ୍ଗା ସାହାଯ୍ୟ ମିଳିବ । ହେଲାନାହିଁ ମା’, ହେଲା ନାହିଁ ।

 

ସରକାର ଦେଲେ ଘର ଭଙ୍ଗା ସାହାଯ୍ୟ । ସେଥିରେ ଲୋକେ ଘର କଲେ ନାହିଁ ତ ପନ୍ଦର ଦିନର ସୌଦା କିଣିଲେ । ପୁଣି ଏତିକିବେଳକୁ ପାକିସ୍ଥାନଙ୍କର ଦାଉ । ଯୁଦ୍ଧ ଲାଗିଗଲା ସୀମାନ୍ତରେ ହଜାର ହଜାର ଲୋକେ ମଲେଣି । ଖାଇବାକୁ ମିଳିବ କି ନାହିଁ ଦେଖେ ମା’ । ଘର କ’ଣ ହେବ ? ବଞ୍ଚିଲେ ସିନା......

 

ତା’ପରେ ମିନିକୁ ବାପା ତାଙ୍କର ବିଭା କରିଦେଲେ ଏଇ ବାବୁଙ୍କୁ । ଗାଁ ପାଖରେ ଜଣାଶୁଣା ପିଲାଟିଏ କାଳେ ମିନି ସ୍ୱାମୀଥିଲେ । ବିଏ ପାସ୍‍ କଲା ପରେ ମିନିର ବାପା ରାଜି ହୋଇ ମିନିର ସୁଖସ୍ୱପ୍ନକୁ ସତ୍ୟରେ ପରିଣତ କରିବାକୁ ତାଙ୍କର ଏ ଆଶା । ଆଶା ପୂରଣ ହେଲା–

 

ମିନି ଆଉ ତା’ର ସ୍ୱାମୀ ଗାଁରେ ଖୁବ୍‌ ଦିନ ରହି ଆସିଲେ । ଚାକିରିପାଇଁ ଏଇ ଗାଁ ଉମରକୋଟକୁ ।

 

ମୋ ବସାକୁ ଲାଗି କିରାନି ବାବୁଙ୍କ ଘର । ଗୋଟିଏ କୂଅ ପାଣିରେ ଆମ ଦୁହିଁଙ୍କର ଥିଲା ସମାନ ଅଧିକାର । ଆଉ ଆମର ଦୁଇ ପରିବାରର ଘନିଷ୍ଠ ସମ୍ପର୍କ କୂଅଟିରୁ । ସତରେ ଜଗିରଖି ପାଳନ କରୁଥିଲା । ସେ ଘରେ ଯେତେବେଳେ କାନ୍ଦଣା ଶୁଭିଲା, ମୁଁ କ’ଣ ଚୁପ୍‌ ହୋଇ ଗଇଁମାରି ଶୋଇ ପଡ଼ିଥାନ୍ତି ଏତେବେଳେ । ଶୁଣିଲି ସେଦିନ ମିନି କାନ୍ଦୁଛି ଆର ଘରେ ଡାକିଲି ବିଚାରୀ ତା’ର ସେ ସଜକଅଁଳ ଆଖିର ତତଲା ଲୁହକୁ ପୋଛିଲା ମୋର ଆଶ୍ୱାସନା ବାଣୀରେ । ତା’ର ସେ ମଲା ଆଖି ଦି’ଟା ମୋରି ଆଡ଼କୁ ଚାହିଁ ଭରସାରେ ଜଳଜଳ କରି ଚାହିଁଲା । କହୁଥିଲା–ଆଙ୍କ ବିନା ମୋର କେହିନାହିଁ ଅପା, ଶାଶୁ ଶ୍ୱଶୁର ନାହାନ୍ତି ମୋର । ପିଲାଦିନରୁ ମାମୁଙ୍କ ଘରେ ରହି ପାଠ ପଢ଼ୁଥିଲେ । ବିଭାଘରଠାରୁ ଗାଁକୁ ଆସି ତାଙ୍କ ଘରକୁ ସଜାଡ଼ିବାକୁ ମନାକରି ଚାକିରି କରିଛନ୍ତି । ଗାଁରେ କେବଳ ଗୋଟିଏ ବିଧବା ଭଉଣୀକୁ ଛାଡ଼ି ଆସିଛନ୍ତି ତାଙ୍କରି ଭରସାରେ । ବିମାନରେ ଜିଅନ୍ତା ଠାକୁର ବସିଛନ୍ତି ତାଙ୍କରି ଭରସାରେ । ବିମାନରେ ଜିଅନ୍ତା ଠାକୁର ବସିଛନ୍ତି । ତାଙ୍କ ବିନା ଆରଧନା କରିବାକୁ କିଏ ଅଛି ।

 

ମିନି କଥାରେ କାହିଁକି ପ୍ରାଣମୋର ଡହଳ ବିକଳ ହେଲା–ସେ କଥା ମୁଁ ଜାଣେନା । ସ୍ୱାମୀଙ୍କର ଏ ଦାରୁଣ ଦଶାକୁ ଦେଖି ମିନିର ପ୍ରାଣ ସତେ ଯେମିତି ନିରାଶରେ ଭାଙ୍ଗିପଡ଼ୁଥିଲା । ସେମିତି ନିରାଶରେ ଆଖିର ଲୁହ ବୈତରଣୀର ବହଳ ସ୍ରୋତପରି ବହିବାକୁ ଲାଗିଥିଲା ।

 

ମିନିର ଜୀବନ ଗପିବାବେଳେ ଅନିମା ବି କାନ୍ଦି ପକାଇଥିଲେ । ଅନିମାଙ୍କ ନୟନରେ ଲୋତକ ପ୍ରଖର ସ୍ରୋତ କାହିଁକି ଯେ ଗୋଟାଏ ବିଷଣ୍ଣତାର ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା, ସେ କଥା ଅନିମାଙ୍କ ବ୍ୟତୀତ ରବିବାବୁ ମଧ୍ୟ ଜାଣିପାରିଥିଲେ ।

 

ମିନିପରି ଅନିମାଙ୍କର ସ୍ୱାମୀ ନାହାନ୍ତି । ବିରାଟ ଏକ ହୃଦୟ ମନ୍ଦିରରେ ଦେବତା ନଥାଇ ଏତେବଡ଼ ମାଙ୍ଗଳିକ ମନ୍ଦିରର ଦୃଢ଼ତା ଯେ ଅଯଥା ମୂଲ୍ୟହୀନ, ଏ କଥା ଅନିମାଙ୍କ ହୃଦୟ ପଞ୍ଜରୀରେ ଗୁଞ୍ଜରି ଉଠିଥିଲା । ସେଥିପାଇଁ ଯେ ଅନିମାଙ୍କ ମନ ମଧ୍ୟରେ ବ୍ୟାକୁଳତା ନାହିଁ । ଏମିତି କୌଣସି ଝିଅବି କହିପାରେନା ?

 

ପାଖରେ ଡାକ୍ତର ରବିବାବୁ । ଏକା ଗୋତ୍ର, ଏକା ଜାତି । ଯୋଗ୍ୟତା ଉଭୟଙ୍କର ସମାନ । ପାର୍ଥକ୍ୟ କେବଳ ରବିବାବୁ ପୁରୁଷ ଆଉ ଅନିମା ଜଣେ ନାରୀ ।

 

ରବି ବାବୁଙ୍କର ଗୋଟିଏ ବର୍ଷ ପରେ ଅନିମା ଏଇ ଉମରକୋଟ ହସପିଟାଲକୁ ଡାକ୍ତର ହୋଇ ଆସିଥିଲେ । ଉମରକୋଟର ହସପିଟାଲ ଉଭୟଙ୍କୁ ସୁନାମ ପଦରେ ଘୋଷିତ କରିବା ସହିତ, ଉଭୟଙ୍କ ମଧ୍ୟରେ ଗୋଟାଏ ଅବିଚ୍ଛେଦ୍ୟ ମମତାର କୁତମୀନାର ସୃଷ୍ଟି କରାଇଛି ।

 

ଯେଉଁଦିନ ଠାରୁ ଶୁଭ୍ରାଙ୍ଗି ହସପିଟାଲର ପ୍ରାଙ୍ଗଣରେ ରବିବାବୁ ଜଣେ ଡାକ୍ତର ବୋଲି ପରିଚିତ ହୋଇପାରିଲେ, ସେଇ ଦିନଠାରୁ ବାପାଙ୍କର ଅନିମାଙ୍କ ପାଇଁ ଯେଉଁ ବିବାହ ପ୍ରଶ୍ନ ଥିଲା, ସେଠାରେ ଗୋଟାଏ ପୂର୍ଣ୍ଣଚ୍ଛେଦ ସଂକେତ ଥୋଇ ଅନିମା ନିରବ ହୋଇଯାଇଥିଲେ ।

 

ରବିବାବୁ ଗାଁକୁ ଯାଆନ୍ତି ନାହିଁ । ଥରୁଟିଏବି ତାଙ୍କର ଟେବୁଲ ଉପରେ ଚିଠି ଲେଖିବାର ଅଭିନୟ ଅନିମା ଦେଖି ନାହାନ୍ତି । ରବିବାବୁଙ୍କର ଦୈନିକ ଟିପଣୀ ଖାତାକୁ ଅନିମା ପରୀକ୍ଷା କରିଛନ୍ତି । କୌଣସି ଏକ ରୂପସୀ ତରୁଣୀର ଫଟୋ ରହିବାର ସୁସ୍ଥାନ ନଥିଲା ସେ ଟିପଣୀ ଖାତା ।

 

ରବିବାବୁ ଭାରି ନିଷ୍ଠାପର ।

 

ଅଧିକା ଗପିବାତ ଦୂରରେ, କେହି ଅଧିକା ଗପିଲେ ସେ ବିରକ୍ତିରେ ଫାଟି ପଡ଼ନ୍ତି । ଏନାର୍ଜି ନଷ୍ଟ ହୋଇଯିବ ବୋଲି ଅନ୍ୟମାନଙ୍କ ଉପରେ ବିରକ୍ତି ହୁଅନ୍ତି ।

 

ଏତେ ଯାଞ୍ଚ କଲାପରେ ଅନିମା ସିଦ୍ଧ ସତ୍ୟହୋଇ ନିଜକୁ ସନ୍ତୁଷ୍ଟ କରି କହିଥିଲେ ରବିବାବୁ ଅବିବାହିତ...... ?

 

ଅଣ୍ଡାକୃତି ଟେବୁଲର ପାଖରେ ଖଣ୍ଡିଏ ପ୍ଲାଷ୍ଟିକ ବୁଣା ଚେୟାର ଉପରେ ବସିଛନ୍ତି ଅନିମା । ରବିବାବୁ ପଚାରୁଥିଲେ–

 

ଆପଣ ମିନିକୁ ଜାଣନ୍ତି ଅନିମାଦେବୀ, କିନ୍ତୁ ତାଙ୍କ ସ୍ୱାମୀଙ୍କ ବିଷୟରେ କିଛି କହିପାରିବେ ନାହିଁ ।

 

ହସି ହସି ଉତ୍ତର ଦେଇଥିଲେ ଅନିମା । ହସପିଟାଲର ଡେଲି ଡାଏରି ଏ ରୋଗୀଙ୍କପାଇଁ ମୋର ଦରକାର ହୋଇନି ରବିବାବୁ । ପ୍ରାଇଭେଟ ପୁଣି ଗୋଟିଏ କୂଅରୁ ପାଣି ଖାଉଥିବା ଦୁଇଟି ପରିବାର ଆମେ । ମିନି ସହିତ ମମତା ମୋର ଅଶେଷ । ସ୍ନେହ ଆଉ ମମତା ମିନିପାଇଁ ମୋର ଦ୍ୱିଗୁଣ । ବାସ୍ତବିକ ଧରି ନେଲେ ମିନି ମୋର ସାନ ଭଉଣୀଠାରୁ ଆହୁରି ଅଧିକା-। ଅନେକ ଗୁଣରେ ମିନି ସରଳୀ ସୁଠଣିଝିଅ ।

 

ଆଜିର ଦୁନିଆରେ ମିନିପରି ଝିଅ ଅନେକ ଅଛନ୍ତି । ଅନ୍ୟର ମନଜିଣିବାକୁ ସେମାନେ ଏତେ ଯେ ଧୁରନ୍ଧର କୁହନ୍ତୁ ନାହିଁ । ଦରକାର ହେଲେ ସେମାନେ ମିଛ କଥାକୁ ସ୍ୱାମୀଙ୍କ ବିରୁଦ୍ଧରେ ଅଯଥା ଦୋଷ ଲଦିଦେଇ ସ୍ୱାମୀଙ୍କର ବିରୁଦ୍ଧାଚରଣ ହୁଅନ୍ତି ।

 

କିନ୍ତୁ ମିନି ତା’ର ଦୁଃଖ ସୁଖକୁ ଭୋଗ ଦେଇଛି ସ୍ୱାମୀଙ୍କର ସୁନାର ପାଦରେ । ଦୁଃଖକୁ ସୁଖରେ ରୂପଦେଇ ଆନନ୍ଦବିଭୋରୀ ହେବାକୁ ମନରେ ତା’ର ଥିଲା ଅଗୁରର ବାସ୍ନା ।

 

ତଥାପି ମିନି ପ୍ରତି ମୋର କଠୋରତାର ସନ୍ଦେହ ଭୂତ ଗୋଟାଏ ଚକର ଖାଉଥିଲା ।

 

ଆଜି-କାଲିର ଏମିତି ସୁନ୍ଦରୀ ଝିଅ ଅଛନ୍ତି । ଯେଉଁମାନଙ୍କର ରୂପ ଚହଟିଛି । ସୁନାପରି ସେମାନେ ଅଯଥାରେ ଯୌବନକୁ ଚୂନାକରି ଚରିତ୍ରହୀନା ହୋଇଛନ୍ତି ।

 

ଆଖୁ ରସପରି ଦେହର ରଙ୍ଗ ମିନିର । ନାକ ଏକବାର ମସୃଣ, ଖଣ୍ଡା ଧାରପରି ସଳଖ-। ନୟନର ଚାହାଣି ଚକର ଖାଇଛି ଭୁବନ ଭୁଲା ହୋଇ । ସଜ ଉଷାର ଫୁଟନ୍ତା ନବମଲ୍ଲୀକାର କଢ଼ିପରି ଦନ୍ତ ପଂକ୍ତି । ହସିଲେ ସତେ କି ମୁକ୍ତାର ସୌରଭ, ସେଇ ମିନି ଏତେ ସୁନ୍ଦରୀ-। କିନ୍ତୁ ପାଞ୍ଚ ସତୀକୁ ଜିଣିବାର ଝିଅ ସେ ବୋଲି ମୋର ଅଦୃଷ୍ଟର ସତ୍ୟ କଥା ।

 

ମିନିଠାରେ ମୋର ଏତେ ଯେ ଦୃଢ଼ ମନୋଭାବ ଅଛି, ସେ କଥା କାହିଁ ମୁଁ ଜାଣେନା । କାହିଁକି ଯେ ମିନିଠାରେ ମୋର ଏତେ ମାୟା......

 

ମିନି ବିଷୟରେ ବକ୍ତବ୍ୟ ଅନିମା ଶେଷକରି ସାରିଥିଲେ ପ୍ରାୟ । ନୟନରେ ତନ୍ଦ୍ରା ଜଡ଼ି ଆସିଥିଲା କ୍ଷଣକରେ ଚା’ ।

 

ଚାକର ଟୋକାଟା ଚା’ ନେବାକୁ ଡାକିଥିଲା ।

 

ଅନିମାଙ୍କର ଆଖିରୁ ନିଦର ବହଳ ଛାଇଟା ହଜି ଯାଇଥିଲା । କର ପ୍ରସାରଣ କଲାବେଳେ ହାଇଟିଏ ମାରି ରବିବାବୁଙ୍କୁ ଚାହିଁ ପ୍ରଶ୍ନ କଲେ । ମିନି କଥା ଶୁଣି ଆପଣଙ୍କ ମନରେ କାଉଁରି ଲାଗିଲାଣିକି ? ମିନି ବିଭାହୋଇ ସାରିଛି ? ? କିରାନି ବାବୁଙ୍କର ଦେହ ଖରାପ ???

 

ଅନିମାଙ୍କ କଥା ସିଧାସଳଖ ଯାଇ ରବିବାବୁଙ୍କ କର୍ଣ୍ଣ ଗୁହ୍ୟରେ ପ୍ରବେଶ କରିଥିଲା । ଲାଜ ସରମରେ ଆର ଘରକୁ ଉଠି ଯାଇଥିଲେ ରବିବାବୁ ।

 

ରବିବାବୁଙ୍କ ହଠାତ୍‍ ଚାଲିଯିବା ଦେଖି ଖିଲିଖିଲି ହୋଇ ଅନିମା ହସି ପକାଇଥିଲେ ।

 

X X X

 

ମେଘ ଅନ୍ଧାର ।

 

ବାହାରେ ନାଲିରବର ରଙ୍ଗର ବିଜୁଳିର ଝକମକ । ପବନର ବିକ୍ରମ ରୋଷଣି । ରାତି ଅଳ୍ପ ହେଲେବି ସେତେବେଳେ ରବିବାବୁଙ୍କ ହାତ ଘଣ୍ଟାରେ ଆଠଟା ପରେ ସମୟ ହୋଇଥିଲା ।

 

ପାଦ ପରେ ପାଦଗତି ରବିବାବୁ ଅଗ୍ରସର ହେଉଥିଲେ ହସପିଟାଲକୁ । ସର୍ଜିକାଲରେ ଡିଉଟି ।

 

ରୋଗୀର ଚିତ୍କାରରେ କାନ ତାଙ୍କର ନିଥର ହେବ ସେହି ଏକ ରାତ୍ରୀ ।

 

ନିଶାଖା, ନିଭୃତ ଧଳା କୋଠା । ତା’ ମଧ୍ୟରେ ପ୍ରବେଶ କଲେ ରବିବାବୁ ।

 

ବେହେରା ନମସ୍କାର ଜଣାଇଲା ଫାଟକ ପାଖରେ । ପ୍ରତି ନମସ୍କାର ଜଣାଇଲେ ରବିବାବୁ ।

 

ସର୍ଜିକାଲର ତିନି ତାଲାର ଶେଷ କୋଠରୀ । ସତେ ଯେମିତି ରୋଗୀମାନଙ୍କ ଚିତ୍କାରରେ ସେ ନିର୍ବାଚିତ ହୋଇଛି ।

 

ଅନୁନୟ, ବିନୟ ହୋଇ କୋଠରୀଟି କହି ଉଠୁଛି ସାରେ ! ମୁଁ ମରିଗଲି ସାରେ !

 

ଚିତ୍କାର ଆଉ ମରିଗଲି ଶବ୍ଦରେ ଚକିତହୋଇ ବିକୃତ ହୋଇ ଉଠିଲେ ଡାକ୍ତର ରବିବାବୁ-

 

ପନ୍ଦରଟି ଶଯ୍ୟା ଖଚିତ କୋଠରୀରେ ଗୋଟିଏ ବି ରୋଗୀ କମ୍‍ ନାହାନ୍ତି । କିଏ କାନ୍ଦୁଛି, ଆଉ କାହାର ପରିବାରର ଆତ୍ମୀୟଠାରୁ ବସି ରୋଜୀ ଶୁଣୁଛି ଭାଗବତ । ଆଖିରୁ ତା’ର ଲୁହ ନିଗୁଡ଼ିଛି ।

 

ପ୍ରତ୍ୟେକ ବେଡ୍‍ ପାଖରେ ଛୋଟ ଛୋଟ ଗୋଟିଏ ଲେଖାଏ ଆଲମିରା । ଦୁଇ ଥାକରେ ଭରି ରହିଛି ଅଙ୍ଗୁର ବିସ୍କୁଟ ।

 

ଆଉ ଗୋଟିଏ ରୋଗୀ ଶୋଇଛି ବେଡରେ । ଫାଙ୍କା ଆଲମିରା ପାଖରେ ବସିଛି ଜଣେ ଅଳ୍ପ ବୟସ୍କା ତରୁଣୀ । ରୋଗୀ ପାଖକୁ ଲାଗିଯାଇ ତାହାର ହାତଟେକି ଶିରା ଚଳନକୁ ଅନୁଧ୍ୟାନ କରୁଥିଲେ ରବିବାବୁ ।

 

ରୋଗୀର ଶିରାପ୍ରଶିରା ପ୍ରାୟ ଅଚଳପରି ଜଣା ଯାଉଥିଲା । ନିରାଶ ନିର୍ଲିପ୍ତ କଣ୍ଠରେ ରୋଗୀ ବିନୟ ହେଉଥିଲା ଡାକ୍ତରଙ୍କୁ । ଅବସ୍ଥା ମୋର ସାଙ୍ଘାତିକ ସାରେ, ମୁଁ ଆଉ ବଞ୍ଚିବି ନାହିଁ । ହେଲେ...... ?

 

ରୋଗୀଟି ଏତକ କହିବା ମାତ୍ରେ ତଳକୁ ନୟନ ତୋଳି ଚାହୁଁଥିଲା ତା’ର ସ୍ତ୍ରୀକୁ ।

 

ମିନିର ପଲକ ପଡ଼ୁନି, ଡାକ୍ତରବାବୁଙ୍କ ମୁହଁକୁ କଲବଲ କରି ଚାହୁଁଛି । ମିନି ତା’ର ସେହି ଓଢ଼ଣା ତଳେ, ସରୁ ଓଢ଼ଣାର ଚାଲୁଣି ତଳୁ ଫୁଟି ଭାସୁଥିଲା ଆଖିର ଲୁହ । ସୁଁ–ସୁଁ ନାକର କାତରଣ-

 

ମିନିର ହତୋତ୍ସାହର କାନ୍ଦଣା । ଅକାଳରେ ତାଙ୍କର କାଳେ କାଳହୋଇ ଯିବ । ମିନିର ଭାଗ୍ୟାକାଶ ହଠାତ୍‌ ଘନ ଅନ୍ଧାରରେ ବୁଡ଼ିଯିବ । ତା’ପରେ......ବାଆ, ବତାସର ଗତିର ସମ୍ମୁଖୀନ ହୋଇ ମିନି ଆଉ ବଞ୍ଚିପାରିବ ନାହିଁ । ବାପାଙ୍କର ମନ ଗଢ଼ା ମିନିର ସୁନା ସଂସାର ଚିରଦିନ ପାଇଁ ଢଳି ପଡ଼ିବ ।

 

ଏଇ ପ୍ରଶ୍ନ । ଥରେ ନୁହେଁ ଅନେକଥର ଖେଳିଯାଇଛି ଡାକ୍ତରବାବୁଙ୍କ ମନ ଆଉ ଆଖି ଆଗରେ ।

 

ଏହାରି ମଧ୍ୟରେ ମନେପଡ଼ିଛି ଅତୀତର ତାଙ୍କର ବିବାହ । ନନ୍ଦିକା ଗ୍ରାମର ଛୋଟରାୟ ଘରର ସାନବୋହୂ ଉଷା ।

 

ପାଷାଣୀ, ନିଷ୍ଠୁରୀ, ଅପ୍ରିୟା ଉଷା । ଉଷାଠାରୁ ପାଇନାହାନ୍ତି ଜୀବନରେ ଟିକିଏ ହେଲେ ସୁଖ ।

 

ଯାହା ଖୋଜୁଥିଲେ, ସ୍ତ୍ରୀ ଆପଣାର ଦାସୀ ଆଉ ଜନନୀପରି । ଏ ସବୁ କେଇଟା ଦିନ ମଧ୍ୟରେ ତୁଚ୍ଛ ହୋଇଗଲା । ଅବିଚ୍ଛେଦ୍ୟ ମନସୂତ୍ରକୁ ଚ୍ଛେଦ କରି ଉଷାଠାରୁ ଦୂରେଇ ଆସିଲେ ଏଇ ଥାନକୁ । ଏଠି ରୋଗୀର ଯନ୍ତ୍ରଣା ହା-ହାକାର ଶୂନ୍ୟରୁ ଆକଙ୍‌କ୍ଷା । ଯମର ଯନ୍ତ୍ରଣା ତାଙ୍କର ସେହି ଦଗ୍ଧ ମନର କାନ ଦୁଇଟା ଶୁଣିଛି । ଉଷାପରି ପଥର କରିଛନ୍ତି ଛାତିକୁ ସେ, କିନ୍ତୁ...... ?

 

ରୋଗୀର ରୋଗ ଯନ୍ତ୍ରଣାର କଷ୍ଟଠାରୁ ଦ୍ୱିଗୁଣ କଷ୍ଟ ଉପଭୋଗ କରୁଛନ୍ତି ନିଜ ଦେହରେ । ଏ ରୋଗର ଆଶ୍ୱସ୍ଥି ନାହିଁ । ଶାନ୍ତି ନାହିଁ, ନାହିଁ ସୀମା, ନାହିଁ କିନାରା ।

 

ରବିବାବୁ ଫେରିଆସିଲେ ଡିୟୁଟି ରୁମକୁ । ଚେୟାର ପାଖରେ ଠିଆହୋଇ ଦେଖି ନେଉଥିଲେ ରୋଗୀମାନଙ୍କର ଦୈନନ୍ଦିନର ପ୍ରେସ୍‌କିପ୍‌ସନ । ଦୈନନ୍ଦିନର ଔଷଧ ଦେବା ନେବାର ତାଲିକା ।

 

ଶରୀରର ରୋଗ ଜ୍ୱାଳା ବ୍ୟସ୍ତ କରିଥିଲା କିରାନି ବାବୁଙ୍କୁ । ଗୋଟିଏ ଆଖି ଆଗରେ ଚକର ଖାଉଥିଲା ଡାକ୍ତରବାବୁଙ୍କର ହାତରେ ଥିବା ସିରିଞ୍ଜ । ଅନ୍ୟ ଆଖିଟିରେ ମିନିର ସଜ ସରୋଜ ବଦନ । ବିବାହର କେଇଦିନ ପରେ, ମୋରି ଯନ୍ତ୍ରଣାର ଶେଷ ଫଳପାଇଁ ସେ ସୁକୁମାରୀ ତନୁଶ୍ରୀ ଟିକକ ନଷ୍ଟ ହୋଇଯିବ ମିନିର । ଗରୀବ ଘରର ବାସି ପଖାଳରେ ତିଆରି ସୁସ୍ଥ ଶରୀର ଖଣ୍ଡକ, ହୋଇଯିବ ଚୂର୍ଣ୍ଣ-ବିଚୂର୍ଣ୍ଣ । ପତିତା ଅବସ୍ଥାରେ ଛାଡ଼ିଯିବେ ସେ ।

 

ଭଲକରି ଚାହିଁଲେ ମିନିକୁ କୁଳମଣୀ, ନୟନରେ ତାଙ୍କର ପ୍ରଗଳ୍ପା ଗଙ୍ଗାର ସ୍ରୋତ । ଅବିଶ୍ରାନ୍ତ କରୁଛି–ଧାରା ବର୍ଷଣ । ମିନି ଅପଲକେ ଚାହିଁରହିଛି ସ୍ୱାମୀଙ୍କୁ । ପାଖରେ ଆସି ଅନିମା ଠିଆ ହୋଇଛନ୍ତି ।

 

ମିନିର ସେ ଅତି ଆପଣାର ଆଉ ଅତି ନିଜରପରି ପଚାରୁଛନ୍ତି କ’ଣ ହେଲା ? କିରାନି ବାବୁଙ୍କୁ କିଛି ଖାଇବା ପାଇଁ ଯାଚିଥିଲୁ ମିନି ??

 

ସେତେବେଳେ ଅନିମାଙ୍କ କଥା ମିନି ବୁଝିପାରୁଥିଲେ ବି ଉତ୍ତର କିଛି ଦେଇପାରିନଥିଲା-। ଅତୀତ ବର୍ତ୍ତମାନ ଭବିଷ୍ୟତକୁ ଚିନ୍ତା କରି କରି ମିନି କଇଁ କଇଁ ହୋଇ କାନ୍ଦି ଉଠିଥିଲା ଅନିମାଙ୍କ ପାଖରେ । ମନେପଡ଼ୁଥିଲା ମଫସଲର ଶାଗ ପଖାଳ କଥା । ପାଚିଲା ଆମ୍ୱଟିଏ କିମ୍ୱା ସଜନାଶାଗ ଟିକିଏ ପାଇଲେ ତାଙ୍କ ମନରେ ଦୁଃଖ ହୁଏନା । ପ୍ରତିବାଦ କରନ୍ତିନି ଖାଇବାକୁ । ଦ୍ୱନ୍ଦ୍ୱ ନଥିଲା ଭୋଜନର ରୁଚିରେ ।

 

ଆଜି ଏ ସ୍ୱାମୀ ତାଙ୍କର ରୋଗୀ । ଶଯ୍ୟାରେ ଶୋଇରହିଛନ୍ତି । ରୋଗୀର ପଥି, ଅଙ୍ଗୁର, ନାଶପାତି, ବେଦନା ସେ ସବୁ କୁଆଡ଼ୁ ପାଇବ ମିନି । ସ୍ୱାମୀଙ୍କର ଉଦର କଣ୍ଠକୁ ସମ୍ଭାଳି ନେଇ ଥାଆନ୍ତା କିପରି ।

 

କୁଳମଣୀଙ୍କୁ କ୍ଷୁଧା ହେଉଥିଲେ ବି ସେ କଥାକୁ ମିନି ନିକଟରେ ସୂଚାଇ ପାରୁନଥିଲେ । ବିଚାରୀ ବଣ୍ୟ ହରିଣୀ ମନରେ ଚଞ୍ଚଳତା ଫୁଟିବ ? କଳ-କଳ ଛନ ଛନ ଚିନ୍ତା ବିଷାଦରେ ମିନି ଭାବୁଛି ବିଦେଶ ଜୀବନ ମଧ୍ୟରେ ତା’ର ସମ୍ୱଳ ଦି’ପଟ ଚୁଡ଼ି । ସ୍ୱାମୀଙ୍କପାଇଁ ସେଇ ସେତକ ସେ ଉଦ୍ଧାରି ଦିଅନ୍ତା ହାତରୁ । ତା’ କିଛି ଉପାୟ ପାଇନଥିଲା ବାହାରକରି ମିନି ।

 

କିଛି ଉତ୍ତର ନପାଇ ଅନିମା ଘଡ଼ିଏ କାଳ ଠିଆହୋଇ ରହିଲେ ମିନି ପାଖରେ ।

 

ମିନିର ନିରବ ବାଛିଥିବା କାରଣକୁ ବୁଝିସାରି ଅନିମା କହିଲେ ।

 

ଆଚ୍ଛା ହେଉ ମିନି ମୁଁ ଆସୁଛି । ତାଙ୍କର କ’ଣ ଖାଇବାକୁ ଇଚ୍ଛା ଦେବୁ । ଆଉ ଦେହପାଇଁ ତୁ ଯତ୍ନବାନ ହେବୁ ତାଙ୍କର ଅନିମା ଚାଲି ଯାଉଥିଲେ ।

 

ପଛରୁ ଶୁଭିଲା ଅପା !

 

ଡାକ ଶୁଣି ଅନିମା ଫେରିଆସିଲେ ପାଖକୁ । ଆଉ କ’ଣ...ନମିତାଙ୍କ କଣ୍ଠସ୍ୱର ।

 

ଖାଇବାକୁ କ’ଣ ଦେବି ? ମୋ’ ପାଖରେ ଗୋଟିଏ ହେଲେ ପଇସା ନାହିଁ ଅପା ! ବେହେରାକୁ ମୋ’ପାଇଁ ଗୋଟାଏ ବୋଲ କରିବା ପାଇଁ କୁହନ୍ତ ନାହିଁ ।

 

ମିନି ଲୋତକ ଆଖିରେ ଅନୁରୋଧ କରିଥିଲା ଅନିମାଙ୍କୁ । ମୁଁ କ’ଣ ମନା କରୁଛି । ଅନିମା ବେହେରାକୁ ଡାକିଲେ । କରପତ୍ର ଯୋଡ଼ି ବେହେରା ଜଣକ ଆଜ୍ଞା ଅନୁରୋଧ କରୁଥିଲା ।

 

ବେହେରା ହାତକୁ ଚୁଡ଼ି ଦି’ପଟ ବଢ଼ାଇ ଦେଲା ବେଳେ ସ୍ମିତ ହସ ଟିକକରେ ମିନି କହିଲା ଭାଇ ଏଥିରେ କେତେ ପଇସା ହେବ ଆଣନ୍ତ ନାହିଁ ।

 

ପଚାଶ ବର୍ଷର ଚାକିରି କଳର ସେ ଜଣେ କର୍ମୀ । ହସପିଟାଲରେ ଏମିତି ଏକ ନିସନ୍ଦେହି ଲୋକ ସେ ଦେଖିନଥିଲା । କିଛିସମୟ ବେହେରାଟି ଆଶ୍ଚର୍ଯ୍ୟ ଆଖିରେ ଚାହିଁରହିଲା ମିନିକୁ ।

 

ମିନିର ବୈଧବ୍ୟ ହାତ, ସ୍ୱାମୀ ଥାଉଁ ଥାଉଁ ମିନି ଏ କ’ଣ କରୁଛି ।

 

ଏ କ’ଣ କରୁଛ ମିନି–

 

ଅପା କହି କାନ୍ଦି ଲୋଟି ଯାଇଥିଲା ମିନି ।

 

ସଧବା ପରିବର୍ତ୍ତେ ବୈଧବ୍ୟ ରୂପ ବରଂ ଭଲ ଅପା । ମୋ ହାତ ଖାଲିହେଉ । ଖାଲି ନହେଉ ମୋ ହୃଦୟରୁ ମୋର ଅଭୁଲା ସାହାଜାନ । ଦୁଃଖ କଷ୍ଟକୁ ସୁଖରେ ପରିଣତ କରିବାପାଇଁ ଆଙ୍କରି ହାତରେ ବାପା ମୋତେ ଚିରଦିନପାଇଁ ଛନ୍ଦି ଦେଇଛନ୍ତି ।

 

ସେତକରେ ମିନି ଚୁପ୍‍ ହୋଇଯାଇଥିଲା । ସନ୍ଧ୍ୟାର ସେ ପ୍ରଥମ ଆକାଶଟା ସେଦିନ କାହିଁକି ହୁ–ହୁ ହୋଇ ଘନ ଅନ୍ଧାରରେ ଲୁଚି ହୋଇଯାଉଥିଲା । ମିନି ଭୟପାଇ ବାରମ୍ୱାର ଡାକ ପକାଇଥିଲା, ଅପା ଅପା । ତା’ପରେ ମିନିର କଳ କଳ ନାଦିନୀ ଟିକି ଝରଣାଟି ନୀରବରେ ଥମି ଯାଇଥିଲା । ମିନିର ମୁହଁଟି ଅନିମାଙ୍କ କୋଳକୁ ଢଳି ପଡ଼ିଲା କ୍ଷଣିକ ପାଇଁ । ଜୀବନର ଅନେକ ଆଶାକୁ ନିଜରକରି ଅନେକ କିଛି ଖୋଜି ଲାଗିଥିଲା ଅନିମାଙ୍କର ହୃଦୟ କୋଠରୀରେ । ପାଗିଳି ତୁ ମିନି, ଏଇ ଚୁଡ଼ି ତୋର ସ୍ୱାମୀ ହାତରୁ କାଢ଼ିଲେ ଅମଙ୍ଗଳ ଭଉଣୀ । ହାତ ଦେଖା......ମିନିର ହାତରେ ସେ ଦୁଇପଟ ଚୁଡ଼ିକୁ ପିନ୍ଧାଇଦେଇ ଅନିମା କହିଗଲେ ସେ କଥା ମୁଁ ବୁଝୁଛି, ତୁ ଆଉ ବ୍ୟସ୍ତ ହୁଅନି । ମୁଁ ଡାକ୍ତରବାବୁଙ୍କୁ କହିଯାଉଛି ।

 

ଖରାଦିନର ସଞ୍ଜ ।

 

ମଧୁ ମଳୟର ସଞ୍ଜ । ଫୁଲର ବାସନା ।

 

କୋଠରୀର ଚାରିପଟ ଫୁଲ ଗଛର ପ୍ରତ୍ୟେକ ବୃନ୍ତରେ ଫୁଟିଛି ଫୁଲ । ନାଲି, ଗୋଲାପି, କଳା ଧଳାର ଗୋଲାପ, କରବୀର କନିଅର କୃଷ୍ଣଚୂଡ଼ା ଆଉ ଅପରାଜିତା ।

 

ପ୍ରଜାପ୍ରତିର ଗୁଣୁଗୁଣୁ ଗୁଞ୍ଜନ ଆଉ ନାହିଁ ସେ ବଗିଚାରେ । ଅନିମା ଧୀରେ ଧୀରେ ଫାଟକ ବାଟେ ଆସି ଠିଆ ହେଲେ ବଗିଚାରେ ।

 

ରବି ବାବୁଙ୍କର ସୂକ୍ଷ୍ମ ମନଟି ଭାଙ୍ଗିପଡ଼ିଛି, ଉଦବେଗ ହୋଇ ମନ ଅନିମାଙ୍କ ଉଦ୍ଦେଶ୍ୟରେ ।

 

ଅନିମା ଚାହିଁଲେ–ପ୍ରଶ୍ନ କଲେ ।

 

ରୋଗୀମାନଙ୍କୁ ଛାଡ଼ି ଆପଣ ଚାଲି ଆସିଲେ ? ତେଣେ ରୋଗୀମାନଙ୍କ ପରିସ୍ଥିତି କିଏ ବୁଝୁଥିବ ??

 

ଅନିମାଙ୍କ କଣ୍ଠ ଶବ୍ଦ ସ୍ଥଗିତ ହୋଇନଥିଲା....ରବିବାବୁଙ୍କ ଦେହ ଓ ମନ ମଧ୍ୟରେ ସତେ ଯେପରି କିଏ କହି ଯାଉଛି । ତମେ ତମ କାମ କର । ସମୟର ମୂଲ୍ୟ ଅନେକ । କାମରେ ଢିଲା ଦେଲେ ସବୁ କାମ ଇମିତି ପଛକୁ ପଡ଼ିରହେ । ଅକାମ ହୋଇଯାଏ ସେ କାର୍ଯ୍ୟ । ସେଥିରେ ଲାଭ କିଛି ହୁଏନା, ଅସଂଖ୍ୟ ରୋଗୀର ମନକୁ ସୁଖାନ୍ୱିତ ରଖି ଶରୀରକୁ ସୁସ୍ଥ ସବଳ କରିବା ଡାକ୍ତରଙ୍କର ଦୈନନ୍ଦିନର କାମ୍ୟ । ଶିକ୍ଷାର ମହତ୍ୱ । ଆଜି କିନ୍ତୁ ରୋଗୀମାନଙ୍କ ଠାରୁ ଦୂରହୋଇ ଅନିମାନଙ୍କ ପାଖକୁ ଧାଇଁ ଆସିଥିଲେ କାହିଁକି ରବିବାବୁ ।

 

X X X

 

ରବିବାବୁ କେତେବେଳଠୁଁ ଫେରି ଯାଇଛନ୍ତି । ଅନିମାଙ୍କ ମନରେ ଚିନ୍ତାର ସାମଗ୍ରୀ କେତୋଟି ପାଦଭିଡ଼ି ଠିଆ ହେଲେଣି ।

 

ମଣିଷ ତା’ର ଆଶାର ପାରିଜାତକୁ ନିଶ୍ଚିନ୍ତ ଆଉ ନିଜର କରିବାକୁ ସବୁବେଳେ ଚେଷ୍ଟା କରେ ।

 

ପ୍ରେମ ।

 

ପ୍ରେମ ଏଇ ମନ ବୃନ୍ଦାବନରେ ସୃଷ୍ଟିକରେ ସପ୍ତ ରଙ୍ଗର ରଞ୍ଜିତ ଇନ୍ଦ୍ରଧନୁ । ସେଇ ମନରେ ରାଧାଙ୍କର ଗୁଣୁଟୁଣୁ ନୂପୁର ତାଳରେ ବେଣୁପାଣିଙ୍କର ବେଣୁର ସ୍ୱନ ତା’ ଥେଇ ତା’ ଥେଇ ନୃତ୍ୟ କରି ଉଠୁଥିଲା । ସୀତାଙ୍କର ଭୁବନଭୁଲା ରୂପକୁ ଆତ୍ମୀୟ କରିବାପାଇଁ କେତେ ରାଜା ମହାରାଜା କ୍ଷତ୍ରିୟ କୂଳକୁ ଅପମାନିତ କରିଛି ।

 

ରବିବାବୁ ପୁରୁଷ ।

 

ମନର ଇଚ୍ଛା ଗୋଟିଏ ଝିଅକୁ ଏକାନ୍ତରେ ନେଇ ଭ୍ରମରପରି ଗୁଞ୍ଜନ ସୃଷ୍ଟି କରିଥାଆନ୍ତେ ସେ । ପ୍ରାଣକୁ ଶିହରିତ କରିଥାଆନ୍ତେ ।

 

ଏଇ ନିର୍ଜନ ବେଳାରେ ଅନିମାଙ୍କ ପାଖକୁ ଧାଇଁ ଆସିଥିଲେ । ସେତେବେଳେ ପଛରେ ଥିଲେ ଅପୂର୍ଣ୍ଣାଙ୍ଗ ଶରୀରର ରୋଗୀ କେତେଟି । ଆଉ ଆଗରେ ସୁସ୍ଥ ଶରୀରର ପାଣ୍ଡୁରି ବର୍ଣ୍ଣର ଅପରୂପସୀ ଅନିମା । ତାହାହେଲେ..... ? କେତୋଟି ପ୍ରଶ୍ନ କେବଳ ଖେଳିଥିଲା ଅନିମାଙ୍କ ମନରେ-

 

ସକାଳ ।

 

ଲୋହିତ ସୂର୍ଯ୍ୟଙ୍କର ଅମୃତବେଳ ଏଇ ପବିତ୍ର ସକାଳ । କୋଇଲିର କୁହୁ କୁହୁ ତାନରେ ମ୍ରିୟମାଣ ହୋଇଥିଲେ ଅନିମା, ମଧୁମଳୟର ଦୋଳିରେ ଫୁଲରାଣୀ ପରେ ଚୁମ୍ୱନ ଢାଳୁଛି ଭ୍ରମର-। ମନଭୁଲା ବେସୁରା ରାଗିଣୀ ତୋଳିଛି ସେ ।

 

ଦେବାଳୟ, ଦୂରରେ ଶଙ୍ଖର ଧ୍ୱନି । ଶୁଭ ସକାଳର ଦିଅଁପୂଜାକୁ ସମାପ୍ତି କରିବାକୁ ସମବେତ ହୋଇଯିବେନି ପୂଝାରି ପଣ୍ଡା ପଢ଼ିଆରି । ମାଳୀ ଆଉ ଭୋଗ ଦୋକାନୀ, ଦିଅଁଙ୍କର ଅପାର କରୁଣାକୁ ଭିକ୍ଷା କରିବା ନିମନ୍ତେ ଗରାଖିମାନେ ରୁଣ୍ଡହୋଇ ଅନୁଯୋଗ କରୁଥିବ । ବିନୟୀ ହୋଇ ପାଦରେ ସମର୍ପିଥିବେ ମଥା ଆଉ ମନ ।

 

ବାବୁ, ମୋ କଥା ଟିକେ ବୁଝିବେ ।

 

ଦାତବ୍ୟ, ସେ ସରକାରଙ୍କର ଦାତବ୍ୟ ମାଲଷ୍ଟୋରର ଔଷଧ, ଘରୁ ଆଣି ପିତାଙ୍କର ଅର୍ଜିଲା ସମ୍ଫତ୍ତିରୁ ଦାନକଲା ପରି ଡାକ୍ତରଙ୍କର ମୁଖରେ ଶୋଭା ପାଉଥିବ–ଆଚ୍ଛା ହେଉ ଦେଖିବା ।

 

ତା’ପରେ ଡାକ୍ତରଙ୍କର ଅନ୍ତର୍ଦ୍ଧାନ ।

 

ବାବୁ ।

 

ନମିତା ହସିଉଠିଲେ ଖିଲି ଖିଲି ହୋଇ ।

 

ସେ ଯଦି ଡାକ୍ତରବାବୁଙ୍କୁ ଥରେ ଥରେ ଅନୁନୟ ହୋଇ ଭିକ୍ଷା କରନ୍ତି ହୃଦୟର କାମନା ପୂରଣପାଇଁ ।

 

–ତମେ ମୋତେ ଗ୍ରହଣ ନକଲେ ମୁଁ ଖୁସି ହେବିନି ରବିବାବୁ, ସେ ବୁଝିବା । ଏଭଳି ଆଶ୍ୱସ୍ୱିବାଣୀ ଯଦି ଶୁଣାନ୍ତି ମୋ’ପରି ରୋଗୀପାଇଁ ତାଙ୍କ ଷ୍ଟୋରରେ ଯଦି ଔଷଧ ନଥାଏ । ଶରୀର ରୋଗୀମାନେ ତ ସରକାରୀ ଷ୍ଟୋରରୁ ଔଷଧ ନପାଇଲେ ବାହାରୁ କିଣିନେବେ, କିନ୍ତୁ ମୋ’ପାଇଁ...-?

 

ସେ କେଉଁ ଷ୍ଟୋରରେ ମୋ’ପାଇଁ ଔଷଧ ଷ୍ଟକଥିବ ମିଳିନପାରେ ।

 

ଆଜି ପହିଲି ଡାକର ଚିଠି ।

 

ବଙ୍କିମବାବୁ ପାଇଛନ୍ତି ଚିଠି ।

 

ଚିଠିପାଠ କରୁଛନ୍ତି ବଙ୍କିମବାବୁ । ଅନେକ ଦିନ ପରେ ଭାଇଙ୍କର ହୃଦୟ ତରଳାଇ ଦେବା ଭଳି ଚିଠି ସାନବୋହୂ ଲେଖିଛନ୍ତି । ଉଷାଙ୍କର ନିଦ ବୋଧହୁଏ ଭାଙ୍ଗିପଡ଼ିଛି । ଭାଙ୍ଗିପଡ଼ିଛି ଯିଧା ସକରୁଣ ଆର୍ତ୍ତନାଦର ମନଭୁଲା ଚିଠି । ବିଜ୍ଞାନର ଅନର୍ସ ପଢ଼ା ଭାତୃବଧୂଙ୍କଠାରୁ ପାଇବାର ହକ ଦାବିଥିଲା ବୋଲି ଧାରଣା ନଥିଲା ବଙ୍କିମବାବୁଙ୍କର ।

 

ଦେଢ଼ଶୁରଙ୍କୁ ଅଳି ଅନୁରୋଧ କରି କହିଛି ତାଙ୍କୁ ଯିବାପାଇଁ । ବିଭାହେଲା ପରେ ବିଗତ ଦୁଇବର୍ଷ ଝିଅମାନେ ବଧୂବେଶରେ ବାପଘରେ ରହଣି ବିଧି ନୁହେଁ । ଅବିଧି ବୋଲି ଉଷା ସମସ୍ତଙ୍କଠାରୁ ଶୁଣିଲାଣି ।

 

ଉଷାକିଲୋ, ଆ ମା’ ବସ ଅନେକ ଦିନରେତ ମୋ’ଘରେ ପାଦପଡ଼ିଛି । ବାପା ମାଆଙ୍କ ସ୍ନେହ ଶ୍ରଦ୍ଧା ତୁ ଆଉ ମୂର୍ଚ୍ଛି ପାରୁନାହୁଁ । ଘରଟା ଭିତରେ ପଶି ଇମିତି ତୁ କ’ଣ କରୁଛୁ । ଭଲ ଲାଗୁଛିନା ଘରଟା ।

 

କୋଳି ଖାଇ ମଞ୍ଜି ପୋତିଥିଲ ନୁହଁ । ବାପଘରୁ ଆସିଲିଣି ତିନିବର୍ଷ ହେଲା । ବାପା ଆସି ତିନିଥର ଫେରି ଗଲେଣି । ଏମାନେ ମୋତେ ଛାଡ଼ୁ ନାହାନ୍ତି ।

 

ଭାଇନାଙ୍କ କଥା, ସେ କହିବେ ସାନବୋହୂ ଗଲେ ଏ ଘର ଆଉ ଚଳୁନି ବାପା, ସାନବୋହୂ ଯେବେ ତାଙ୍କ ଇଚ୍ଛାରେ ଯିବେ ଯାଆନ୍ତୁ । କିନ୍ତୁ ମୋ ମନ ଥରୁଟିଏ ବି କହିବନି । ସାନବୋହୂ ଏଠାରୁ ଦି’ଦିନପାଇଁ ଗାଁକୁ ଯାଆନ୍ତୁ ବୋଲି । ଭାଇନାଙ୍କ ଠାରୁ ଏପରି କଥା ଶୁଣିଲା ପରେ ମୋ ମନରେ ବାପଘର ଯିବା ଆଶା ଯେତେ ଆବେଗତର ହୋଇଥିଲେ ବି ଯିବି ବୋଲି ଆଗେଇ କଥା ପଦେ ନକହି ବାପାଙ୍କୁ କହେ କିପରିଯିବି ବାପା, ଭାଇନା ମନା କଲେ । ତାଙ୍କ କଥା ଏଡ଼ିଦେଇ ଚାଲିଯିବି ସିନା ଆଜି, ହେଲେ ସବୁଦିନ ପାଇଁତ ଏ ଘର ମୋତେ ଚାହିଁ ବସିବ....ଆଉ ବାପା କିଛି ନକହି ମୋ’ଠାରୁ ମତାମତ ସଂଗ୍ରହ କରି ସେ ଚାଲି ଯାଆନ୍ତି । ଗଲାବେଳେ କହି ଯାଆନ୍ତି ।

 

ଆସିଥିଲି ନବାପାଇଁ ଝିଅ, ମାଆ ତେଣେ ଚାହିଁ ବସିଥିବେ କ’ଣ କରିବା ! ତୋର ସୁଖକୁ ଥରଟୁଏ ମୋ ଘରକୁ ଯାଇ ଜଳାଞ୍ଜଳି ଦେନା । ଭାଇଭଗାରିଙ୍କଠାରୁ ଏତେ ମମତା ପାଇଁ ସବୁଦିନ, ଥରୁଟିଏ ମୋ ଘରକୁଯାଇ ତାକୁ ହରାଇବା ଭଲ ନୁହଁ ।

 

ବାପା ଚାଲିଯାଆନ୍ତି । ସେଇ ବେଳଟି ମୋ ଆଖିରୁ ଲୁହ ଗଡ଼େ । ବଡ଼ ଯାଆ ମୋ ଦେବୀ ସମାନ । ସେ ମୋ ଆଖିର ଲୁହକୁ ଦେଖି ଭାଇଙ୍କ ପାଖରେ ଯାଇଁ ମୋ’ପାଇଁ ଅଳି ମଧ୍ୟ କରନ୍ତି ।

 

ଯାଆଙ୍କ କଥାକୁ ଭାଇ ଦିନେହେଲେ ମାନନ୍ତି ନାହିଁ । ବରଂ ବିରକ୍ତି ହୁଅନ୍ତି ତାଙ୍କ ଉପରେ । କହନ୍ତି, ସାନବୋହୂ ଏଠାରୁ ଗଲେ ମୋତେ ଆଦୌ ଭଲ ଲାଗିବ ନାହିଁ । ସାନବୋହୂତ ଯିବାପାଇଁ ଅଳି କରୁନାହାନ୍ତି ?

 

ସାନବୋହୂ ତମର ଅଳି କିପରି ଆଉ କରନ୍ତେ କି–ତମେ ଦେଢ଼ଶୁର, ତମ ଛାଇ ତାଙ୍କ ଛାଇରେ ପଡ଼ିବା କଥା ନୁହଁ । ସାନବୋହୂର ଅଳି କେବଳ ତାଙ୍କ ଆଖିର ଲୁହରେ ଭାସିଯାଏ । ସେ କଥା ମୁଁ ଦେଖେ ବୋଲି କହେ । ଝିଅ ବାପଘରୁ ଶାଶୁଘରକୁ ଆସିଲେ ବି ବାପଘର ତୋରାଣୀ ମୁନ୍ଦିଏ ପିଇ ଦେବାକୁ ତା’ର ଶୁଷ୍କ ଉଦର ଚାହୁଁଥାଏ । ତମେ ତାକୁ ପଠାଇ ଦିଅ ।

 

ମୋ’ପାଇଁ ଯାଆବି ଅନୁରୋଧ କରନ୍ତି, କିନ୍ତୁ ଭାଇ କେବେ ଯାଆଙ୍କ କଥାକୁ ମାନିବାକୁ ଭଲନପାଇ କହନ୍ତି ତମକୁ ମୁଁ ଦଶବର୍ଷ ହେଲା ବିଦେଶରୁ କିଣି ଆଣିଲି । ତମର ତ ଦିନେ ମନ କହେନା ବାପଘରକୁ ଯିବାକୁ । ତମେ ପୁଣି ଏଠାରେ ରହିଛ ।

 

ଆଉ କ’ଣ କହୁଛ ଉଷା । ଭାଇଙ୍କ କଥାକୁ କାଟିଦେଇ ମୁଁ ଯାଇ ପାରନ୍ତି । ସେ ଦୃଷ୍ଟିରୁ ତମେ ଏଠାରେ ଅନେକ ଦିନ ରହିଗଲଣି ।

 

ସାଇ ଭାଉଜଙ୍କ କଥାରେ ଉତ୍ତର ଦେଇନପାରି ଫେରିଆସେ ଉଷା । ପବିତ୍ର ଭୂମି ସ୍ୱାମୀଙ୍କ ଗୃହଛାଡ଼ି ଏଠାରେ ଆସି ରହିବାଟା ଠିକ୍‌ ନୁହଁ ।

 

ବାର ମୁହଁରେ ବାର ପ୍ରକାର କଥା । ଉଷା ଶୁଣିଛି । ଉଦାସ ନିରାଶ ଆଖିରେ ସେ ଅନେକଥର ଚାହିଁଛି ସେଇ ନନ୍ଦିକା ଗ୍ରାମକୁ । ସ୍ୱାମୀଙ୍କ ଆଡ଼କୁ ଅନେକଥର ମନପ୍ରାଣ ତା’ର ଢଳିଛି-। କେତେ ସରଳା ସେ । ମୋର ଶାସନର କଡ଼ା କଡ଼ା କପିଗୁଡ଼ାକ ସେ ନିରବରେ ସହ୍ୟକରି ଡିଉଯିରେ ଯାଇଛନ୍ତି । ମୁଁ ତାଙ୍କର ସ୍ତ୍ରୀ, ଦିନେହେଲେ ଦାମ୍ପତ୍ୟ ପ୍ରେମରେ ତାଙ୍କ ମନକୁ ଆନନ୍ଦିତ କରିବାକୁ ଦେଇନି । ସ୍ୱାମୀଙ୍କୁ ଦେହ ବିକିବାତ ନାରୀର ପ୍ରଥମ କର୍ତ୍ତବ୍ୟ । ଏତେ ଉତ୍‌କଣ୍ଠାରେ ମୁଁ କାହିଁକି ତାଙ୍କୁ ପରାସ ଦିଏ । ତାଙ୍କ କଥାକୁ ମୁଁ ଦିନେହେଲେ ବୁଝେନା । ବରଂ ଅଯଥା ଅଳି କରେ-। ଭାଇଙ୍କୁ ଏ ହାରଟା ମୁଁ ଫେରାଇ ଦେବି-। ମୋ ମନକୁ ଯାଉନି ଯେତେବେଳେ ମୁଁ ପିନ୍ଧିବି ନାହିଁ-। ସେ କୁହନ୍ତୁ, ଅଳ୍ପ ବହୁତରେ ସନ୍ତୁଷ୍ଟ ହେବା ତ ମଣିଷର କର୍ତ୍ତବ୍ୟ । ତୁ ଫେରାଇଦେଲେ ଭାଇ ଭାବିବେ–ସାନବୋହୂ ମୋର ଅଳ୍ପକରି ଦାନଟିକୁ ଦାନବୋଲି ଗ୍ରହଣ କଲେ ନାହିଁ । ଦାନ ବା ଉପହାରର ପରିମାଣ ଗୋଟାଏ ନଥାଏ ଉଷା । ଭାଇଙ୍କୁ ହାରଟା ଫେରାଇ ଦେବା ମୁଁ ଭାବୁଛି, ହୁଏତ ତମର ଶିକ୍ଷାଗତ ଯୋଗ୍ୟତାକୁ ଭାଇ ତାଙ୍କର ସୂକ୍ଷ୍ମ ମାପକାଠିରେ ମାପିନେଇ ପାରନ୍ତି । ଧନର ମୋହ ସବୁଦିନ ନୁହଁ ଉଷା । ମୋହ କେବଳ ମଣିଷର ସ୍ନେହ ଭିତରେ ଅଭିହିତ । ପରିବାରକୁ ଆନନ୍ଦ ଦେଇ ଜାଣିଲେ ନିଜର ଆନନ୍ଦଟାକୁ ଆଉ ଖୋଜିବାକୁ ପଡ଼େନା । ସୁନା ହାରଟି ମୁଁ କରିଦେବି–

 

ସେଇ ସ୍ୱାମୀଙ୍କର କଥାକୁ ମୁଁ ପଥରପରି ଶୁଣି ରହିଯାଏ । ଦିନ କେଇଟା ଗଡ଼ିଗଲେ ଦୁନିଆଁର ଝିଅବୋହୂ ମୋ ଆଖିରେ ପଡ଼ିଲେ । ତାଙ୍କର ରଳଙ୍କାରର ବେଶ ଦେଖିଲେ ମୋ ମନରେ ସ୍ୱାମୀଙ୍କଠାରେ ଈର୍ଷାର ଛୁଞ୍ଚିଫୋଡ଼େ । ମୁଁ ତାଙ୍କୁ ଅନେକଥର ମୁହଁଖୋଲି କହିଛି । ବୟସ ବେଳେ ଆମର ସୁଖ କରିବା କଥା । ଏଇନେ ପିନ୍ଧିବି ନାହିଁତ ଆଉ କେଉଁଦିନ ପିନ୍ଧିବି ।

 

ବାରମ୍ୱାର ଏକ ଜିଦ୍‌ ଅଶୋଭନୀୟ । ମୋତେ ସେ ଅନେକ ଚେଷ୍ଟାକରନ୍ତି ବୁଝାଇବା ପାଇଁ । ମୁଁ ତ କାହିଁ ବୁଝେନା, ନବୁଝିଲେ ସେ ରାଗରେ ଚିଡ଼ି ଚିଡ଼ି ହୁଅନ୍ତି, ଗାଳିଦିଅନ୍ତି ।

 

ସେ ଗାଳି ଦେବାର ଭାଷା ନିହାତି କଟୁପରି ଲାଗେ ମୋତେ ତାଙ୍କୁ ମୁଁ ବି ଛାଡ଼ିପାରେନା ରାଗରେ, ମୋ ରାଗ ବେଳେ ମୁଁ ଶାଶୁ ଶ୍ୱଶୁର ମାନେନା । ମନକୁ ବାଧିଲା ଭଳି କେତେ କଥା ମୁଁ କହିଛି ତାଙ୍କୁ । ତା’ପରେ ମୋ ଆଖିରୁ ଲୁହ ଗଡ଼ିଛି । କେବଳ ସ୍ୱାମୀଙ୍କଠାରୁ ଏମିତି କଥା ମୁଁ କାହିଁକି ଶୁଣିବି । ଦିନେ କି ଓଳିଏ ଖାଏନା ରୁଷେ ।

 

ସ୍ୱାମୀଙ୍କର ଦରଦ ମୋ ଉପରେ ଭାଙ୍ଗିପଡ଼େ । ଆସନ୍ତି ସେଇ ଶୋଇଲା ଘରକୁ । ମୋ ଆଖିର ଲୁହକୁ ସେ ଅନେକଥର ପୋଛିଛନ୍ତି । ଖାଇବାକୁ ବାଧ୍ୟକରି ରାଣ ନିୟମ ପକାଇଛନ୍ତି । ତଥାପି ମୁଁ ଖାଇନି । ମୁଁ ନଖାଇଲେ ସେ ବି ଉପାସ ରହନ୍ତି ।

 

ସେମିତି ବଡ଼ କଥା ନୁହଁ । କହନ୍ତି ତୁ ଭାତ ନଖାଇଲେ ମୁଁ ବିଷ ଖାଇଦେବି ଉଷା, ମୋତେ ବିଭା ହୋଇ ତମେ ଯଦି ସୁଖିନୁହଁ ହିନ୍ଦୁ ଆଇନରେ ଅଛି ତମେ ମୋତେ ଛାଡ଼ପତ୍ର ଦେଇ ବିଭା ହୋଇପାର । ତମର ଯଦି ରାଜପୁତ୍ର ବିଭା ହୋଇ ରାଜରାଣୀ ହେବାକୁ କଳ୍ପନା ଥିଲା, ମୋତେ ବିଭା ହେବାକୁ ଇଚ୍ଛା ନକରି ମନା କରି ଦେଇଥିଲେ ଭଲ ହୋଇ ଥାଆନ୍ତା । ସଂସାର କରି ଏତେ ଉଦାସିଆ ମନୋଭାବ ନେଇ ଚଳିଲେ ଚଳେନା ? ତମେ ନୂଆହୋଇ ଏ ଘରକୁ ଆସିଛ । ଦେଶର ନିତି ଦୃଷ୍ଟିକୁ ଲକ୍ଷକଲେ ମୋର କର୍ତ୍ତବ୍ୟ ତମକୁ ଅଳଙ୍କାର କରିଦେବା, କିନ୍ତୁ ପରିବାରରେ ଥାଇ ଏତକ କରିଦେବି ସିନା ମୂହର୍ତ୍ତଟିଏ ଲାଗିବ ନାହିଁ । ହେଲେ ନିନ୍ଦାପାଇଁ ମୋତେ ମରିବାଯାଏ କଳଙ୍କିତ ଜୀବନ ନେଇ ବଞ୍ଚିବାକୁ ହେବ ।

 

ଠାକୁରପରି ସ୍ୱାମୀ, ତାଙ୍କ କଥାକୁ ଅନେକଥର ଏଡ଼ିଦେବା ଉଷାଙ୍କ ପକ୍ଷେ ନୂଆକଥା କିଛି ନୁହେଁ । ଆଜି ଉଷାଙ୍କ ମନରେ ସେଇ କଥା ଉଙ୍କି ମାରିଛି ।

 

ଉଷାର ମନ ପରିବର୍ତ୍ତନର ଚିଠି ପାଇଛନ୍ତି ବଙ୍କିମ ବାବୁ । ସେ ସବୁବେଳେ କହନ୍ତି, ଯେ ରାଗୁଛି ତାକୁ ରାଗିବାକୁ ଦିଅ । ସେ ବଳେ ବୁଝନ୍ତୁ । ଯେ କୁପଥକୁ ଯାଉଛି ତାକୁ ପରିଷ୍କାର ପଥ ପାଇବାକୁ ଠିକିବାକୁ ପଡ଼ିବ–ନ ହେଲେ ସୃଷ୍ଟିରେ ଶକଟ ଦୁନିଆରୁ ରକେଟ ଦୁନିଆର ବି ହୋଇପାରିନଥାଆନ୍ତି ।

 

ନମିତା ପାଖକୁ ଡାକିଲେ ବଙ୍କିମ ବାବୁ । ସେତେବେଳକୁ ଦି’ଘଡ଼ିପରେ ଚାନ୍ଦ ଚାଳ ଉପରକୁ ମୁଖଟେକି ଚାହିଁଲେଣି ଉପରକୁ । ବାତ୍ୟାରେ ଉଡ଼ିଯାଇଥିବା ବଙ୍କିମ ବାବୁଙ୍କ ଚାଳକୁ ।

 

X X X

 

ପୂର୍ବରେ ଉଦୟ ହେବା ବାଳସୂର୍ଯ୍ୟ ଆଜି ପଶ୍ଚିମରେ ଉଦୟ ହେଲାପରି ଅନୁଭବ କରୁଥିଲେ ବଙ୍କିମ ବାବୁ । ସାନବୋହୂଙ୍କର ଏ ଘରଛାଡ଼ି ଯିବାଠାରୁ ଏଘରଟା ତାଙ୍କୁ ଅଲଗା ଅଲଗା ଲାଗୁଥିଲା । ଘରର ପ୍ରତ୍ୟେକ ଛୋଟ କୋଠରୀର ରୂପ ନୂଆପରି ଲାଗୁଥିଲା ତାଙ୍କୁ । ହତଶିରୀ ପରି ଅନୁଭବ କରୁଥିଲେ ସେ ଘର । ନମିତା ଆସି ଉଷ୍ମ ସକାଳର ଗରମା ଗରମ ଚା’ କପ୍‍ଟି ଧରି ସ୍ୱାମୀଙ୍କ ପାଖରେ ଠିଆ ହୋଇଛନ୍ତି । ଅନୁଭବ କରୁଛନ୍ତି ସ୍ୱାମୀଙ୍କର ମନର ଅଶେଷ ପରିବର୍ତ୍ତନକୁ-

 

ଦିନେ ସ୍ୱାମୀ ତାଙ୍କୁ କହୁଥିଲେ, ଧରିନିଅ ଉଷା ଏ ଘରର ବୋହୂ ନୁହଁ, ଆଉ ରବି ଏ ଘରର ପୁଅ ନୁହଁ । ମୁଁ ଘରର ଚଳନ୍ତି ଓ ଭାବି ଦାୟଦ । ଆଉ ତମେ ଏ ଘରର ସେହି ଓଢ଼ଣାଟା କୁଳ ଭୁଆସୁଣୀ । ତମକୁ ଏ ଘର ପକ୍ୱକରି ଦେବାକୁ ସୁବିଧା ପାଇନି–ଉଷା କଥାକୁ ତମେ ଭୁଲିଯା-

 

ଆମର କରିଥିବା ଆଶ ସେମିତି ଆଶାରେ ରହିଯାଉ । ଆଜି ତାଙ୍କ ମୁଖରେ ଲୋଭିଲା ଆଶାର ପ୍ରଦୀପ ଜଳୁଛି । ହସୁଛି ଆଶାର ସ୍ତୂପ ।

 

ଚାହା ନିଅ ! ନମିତା କହିବାରୁ ଅନ୍ୟମନସ୍କ ପରି ହାତକୁ ଚା’ କପ୍‍ଟି ନେଇ ଚାରି ଢୋକରେ ଟାଣିନେଲେ ବଙ୍କିମ ବାବୁ । ଆଉ କହିଲେ ନିଅ, କପ୍‌ଟା ନମିତାଙ୍କ ହାତକୁ ବଢ଼ାଇଦେଇ ପୁଣି ନିଶ୍ଚିତ ହୋଇ ବସିପଡ଼ିଲେ ।

 

ନମିତା ପଚାରିଲେ କ’ଣ ଭାବୁଛ ତମେ । ଆଜି କ’ଣ ଦୋକାନକୁ ଯିବନାହିଁ କି ?

 

ବଙ୍କିମ ବାବୁଙ୍କର ମନ୍ଦ ମନ୍ଦ ହସ, ଆଉ ହାତ ଦି’ଟା ନମିତାଙ୍କ ହାତ ଦି’ଟାକୁ ଟାଣି ନେଉଥିଲେ ପାଖକୁ–କହୁଥିଲେ ତମେ ଆଉ ଘର କଣର ବୋହୂ ହେବ ନାହିଁ । ଉଷା ସାନବୋହୂ ଏଥର ତମ ଦୁଃଖ ବୁଝିବେ ।

 

ଏତେ ଦିନ ହେଲା ଉଷାତ ବୁଝିନଥିଲା, ଆଜି ସେ ବୁଝିଲା । ସେଇଠୁ ମୋ ଦୁଃଖ ପାଣି ହେଇଗଲା ନୁହଁ, ସେ ମନଭୁଲା କଥା ମୋତେ ଆଉ କୁହନା । ତୁମେ କ’ଣ ଆଜି ଦୋକାନକୁ ଯିବନାହିଁ କି ଗରାଖ ତେଣେ ଥାଟପତ୍ର ଭାଙ୍ଗୁଥିବେ ଦୁଆରେ । ବଙ୍କିମ ବାବୁଙ୍କୁ ଏତିକ କଥା ଆଉଥରେ ଚେତାଇ ଦେଇ କହିଲେ ଦୋକାନକୁ ଯିବା କଥା ନମିତା ।

 

ରବିକଥା ଚିନ୍ତାକରି ତ ଚାକିରି ଖାଇଥିଲ, ଆଜି ଉଷା କଥା ଭାବି ଦୋକାନକୁ ଯାଅନା । ଗରାଖଗୁଡ଼ା ଏଣେତେଣେ ହୋଇଗଲେ ଭଙ୍ଗାଘର ସଜାଡ଼ିବା ଏଇଠୁ ରହିଯିବ । ହଁ ନମିତା ଘର ଭିତରକୁ ପଶିଲେ-

 

ନମିତାଙ୍କ କହିବା କଥାକୁ ବଙ୍କିମ ବାବୁ ବିଶ୍ଳେଷଣ କରିନେଇ ଚିନ୍ତା କରିଥିଲେ ଅନେକ-

 

ସାନବୋହୂଙ୍କ ଆସିବାଟା ଯେ କେଉଁଟା ଠିକ୍‌, ସେ ଯେଉଁଦିନ ଜାଣିବେ ରବି ବି ଏ ଘରକୁ ଆସୁନାହିଁ । ତାହାହେଲେ ସାନବୋହୂଙ୍କର ଏ ଘରକୁ ଗମନ କରିବାଟା ସଠିକ୍‌ ହେବନି । ପୁଣି ଆଗ କଥାକୁ ମନେପକାଇ ଚୁପ୍‍ ହୋଇ ବାପଘରେ ରହିଯାଇପାରନ୍ତି ।

 

ଦୋକାନର ଚାବିଟି ନମିତା ଆଣି ହାତରେ ଦେଲେ । ବଙ୍କିମ ବାବୁ ଚାବିଟି ଧରି ଧୀରେ ଧୀରେ ବାହାରିଲେ ଦୋକାନ ଆଡ଼େ ।

 

ରବି ଏବଂ ଉଷାର ଏ ଘର ଛାଡ଼ିଲା ପରେ ବଙ୍କିମ ବାବୁଙ୍କୁ ଭୁଲାଇ ଦେଇଛି ଏ ଦୋକାନ । ଦୋକାନଟି ନ କରିଥିଲେ ବଙ୍କିମ ବାବୁ ଚଳିପାରିନଥାନ୍ତେ ସଂସାର ନେଇ । ଫଗୁଆ ଆଉ କ୍ଷୀରବାଲା ପରି ଯେତେ ଜଣଙ୍କର ବାକିଥିଲା ସେମାନଙ୍କୁ ପରିଶୋଧ କରିବା ପାଇଁ ସେ ଜମିରୁ କିଛି ପରହସ୍ତ କରିଦେବାକୁ ବାଧ୍ୟ ହୋଇ ଥାଆନ୍ତି । ପିତୃ ଅର୍ଜିତ ସମ୍ପତ୍ତିରେ ଅନ୍ୟଜଣଙ୍କର ହଳ ପଡ଼ିଥିଲେ ତାଙ୍କ ଛାତିରେ କୁଠାରର ବାଜି ଥାଆନ୍ତା ଚୋଟ । ସମ୍ଭ୍ରାନ୍ତିର ସ୍ଥିତି, ସୁଖ୍ୟାତି କେବଳ ଛୋଟରାୟ ପରିବାରକୁ ଆଗକୁ ନେଇଯିବାର ଯେଉଁ ଗର୍ବ, ସେ ଗର୍ବ କେବଳ ସେହି ଭୂ-ସମ୍ପତ୍ତି କେଇ ଏକର ନହେଲେ ସେ ଘରର ସୁଖ୍ୟାତିକୁ ଆଜି କିଏ ମନେପକାଇ ଛୋଟରାୟ ଘରର ପରିବାରକୁ ଏତେ ସମ୍ମାନିତ କରି ରଖିଥାଆନ୍ତା ।

 

ଆଜି ଟିକେ ଡେରି ହୋଇଗଲା । ଆଚ୍ଛା ଠିକ୍‌ ଅଛି । ବଙ୍କିମ ବାବୁ ଦୋକାନର ଚାବି ଖୋଲି ଗରାଖିକୁ ସୌଦାଦେବା ଆରମ୍ଭ କଲେ ।

 

X X X

 

ଗୋଧୂଳି ସନ୍ଧ୍ୟାକୁ ନେଇ ଘରଟାରେ ଏକଲା ବସି ରହିଛି ମିନି । ନିରବରେ ନିଚ୍ଛ୍ୱାସରେ, ପତଳା ନୟନ ପରଦାରୁ ପୋଛି ହେଉଛି ଲୁହ । ଅତୀତର ବେଦୀ ମଣ୍ଡପର ତୋରଣତଳେ । ଚନ୍ଦ୍ରଙ୍କର ସେହି ସଦ୍ୟ ବିସ୍ତୃତର ଧଳା ଆଲୋକରେ । କୁଳମଣିଙ୍କର ଚନ୍ଦନ ଚର୍ଚ୍ଚିତ ରୂପ ଦେଖିଥିଲା ମିନି–

 

କମନୀୟ, ଅନବଦ୍ୟ ସେ ରୂପ । ବିରଳ ସେ କୋମଳତା ଚର୍ମର ମସୃଣତା ।

 

ମିନି ଆଗରୁ ଶୁଣିଥିଲା ବାପା-ମା’ ଛେଉଣ୍ଡ କୁଳମଣି । କିନ୍ତୁ ମିନିର ବି ବୋଉ ନଥିଲେ, ସେ ପରପାରୀରେ ଥାଇ ମାଇଁଙ୍କୁ ବେଦୀ ଉପରେ ବସି ମିନିକୁ ବିବାହ ଦେବାର ପୂର୍ଣ୍ଣ କ୍ଷମତା ଦେଇଥିଲେ ବୋଉ ।

 

କୁଳମଣିଙ୍କ ପଡ଼ିଶାର ଦାଦି ମଧ୍ୟ ସେଦିନ ଆସିଥିଲେ ପିତାଙ୍କର ସମୁଦି ସମ୍ପର୍କ ଘେନି–କୁଳମଣିଙ୍କର କେହି ନଥିଲେ ।

 

ହାତଗଣ୍ଠି ପଡ଼ିଲା ପରେ ମିନିର ଅନ୍ଧାର ହୃଦୟରେ ଆଲୋକର ପୁଚିଖେଳର ସୃଷ୍ଟି ସମ୍ଭବ ହୋଇଥିଲା ।

 

କୁଳମଣି ଆଜି ଏକା ନୁହଁ । କିଏ କହୁଥିଲା, କୁଳମଣିଙ୍କର କେହି ନାହିଁ । ମୁଁ ଅଛି ।

 

ଆତ୍ମା ।

 

ମିନିର ସେ ଆତ୍ମା ଜୋରରେ କହି ଉଠିଥିଲା ତାଙ୍କର କିଏ ନାହିଁ....ସବୁ ଅଛି.....ସେଦିନର କଳ୍ପନା, ଆଜି ସ୍ୱପ୍ନର ଉପଢୌକନ ହୋଇଛି । କୁଳମଣି ଯଦି ମିନିକୁ ନିର୍ଜାତନା ଦେବାକୁ ଚାହାଁନ୍ତି ମିନିର ସେ କେହି ନୁହନ୍ତି ବୋଲି ଭାବି, ମିନିକୁ ଏକା କରିଦେଇ ଯିବାକୁ ତାଙ୍କର ଲକ୍ଷ୍ୟ ଯଦି ଏକ ହୋଇ ଜିଦ୍‍-ରେ ବେଡ୍‍ରୁ ନଫେରନ୍ତି ?

 

ମିନି କାନ୍ଦିବତ ?

 

କାନ୍ଦୁ । କାନ୍ଦି କାନ୍ଦି ଆଖିର ଲୁହରେ ସମୁଦ୍ର ସୃଷ୍ଟି କଲେବି କୁଳମଣି ଋଷିଙ୍କର ମନମତାକୁ ଏକାଗ୍ରତାକରି ଚଳାକରେ ମିନିର ସେ ସମୁଦ୍ରକୁ ଶୁଖାଇଦେଇ ମରୁ ମରିଚିକାର ରୂପଦେଇ ପାରନ୍ତି । ମିନି ଆଉ କାନ୍ଦିବ ନାହିଁ ?

 

ମିନିର ସେ ଚିନ୍ତା ଶେଷ ହୋଇନି–ଦରଜା ଖୋଲିବାପାଇଁ ଖିଡ଼ିକିରେ ହାତ ମାରିବାର ଶବ୍ଦ ଶୁଣିଲା ମିନି ।

 

ଅପା !

 

ଘର ଭିତରୁ ଜବାବ ଦେଲା ମିନି । ଉଦ୍‌-ବେଳିତରେ ହୃଦୟ ତା’ର ଥରିଉଠୁଥିଲା, ଦୋହଲି ଯାଉଥିଲା ଆଖି ଦି’ଟା । ସ୍ୱାମୀଙ୍କର ଖବର ନେଇ ଆସିଥିବେ ଅପା ।

 

ମିନି ଦରଜା ଖୋଲିଦେଲା ।

 

ମିନି ! ତୁ ଏଯାଏ ଶୋଇନଥିଲୁ ।

 

–ଆଖିକୁ ନିଦ ଆସିଲେ ସିନା ମୁଁ ଶୋଇଯିବି–ଡାକ୍ତରବାବୁ ! ତିନିମାସ ହେଲା ଏ ଆଖିକୁ ଆଉ ନିଦ ଆସୁନି–ଭୋକ କ’ଣ ଜାଣି ବି ପାରୁନି । କହିବେକି ତାଙ୍କ ଖବର କିଛି ନେଇ ଆସିଛନ୍ତି ଆପଣ । ଡାକ୍ତରବାବୁ ମେଡିକାଲକୁ ଯିବାପାଇଁ ମିନିକୁ ଡାକୁଥିଲେ ।

 

ତରବରରେ ମିନି ଲୁଗା ପିନ୍ଧିବାକୁ ବ୍ୟଗ୍ର ହୋଇ ଉଠିଥିଲା । ଜୀବନ ତା’ର ଦେହାନ୍ତ ହେବାକୁ ଯାଉଛି । ଲଜ୍ଜା, ଭୟ ଏ ସବୁକୁ ଆଦୌ ଲୋଡ଼ିବାର ପ୍ରୟାସ ନଥିଲା ମିନିର ।

 

ମିନିର ଅଜଣାରେ ଡାକ୍ତରବାବୁଙ୍କର ଆଖି ଦି’ଟା ବୁଲି ଯାଉଥିଲା ମିନର ସେହି ସଂକ୍ରମିତ ସୁନ୍ଦର ରୂପରେଖାରେ । ଏଇ କେତେଦିନ ହେଲା ମିନିର ଶରୀର କ୍ଷୁଣ୍ଣ ହୋଇଛି । ତଥାପି, ରୂପର ମଳିନତା ନାହିଁ, କ୍ଷୁଣ୍ଣ ହୋଇନାହିଁ ସେ ରୂପର କ୍ରିୟଦାଂଶ ।

 

ସେ ରୂପକୁ ଚକିତ ନୟନରେ ଚାହିଁଥିଲେ ଡାକ୍ତର ରବିବାବୁ ।

 

ମିନିର ଏ ରୂପକୁ ଛାଡ଼ି କୁଳମଣି କ’ଣ ସତରେ ଚାଲିଯିବେ । ତାହାହେଲେ.... ? ମିନିର ସେ କଅଁଳ ଗଣ୍ଡରେ ପ୍ରଜାପତିର ଶୃଙ୍ଗାରିତ ଦଂଶନକୁ...... ??

 

କୁଳମଣି କ’ଣ ଉପଭୋଗ ନକରି ଛାଡ଼ିଯିବେ ? ମନମତାଣିଆ ଉନ୍ନନ ସ୍ତନ ଦି’ଟା କ’ଣ କଅଁଳ ଶିଶୁର ମୁଖରେ ଅମୃତର ସ୍ରୋତ ବୁହାଇ ଦେବାକୁ ବାରୁଟିଏ ସୁଯୋଗ ପାଇବେ ନାହିଁ-। ମିନିର ସେ ଉତ୍ତଳା ଯୌବନ କ’ଣ ସେମିତି ବିଶ୍ରାମ ନେଇ ଚୁପ୍‍ ହୋଇ ରହିଯିବ ?

 

ଡାକ୍ତରବାବୁଙ୍କର ଲୋଭିଲା ଆଖି ଦି’ଟା ଆସ୍ତେ ଆସ୍ତେ ସଞ୍ଜତ ହୋଇଯାଇଥିଲା । ଦରଜା ବନ୍ଦ କରିଲା ମିନି–ରିକ୍‌ସା ଚାଲିଲା ରାଜପଥରେ ମେଡିକାଲକୁ...ଡାକ୍ତର ଅନୁଭବ କରୁଥିଲେ ମିନିକୁ । ମିନି ତାଙ୍କର କାନ୍ଧ ଆଡ଼କୁ ଢଳିବାର ଏକ ଦୃଶ୍ୟ, ଶିହରିତ କରିଥିଲା ଡାକ୍ତରଙ୍କ ମନ । ଡାକ୍ତରଙ୍କର ମନ ଭିତରେ ସତରେ ଯେମିତି କିଏ ବିଦ୍ରୋହ କରି ଉଠୁଥିଲା । ଉଷା, ଉଷା, ଉଷା–

 

ପାପିନୀ ଉଷା, ପାଷାଣୀ ତୁ ।

 

ସେଦିନ ରିକ୍‌ସାରେ ବସି ଡାକ୍ତରବାବୁଙ୍କ ଆଖିରେ ଲୁହ ଦେଖିଥିଲା ମିନି । ନିଜ ଆଖିରେ ହାତ ବୁଲାଇ ନେଇ ମିନି ଅନୁଭବ କରିଥିଲା ତା’ ଆଖିରେ ଆଉ ଲୁହ ନାହିଁ । ଶୁଷ୍କ ସେ ଆଖି ଦି’ଟା ମିନିର । ଝରିଯିବାର ଲୁହ, ମିନି ଆଖିରେ ଲୁହ ନାହିଁ । ଲୋତକ ଗ୍ରନ୍ଥିରେ ତା’ର ଅଭାବ ହୋଇ ପଡ଼ିଛି ଲୋତକ ।

 

ନିଜ ଇଚ୍ଛାରେ କାହିଁକି ମିନିର ହାତଦି’ଟା ଡାକ୍ତରବାବୁଙ୍କର ନୟନରୁ ଲୋତକ ପୋଛି ଦେବାକୁ ଆଗେଇ ଯାଇଛି, ସେ କଥା ମିନି ଜାଣେନା...... ?

 

ଡାକ୍ତରବାବୁଙ୍କ ଠାରୁ ହଠାତ୍‌ ମିନି ଶୁଣିଥିଲା–

 

ତିରୁପଲ୍ଲୀ ନରସିଂହ ସାମନ୍ତଙ୍କ ଝିଅ ତମେ ମିନି ? ବାପା ତମର ଏବେ କ’ଣ ବଞ୍ଚିତ ନାହାନ୍ତି ??

 

ତମେ ସେଦିନ ପିଲାହୋଇ ସ୍ଲେଟରେ ଅ, ଆ, ଲେଖୁଥିଲ ବୋଲି ମୋର ଏବେବି ମନେ ଅଛି । ବାପାଙ୍କର ଚାକିରି କାଳର ଚାରୋଟି ବର୍ଷ ମୋତେ ତିରୁପଲ୍ଲୀର ହାଇସ୍କୁଲରେ ବିତାଇବାକୁ ପଡ଼ିଥିଲା । ତାରି ମଧ୍ୟରେ ତମରି ବାପାଙ୍କ ନିକଟରେ ବାପା ମୋତେ ଘରୋଇ ଶିକ୍ଷାପାଇଁ ଅଧିକାର ଦେଇଥିଲେ । ତମେ ମୋରି ପାଖରେ ବସି ପଢ଼ୁଥିଲ ମିନି–ଅ, ଆ, ଲେଖୁଥିଲ । ତମେ ବାପାଙ୍କର ମାତ୍ର ଏକୋଇରବଳା ବିଶିକେଶନ ବୋଲି ବାପା ତମ ଦେହରେ ଟିପ ଦିଅନ୍ତି ନାହିଁ । କହନ୍ତି ଏ ପାଠ ନପଢ଼ିଲା ନାହିଁ–ଝିଅ ପିଲାକୁ ପାଠ ପଢ଼ାଇଲେ ଲାଭ କ’ଣ !

 

ବାପା ତମର ଆଜିକାଲିର ଝିଅମାନଙ୍କୁ ଲକ୍ଷ କରୁଥିଲେ ସେତେବେଳେ–ଝିଅମାନଙ୍କର ଏ ନଗ୍ନତାକୁ ଦେଖିଲେ ତାଙ୍କର ସେ ପାଚିଲା ଆଖି ଦି’ଟା ହିଂସାକରେ, ଆଶ୍ଚର୍ଯ୍ୟ ହୁଅନ୍ତି ତମ ବାପା-। ମୋ ବାପାଙ୍କୁ ସେ କେତେଥର କହିଛନ୍ତି । ଛୋଟରାୟ ! ଦେଖୁଛ ତ ଏ ଝିଅମାନଙ୍କୁ ଆଉ ତାଙ୍କର ନଗ୍ନତାକୁ । ମିନିକୁ ପାଠପଢ଼ାଇ ଗେହ୍ଲାକରି ମୁଁ କ’ଣ ତାକୁ ଜାଣି ଜାଣି ଏ ନଗ୍ନ ଅଗ୍ନିକୁ ଠେଲିଦେବି ? ବାପା କହନ୍ତି । ଯୁଗକୁ ବିଶ୍ଳେଷଣ କରି ତାରି ମାଧ୍ୟମରେ ଏ ନଗ୍ନ ଶ୍ରେଣୀର ସୃଷ୍ଟି କରାଇଛି ରାୟବାବୁ–ଏହି ନଗ୍ନକୁ ନେଇ ଆଦିମ ଆଜି ଆର୍ଯ୍ୟ, ପୁଣି ଏଇ ଆର୍ଯ୍ୟର ନଗ୍ନତାର ପରିସମାପ୍ତି କ’ଣ ଜାଣନ୍ତି ? ପୁଣି ସେଇ ଆଦିମ ବୋଲି କହି ହସନ୍ତି ତମର ବାପା–ରବି ଆଉ ମିନିକୁ ଆମେ ସେ ସଭ୍ୟତାର ପାଠ ପଢ଼ାଇବାବୁ ଦେବାନି । ହେଲେ ସେମିତି କିଛି କ୍ଷତିହେବ ବୋଲି ଭାବୁଛନ୍ତି କି ? ମିନିକୁ ଆଉ ରବିକୁ ଏ ସଭ୍ୟତାର ପାଠ ପଢ଼ାଇବାକୁ ନ ଦିଅ । କଥାଟା ଶୁଣି ମିନି ଚିଇଁକି ଉଠିଥିଲା । ବାପା ତାଙ୍କ ମିନିର ଭବିଷ୍ୟତକୁ ନଗ୍ନ ନକରିବାକୁ ଚେଷ୍ଟା କରିବାଟାହିଁ ଲକ୍ଷ୍ୟଥିଲା ମହତ । ନ ହେଲେ ଡାକ୍ତରବାବୁଙ୍କୁ କାହିଁକି ?

 

ମିନିର ଚିନ୍ତା ମଧ୍ୟରେ ଡାକ୍ତବାବୁ କହୁଥିଲେ ମିନିର ଭବିଷ୍ୟତ ପାଇଁ ଡାକ୍ତରଙ୍କୁ ତିଆରି ବରିବାକୁ ଯାଉଥିଲେ ବାପା । ବେଳେ ବେଳେ ସମୁନ୍ଦିର ଭାବ ସୃଷ୍ଟି ହେଉଥିଲା ଉଭୟଙ୍କ ଠାରେ । ବାପା ହସି ହସି କହନ୍ତି, ମିନିତ ଅ, ଆ, ପଢ଼ୁଛି ? ରବି ପଛରେ ଦୌଡ଼ି ଦୌଡ଼ି ଯାଇ କ’ଣ ଛୁଇଁ ପାରିବ ?

 

ରାୟ ବାବୁଙ୍କ ପ୍ରଗଳ୍‌ଭତା ମିନିର ପାଠପଢ଼ା ଉପରେ ଜୋର୍‍ ଦେଇନଥିଲା । ମିନି ଆଠ ବର୍ଷର ଝିଅ, ରବି ଷୋଳବର୍ଷର ପୁଅ । ଦୂରତ୍ୱର ମାପକାଠି ଛୋଟରାୟ ଘରର ବୋହୂ କରିବାକୁ ମିନିକୁ ସକ୍ଷମ ହେବାକୁ ହେଲେ ଅ, ଆ, ଶ୍ରୀଘ୍ର ଶେଷ କରିବାକୁ ପଡ଼ିବ ମିନିକୁ ।

 

ବାପାଙ୍କ ମୁଖରେ ଏକଥା ଶୁଣି ମିନିର ବାପା କହନ୍ତି । ଝିଅମାନଙ୍କୁ ପଛରେ ଦେଖିଲେତ ପୁଅମାନଙ୍କର ଗତି ମନ୍ଥର ହୋଇଯାଏ । ରବିକୁ ମିନି ଯାଇ ଛୁଇଁବାଟା ଖୁବ୍‌ ଶୀଘ୍ର ଆପଣ ବିଶ୍ୱାସ କରନ୍ତୁ ।

 

ହଠାତ୍‌ ମିନି ବଢ଼ିଯିବ । ମିନିକୁ ସେଇ ଷୋଳବର୍ଷ ଧରିଲା ବେଳକୁ ଚବିଶ ବର୍ଷର ରବିଙ୍କ ପାଖରେ ମିନି ସ୍ୱାମୀତ୍ୱର ଦାବି ହାସଲ କରିବାକୁ ଜିଦ୍‌ କରିଥିବା ଏ ଧାରଣା ମୋର ଅଛି......ସେଇ ଅନେକ ଦିନର କଥାକୁ ଉଭୟଙ୍କ ମନ ମଧ୍ୟରେ ସ୍ପଷ୍ଟହୋଇ ଉଠିଥିଲା ।

 

ଆମର ଯାହା ସୃଷ୍ଟି କରାଯିବାକୁ ସ୍ଥିର କରାଯାଏ ଅନୁମାନ ବସତ ପ୍ରାୟ ସେଗୁଡ଼ା କାର୍ଯ୍ୟକାରୀ ହୁଏନା । ଏ ଧାରଣା ବି ଦିନେ ସ୍ପଷ୍ଟ ହୋଇ ଉଠିଥିଲା ମିନିର । ତିରୁପଲ୍ଲୀରୁ ଫେରିବାର ଆଠବର୍ଷ ମଧ୍ୟରେ ବାପା ସେପାରିକୁ ଚାଲି ଯାଇଥିଲେ । ଡାକ୍ତରଙ୍କର ବଙ୍କିମ ଛୋଟରାୟଙ୍କ ନିକଟରେ ଏ ପ୍ରସ୍ତାବଟା ନାଁ...ନାଁ ହୋଇ ଫେରିଆସିଥିଲା ।

 

ସେଦିନ ମିନି ଆଜି ଏକାଠି । ମିନି କ’ଣ ସତରେ ଦୌଡ଼ି ଦୌଡ଼ି ବାପାଙ୍କର କହିବା କଥାକୁ ପାଳନ କରିଛି । ଛୁଇଁଛି ରବିବାବୁଙ୍କୁ ।

 

ରିକ୍‌ସାଟା ଧଇଁସଇଁ ହୋଇ ମେଡିକାଲର ଗେଟ୍‌ ନିକଟରେ ଥମି ପଡ଼ିଲା । ଅନିମାଦେବୀ ଠିଆ ହୋଇଥିଲେ ଆଗରେ । ଅପେକ୍ଷା କରିଥିଲେ ମିନିକୁ ।

 

ମିନି ରିକ୍‌ସାରୁ ଓହ୍ଲାଇବାର ଦେଖି ଅନିମାଦେବୀ ଭୋ, ଭୋ ହୋଇ କାନ୍ଦି ଉଠିଥିଲେ । ମିନି ଆଶ୍ଚର୍ଯ୍ୟ ହୋଇ ପୁଣି ସେଇ ରିକ୍‍ସାରେ ଢଳି ପଡ଼ିଥିଲା । ମିନି କାନ୍ଦୁନଥିଲା, ଆଖି ବୁଜିହୋଇ ପଡ଼ିଥିଲା ତା’ର । ଜିଭଟାକୁ ସଜୋରରେ ମିନି କାମୁଡ଼ି ନେଇଛି । ନିଃଶ୍ୱାସର ପ୍ରଖରତା ସେତେ ନଥିଲା ମିନିର ।

 

X X X

 

କୁଳମଣି ବାବୁଙ୍କର ମରିବାର ତିନିମାସ ବିତି ଯାଇଛି–ଅନିମାଙ୍କର ହଠାତ୍‌ କାହିଁକି ସେଠାରୁ କଟକ ବଦଳି ହୋଇଯାଇଥିଲା ସେ କଥା ମିନି ଆଦୌ ଜାଣିପାରିନଥିଲା ।

 

ଅନିମା ଚାଲି ଯାଇଛନ୍ତି । ଗଲାବେଳେ ରବିବାବୁଙ୍କର ହାତଧରି ସେ କହିଯାଇଥିଲେ କୁଳମଣିଙ୍କର ପ୍ରାପ୍ୟ ଅର୍ଥ ତାଙ୍କ ଅଫିସରୁ ଯେପରି ମିନି ପାଏ । ଆଉ ମିନି ଏବଂ ତା’ର ଭବିଷ୍ୟତ-

 

ଏଇ କଥା ରବିବାବୁଙ୍କୁ ଯେତେବେଳେ ଅନିମାଦେବୀ ଅନୁନୟ ହୋଇ କହିଯାଇଥିଲେ, ମିନି ଉତ୍ତରଟିଏ ବି ଦେଇ କଥା ପଦେ ପଚାରି ପାରିନଥିଲା ଅପାଙ୍କୁ । ହାତରୁ ତା’ର ଚୁଡ଼ି ଦୁଇପଟ ଉତାରି ଦେଇଥିଲା ମିନି । ପଳ ପଳ ହୋଇ ଲୁହ ଜମି ଯାଇଥିଲା ଅପାଙ୍କ ପାଖରେ । ମିନି ଶୋକତୁରା ନିଆଶ୍ରୀ ତୁଣ୍ଡରେ ଅପାଙ୍କୁ କହିଥିଲା–‘‘ଆଜି ତମେ ମୋ ହାତରୁ ଚୁଡ଼ିନେଇ ଯାଅ ଅପା-। ତମ ଉପକାରର ମୂଲ୍ୟ ମୁଁ କ’ଣ ସୁଝି ପାରିବି ?’’

 

ଅନିମାଙ୍କର ଦରଦତାର ମୂଲ୍ୟ ସତରେ ମିନି ଶୁଝିପାରିବନି । ସେହି ଅନାବିଳ ଆଦର, ମମତାକୁ ଏଡ଼ାଇଦେଇ ଅନିମା ଆଜି ବାଧ୍ୟହୋଇ ଦୂରେଇ ଯାଇଛନ୍ତି କଟକ । ସେ ଆଉ ମିନିର ବୈଧବ୍ୟ ଯନ୍ତ୍ରଣାକୁ ଦେଖିପାରିବେ ନାହିଁ ଆଖିରେ ।

 

ଦଗ୍ଧ ପ୍ରାଣକୁ କନ୍ଦାଇ କନ୍ଦାଇ କ୍ଳାନ୍ତହୋଇ ଶୋଇଯାଇଛି ମିନି ।

 

କଳା ମୁଚୁ ମୁଚୁ ଅନ୍ଧାରର ରାତ୍ରିରେ ହଠାତ୍‌ ମିନି କାନ୍ଦି ଉଠିଲା ସେ ଘରେ......କିରାନି ବାବୁ ତା’ର ପଲଙ୍କ ନିକଟରେ ଠିଆ ହୋଇଛନ୍ତି କାହିଁକି ? ପଚାରିଲେ ଉତ୍ତର ଦେଉ ନାହାନ୍ତି ମିନିକୁ । ମିନି ଆତୁରହୋଇ ସ୍ୱାମୀଙ୍କୁ ତା’ର ଦୁଇ ନୟନରେ ଚିହ୍ନିବାକୁ ଆରମ୍ଭକରି ଆଖିଦୁଇଟାକୁ ମେଲାକରି ଦେଖିଛି । ନଁ, ସେ ନୁହନ୍ତି । ମଲା ମଣିଷର ଛାଇ ଏମିତି ଚାରି ଦିଗରେ ଚକର ଖାଇ ଖାଇ ବେଳେ ବେଳେ କାୟା ତା’ର ଅବଶ ହୋଇପଡ଼ିଲେ ସେ ଆସି ଠିଆହୋଇ ରହେ ମିନିର ପଲଙ୍କ ପାଖରେ । ମିନି ଯେଉଁଦିନ ହାତରୁ ଚୁଡ଼ି ଦୁଇପଟ ଉତାରି ଦେଇଥିଲା ସେଦିନଠାରୁ କିରାନି ବାବୁ ତା’ର କେହି ନୁହନ୍ତି । ସେ ପରା ସାତପର ଖାଲି ଜାଣେ ମିନି ।

 

ଭୟ ଲାଗୁଥିଲା ମିନିକୁ । ବିଛଣାରୁ ଉଠି ଚାହିଁଲା ଝରକାରେ । ବାହାରର ବିଜୁଳି ଆଲୋକ ବାରଣ୍ଡାରେ ପଡ଼ିଛି । ବଙ୍ଗଳାରେ ବସିଛନ୍ତି ଡାକ୍ତରବାବୁ ।

 

ମିନି କବାଟ ଖୋଲି ବାହାରକୁ ଆସି ପଚାରିଲା–ଏତେ ରାତିରେ ଆପଣ ବସି ବସି କ’ଣ ଭାବୁଛନ୍ତି ?

 

ଶୋଇବେ ଯାଆନ୍ତୁ । କାଲି କ’ଣ ଡିୟୁଟି ନାହିଁ ।

 

ଡିୟୁଟି ?

 

ଡିୟୁଟି କଥାଟା ଶୁଣିଲା ମାତ୍ରେ ଡାକ୍ତରବାବୁଙ୍କର ଆଖିରୁ ଲୁହ ଝରି ପଡ଼ିଥିଲା । ମିନିକୁ ବୁଝାଇଦେଇ କହିଲେ–କିରାନି ବାବୁଙ୍କର ଦେହାନ୍ତ ପରେ ମିନି ହାତର ଚୁଡ଼ିର ମୂଲ୍ୟ ଯେବେ ଏତେ କମ୍‍..... ?

 

ବିବାହିତ ଜୀବନରେ ଯେବେ ସୁଖ ନାହିଁ, ସଂସାର ଯେବେ ଶ୍ମଶାନ ପରି–ତାହାହେଲେ ଅଧିକ ଖଟି ଖଟି ଅର୍ଥ ଉପାର୍ଜନକରି ତା’ର ମୂଲ୍ୟ ଅଧିକ କାହିଁକି ହେବ ମିନି ?

 

ଡାକ୍ତରବାବୁଙ୍କର ମନର ଯନ୍ତ୍ରଣାର ସେ ଲୁହକୁ ମିନି ନିଜ ହାତରେ ପୋଛିଦେବାକୁ ଯାଇ କହିଥିଲା, ଦୁଃଖ ବେଳେ ମଣିଷ ମୁଣ୍ଡକୁ ବୋଝ ମାଡ଼ିବସେ । ନିୟତିର ବଳାତ୍କାରର ପଥର ଚାପ ମଣିଷକୁ ସହିବାକୁ ହେବ । ଆପଣ ଯଦି ଏତେ ପାଠ ପଢ଼ିଲା ପରେ ନିଜକୁ ହେୟ, ଅଜ୍ଞ, ଅଯୋଗ୍ୟ ବୋଲି ମନେକରିବେ, ତାହାହେଲେ ଅନ୍ୟମାନେ କ’ଣ କରିବେ ?

 

ତା’ପରେ ଡାକ୍ତରବାବୁଙ୍କଠାରୁ ମିନି ବିଦାୟ ନେଇ ତା’ର ଶୋଇଲା ଘରକୁ ପ୍ରବେଶ କରିଥିଲା । ଶୋଇଲେ ଆଖିକୁ ତା’ର ନିଦ ଆସେନା, ମିନିର ମନଭିତରେ ଘୂରିବୁଲେ ଡାକ୍ତରକି ଯନ୍ତ୍ରଣା ।

 

ଡାକ୍ତରବାବୁଙ୍କର ଦାମ୍ପତ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି । ସ୍ତ୍ରୀ ଥାଇ ସେ ତାଙ୍କ ଜୀବନକୁ ସୁଖ ଦେଇପାରି ନାହାନ୍ତି ।

 

ମିନିର ମନେପଡ଼ୁଥିଲା ଡାକ୍ତରବାବୁଙ୍କ ମୁଖରୁ ତା’ର ଅତୀତ କାହାଣୀ । ଅ, ଆ, ପଢ଼ୁଥିବା ମିନି ଆଜି ଆପେ ଆପେ ଆସି ତାଙ୍କ ପାଖରେ ପହଞ୍ଚିଛି । କିନ୍ତୁ....

 

ହାତ ଦି’ଟାକୁ ମିନି ଦେଖିପକାଇଲେ, ଡାକ୍ତରବାବୁଙ୍କ ଉପରୁ ତା’ର ଆନ୍ତରିକତା ତକ ନଷ୍ଟ ହୋଇଯାଏ । ବିଧବା ସେ । ବିଧବାକୁ ନେଇ ସଂସାର ଗଢ଼ିବା ସମାଜ ବିରୋଧ । ମିନି ବିଧବା ଅ, ଆ, ଶେଷକରି ଡାକ୍ତରବାବୁଙ୍କୁ ଆଜି ଛୁଇଁ ଲାଭ କ’ଣ ।

 

ରାତିର ନିରବତା ଆସ୍ତେ ଆସ୍ତେ ଗୋଳମୁଖର ହୋଇ ଉଠିଲା । ଆଲୋକ ଦେଖାଗଲା ମିନିର ଶୋଇଲା ଘରର କାନ୍ଥ ଉପରେ । ବାହାରେ କାଉର କାକଳି ଶୁଣିଲା ମିନି ।

 

ମିନି ଉଠିଆସିଲା ପଦାକୁ । ଲୁଗା ପଖାଳି ଦେଖିଲା ଡାକ୍ତରବାବୁ ଉଠି ନାହାନ୍ତି ।

 

ଆଠଟା ବାଜିଲେ ଡିୟୁଟିକୁ ଯିବେ ଡାକ୍ତରବାବୁ । ତରବରରେ ରୋଷାଇ କରୁଛି ମିନି । ଡାଲି, ଭାତ, ମାଛ ଏତକ ପ୍ରସ୍ତୁତ କରିବ ସେ । ତା’ପରେ ଡାବିବ ଡାକ୍ତରବାବୁଙ୍କୁ । ଭଲକରି ସେ ଦି’ଟା ଖାଇନେଲେ, ମିନି ମୁହଁରେ ହସ ଭରିଉଠେ । ନିଜର ନିଜର ହୋଇ ପେଟ ଭିତରଟା ତା’ର ତୁହାଇଯାଏ ।

 

ଡାକ୍ତରବାବୁ ତା’ର କେହି ନୁହନ୍ତି ବୋଲି ଜାଣେ ମିନି । ତଥାପି ଅପା ଯେତେବେଳେ ମିନିର ଦାୟିତ୍ୱ ଡାକ୍ତରବାବୁଙ୍କ ଉପରେ ନ୍ୟସ୍ତ କରିଯାଇଛନ୍ତି...... ।

 

ମିନି ତାଙ୍କର ସ୍ତ୍ରୀ ନହେଲେ ବି ଅତୀତର ସେହି ପ୍ରସ୍ତାବିତା ମିନି । ଆଜି ବିଧବାର ସଂକେତ ପାଇଁ ସେ ଯଦି ସମାଜ ତଥା ଡାକ୍ତରବାବୁଙ୍କଠାରୁ ସ୍ୱାମୀର ଦାବି ପାଇପାରେ, ଦାସୀ ହେବାର ସୁଯୋଗରୁତ ସମାଜ ମିନିକୁ ଦୂରେଇ ଦେଇ ପାରିବନାହିଁ ।

 

ରୋଷାଇ ଶେଷ ହୋଇଛି । ପାଦ ଗଣି ଗଣି ମିନି ଠିଆହେଲା ଡାକ୍ତରବାବୁଙ୍କ ପଲଙ୍କ ପାଖରେ !

 

ଉଠ, ଅନେକ ବେଳ ହେଲାଣି ?

 

ମିନିକୁ ଜବାବ ଦେଲେ ଡାକ୍ତରବାବୁ । ମୁହିଁ ଉପରେ ଚଦରଟା ଟାଣିନେଇ ସେ କହିଲେ ମୁଁ ଆଜି ଡିୟୁଟିକୁ ଯିବିନାହିଁ ମିନି । ଦେହ ମୋର ଭଲ ନାହିଁ । ମୁଣ୍ଡଟା କାହିଁକି ଭାରି ଭାରି ଲଗୁଛି ।

 

ଡାକ୍ତରବାବୁଙ୍କର ମୁଣ୍ଡଟା ଭାରି ଭାରି କଥା ଶୁଣି ମିନିର ଦେହଟା କାହିଁ ହଠାତ୍ ଥରି ଉଠିଲା । କିରାନି ବାବୁଙ୍କର କଥାଗୁଡ଼ା ଆଖି ଆଗରେ ନାଚିଗଲା ମିନିର । ମଥାଟା ଭାରି ଭାରି ଲାଗିଲା ସେଦିନ ରାତିରେ । ତା’ ପରଦିନ ରାତି ବେଳକୁ ସ୍ୱାମୀ ତା’ର ଯାଇ ଶୋଇଥିଲେ ବେଡରେ ।

 

ମିନି କଇଁ କଇଁ କାନ୍ଦି ଉଠିଲା, କହିଲା–ମୋତେ ବିଦାୟ ଦେବ ଡାକ୍ତରବାବୁ ? ମୁଁ ଏଠାରେ ରହିବି ନାହିଁ । ମୋ ପରି ଡାହାଣୀଟାକୁ ଯେ ପାଖରେ ରଖିବି, ତା’ର ସର୍ବନାଶ ହେବ । ମୋତେ କ୍ଷମା ଦିଅ । ମୋତେ ବିଦାୟ ଦିଅ । ମୁଁ ଏଠାରୁ ଚାଲିଯିବି ।

 

ମିନି ଏଠାରୁ ଛାଡ଼ି କେଉଁଠିକି ଚାଲିଯିବ । ତା’ର ଏଠାରେ କ'ଣ ଅସୁବିଧା ହେଲା । ଡାକ୍ତରବାବୁ କିଛି ବୁଝିପାରୁନଥିଲେ ମିନିର କଥାରୁ । ଆଶ୍ୱାସନା ଦେଇ ପଚାରିଥିଲେ, ହେଲେ ମିନି କିଛି ଉତ୍ତର ନଦେଇ ଖାଲି ଠିଆହୋଇ କାନ୍ଦିଥିଲା ।

 

ଡାକ୍ତରବାବୁ ପାଖକୁ ଟାଣିନେଇ ବସାଇଥିଲେ ମିନିକୁ । ଆଖିର ଲୁହକୁ ତା’ର ସେହି ଶୁଭ ସକାଳରେ ପୋଛିନେଇ କହିଥିଲେ–‘‘ତମେ ମୋ ପାଖରେ ଅଛବୋଲି ମୋତେ ଟିକେ ଭଲ ଲାଗୁଛି ମିନି ? ତମେ ମୋତେ ଛାଡ଼ିଦେଇ କୁଆଡ଼େ ଯିବ ବୋଲି ଭାବୁଛ ?? ତମକୁ ଛାଡ଼ିଲେ ମୁଁ ଏଠାରେ ଏକା ଏକା ହୋଇ ବଞ୍ଚିପାରିବି ତ ?? ?’’

 

ମିନିକୁ ଛାଡ଼ିଲେ ଡାକ୍ତରବାବୁ ବଞ୍ଚିପାରିବେ ନାହିଁ ବୋଲି କହୁଛନ୍ତି । ସତରେ ମିନି କ’ଣ ଏଠାରୁ ଚାଲିଯିବ–ନିଜକୁ ପଚାରି ନେଇଥିଲା ମିନି । ଡାକ୍ତରବାବୁଙ୍କୁ ସାନ୍ତ୍ୱନା ଦେଇ ମିନି କହିଥିଲା–‘‘ମୋ ରହିବାରେ ଆପଣ ଆନନ୍ଦ ପାଉଛନ୍ତି ଡାକ୍ତରବାବୁ ?"

 

କଥାରେ ଉତ୍ତର କିଛି ନଦେଇ ଡାକ୍ତରବାବୁ ଖାଲି ଚାହିଁ ରହିଥିଲେ ମିନିର ମୁହଁକୁ । ମିନି କେତେ ସୁନ୍ଦରୀ....

 

ବଙ୍କିମ ବାବୁଙ୍କ ଠାରୁ ଚିଠି ପାଇଥିଲା ରବି–ଭାଇ ଲେଖିଛନ୍ତି ।

 

ତୋ ଉପରେ ଏ ଛୋଟରାୟ ଘରର ଭବିଷ୍ୟତ ନିର୍ଭର କରିଥିଲା । ସେଥିରୁ ତୁ ଆଜି ବଞ୍ଚିତ କରିଛୁ ପରିବାରକୁ । ତୋର ଅସଲ ଉଦ୍ଦେଶ୍ୟକୁ ମୁଁ ଆଜି ବୁଝିପାରୁନି ।

 

ସାନବୋହୂଙ୍କ ସାଥୀରେ ତୋର ଯେଉଁ ମନୋମାଳିନ୍ୟ ହୋଇଛି ସେ ପାଇଁ ମୁଁ ଦାୟୀ ବୋଲି ତୁ ଯଦି ଚିନ୍ତା କରୁଥାଉ, ତାହାହେଲେ ସେ କଥାକୁ ମୁଁ ମଥାପାତି ସହି ନେବି ।

 

ସାନବୋହୂ ଏବେ ଆପେ ଆମ ଘରକୁ ଫେରିଆସିଛନ୍ତି । ଡାଲି ଚାଉଳର ଦୋକାନରୁ ଯେଉଁ ଲାଭ, ସେତିକି କ’ଣ ଆମ ପରିବାର ପାଇଁ ବହୁତ । ମୁଁ ନିଶ୍ଚିତ ଭାବେ ହଇରାଣହୋଇ ଚଳୁଛି ଏ ଘରେ । ତୋର ବିଚାର କରିବା ସହିତ ତୁ ଶୀଘ୍ର ଏ ଗାଁକୁ ଫେରିଆ । ଦେଖେ ତୋର ଘରର ଭବିଷ୍ୟତ ।

 

ଭାଇଙ୍କର ଏ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରିବ ନାହିଁ ରବି । ତାଙ୍କର ଆଦେଶକୁ ମଥାପୋତି ଯେ ସହି ନେବାପାଇଁ ଜନ୍ମ ହୋଇଛି ସେ ଆଜି ଅଯଥାରେ ବି ଫାଙ୍କିଦେଇ ପାରିବନି ତାଙ୍କୁ ।

 

କିନ୍ତୁ ମିନି... ?

 

ସେ ବିଧବା, ସ୍ୱାମୀହରା, ମୋତେ ଛାଡ଼ିଲେ ସେ କ'ଣ ଆଉ ସତରେ ବଞ୍ଚିପାରିବ ?

 

ଦିନେ ରାତିରେ ମିନିକୁ ଯାଇ ପଚାରିଥିଲେ ରବିବାବୁ । ମିନି ! ମୋତେ ଛାଡ଼ି ତମେ ବଞ୍ଚିପାରିବ କି ?

 

ଭାଇଙ୍କଠାରୁ ଆସିଥିବା ଚିଠିଟିକୁ ମିନି ଆଗରେ ଖାଲିଦେଇ ଦେଖାଇ ଦେଇଥିଲେ ।

 

ଚିଠିପଢ଼ି ମିନି କହିଥିଲା ଡାକ୍ତର ରବିବାବୁଙ୍କୁ ।

 

ପାରିବି, ପାରିବି ରବିବାବୁ । ମିନି ଆଜି ସ୍ୱାମୀଙ୍କୁ ଛାଡ଼ି ବଞ୍ଚିପାରିଛି । ଆଜି ଆପଣଙ୍କୁ ଛାଡ଼ି ବଞ୍ଚିପାରିବ ନାହିଁ କାହିଁକି ?

 

ଭାଇ ସ୍ତ୍ରୀ ଭାଉଜ ଓ କୁନି ପୁତୁରା, ମୋ ପରି ଚାରୋଟି ଜୀବନ ବଦଳ ଗୋଟିଏ ଜୀବନର ଦେହାନ୍ତ ହେବା ବରଂ ଠିକ୍ । ମୁଁ ଚାରିଜଣଙ୍କର ସ୍ୱାର୍ଥ ଦେଇପାରିବିନି ଡାକ୍ତରବାବୁ । ଆଜି ଅନୁରୋଧ ମିନିର, ଆପଣ ନିଜ ଗାଁକୁ ଫେରିଯାଆନ୍ତୁ ମିନି ଆପଣଙ୍କର କିଏ କି ?

 

X X X

 

ପରଦିନ ରାତିରେ ମିନିଠାରୁ ବିଦାୟ ନେଇ ଆସିବେ ଡାକ୍ତର । ସାକ୍ଷାତ କରିବାକୁ ଗଲେ ମିନିକୁ ।

 

ଘରସାରା ପ୍ରତ୍ୟେକ ଦରଜା ଖୋଲା ପଡ଼ିଛି । ମିନି ବୋଧେ ଶୋଇଯାଇଛି ବିଛଣାରେ-। ଧୀରେ ଧୀରେ ପାଦପରେ ପାଦ ପକାଇ ଡାକ୍ତର ପଶିଲେ ମିନିର ଶୋଇଲା ଘରକୁ-। ବିଦାୟ ବେଳାରେ ସେ ରାତିର ସେହି ନିଶବ୍ଦ ଅନ୍ଧାର ତଳେ–ମିନି ଗଣ୍ଡରେ ଗୋଟିଏ ବୋକ ଢାଳି ଡାକ୍ତର କହିଲେ ମୋତେ ବିଦାୟ ଦିଅ ମିନି ?

 

ମିନି ଡାକ୍ତରଙ୍କୁ ବିଦାୟ ଦେବାକୁ ଚାହିଁନଥିଲା ଥରେ ସେ ଭଲପାଏ ତାଙ୍କୁ । ତା’ର ଦାମ୍ପତ୍ୟ ଦଗ୍ଧ ହେଲା ଦିନଠାରୁ ଭୁଲି ନାହିଁ ଡାକ୍ତରଙ୍କୁ । ଆଜି ସେ ଅଭୁଲ୍ୟ ଡାକ୍ତର ପାଖରେ ମିନି ।

 

ମିନି, ମିନି, ମିନି ।

 

ମିନି ଆଉ ଶୁଣୁନାହିଁ ।

 

ଡାକ୍ତରବାବୁଙ୍କ ଆଖିରୁ ଲୁହ ଗଡ଼ୁଛି ?

Image